କାୟା ବିସ୍ତାର କଲାଣି ଡେଙ୍ଗୁ

ବିଡିଏ ଓ ସାଲିଆ ସାହିରେ ୨୦ରୁ ଅଧିକ ଆକ୍ରାନ୍ତ

ଚନ୍ଦ୍ରଶେଖରପୁର: ରାଜଧାନୀରେ ପୁଣି କାୟା ବିସ୍ତାର କଲାଣି ଡେଙ୍ଗୁ। ବିଏମ୍‌ସିର ୧୬ ଓ ୧୩ ନମ୍ବର ଓ୍ଵାର୍ଡରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଡେଉଁଛି ଡେଙ୍ଗୁ। ତଥାପି ପ୍ରଶାସନର ନିଦ ଭାଙ୍ଗୁନି। ଦୁଇ ସପ୍ତାହ ତଳେ ଏନେଇ ଲୋକଙ୍କୁ ସଚେତନ କରିବାକୁ ଯୋଜନା ହୋଇଥିବା ମଧ୍ୟ ଏବେ କିନ୍ତୁ ଠପ୍‌ ହୋଇଯାଇଛି। ସବୁ ଅଞ୍ଚଳରେ କୁଢ଼ କୁଢ଼ ଆବର୍ଜନା ପଡ଼ି ରହୁଛି। ଡେଙ୍ଗୁ ସଚେତନତା ମଧ୍ୟ ଆଗକୁ ବଢ଼ିପାରୁନି। ଗତ ୫ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଟପିଯାଇଥିବା ସୂଚନା ମିଳିଛି। କ୍ୟାପିଟାଲ ହସ୍ପିଟାଲରେ ୭ ଜଣ ଚିକିତ୍ସିତ ହେଉଥିବା ବେଳେ ସ୍ଥାନୀୟ ଘରୋଇ ମେଡିକାଲରେ ମଧ୍ୟ କେତେଜଣ ଭର୍ତ୍ତି ହୋଇଛନ୍ତି। ବିଡିଏ କଲୋନି ସମେତ ସାଲିଆସାହି ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିଥିବାରୁ ବିଏମ୍‌ସି ପକ୍ଷରୁ ବିଭିନ୍ନ ସଂସ୍ଥା ସହାୟତାରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଥିଲା। ଡେଙ୍ଗୁରୁ କିଭଳି ରକ୍ଷା ମିଳିବ ସେ ସମ୍ପର୍କରେ ଲୋକଙ୍କୁ ଦିନେ କି ଦୁଇ ଦିନ ସଚେତନ କରାଯାଇଥିଲା। ହେଲେ ଗତ କିଛି ଦିନ ହେଲା ଆଉ ଡେଙ୍ଗୁ ସଚେତନତା ଗାଡ଼ି ଦେଖିବାକୁ ମିଳୁ ନ ଥିବା ଲୋକେ କହିଛନ୍ତି। ଲୋକଙ୍କ ଅଭିଯୋଗ ଅନୁଯାୟୀ ଡେଙ୍ଗୁ ବ୍ୟାପିବା ପାଇଁ ବିଏମ୍‌ସି ଗାତ ଖୋଳିଦେଇଛି। ସବୁଠି ଆବର୍ଜନା ଜମା ହୋଇ ରହିଛି। ଅଭିଯୋଗ କଲେ କେହି ଶୁଣୁ ନାହାନ୍ତି। ୫ ଦିନ ହେଲା ବର୍ଷା ଲାଗି ରହିଥିବାରୁ ଏଭଳି ସ୍ଥିତି ଉପୁଜିଛି। ଲଗାଣ ବର୍ଷା ବେଳେ ଅଳିଆ ଉଠୁ ନ ଥିଲା। ଯେଉଁଥିପାଇଁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଛି। ଯଦି ଏଦିଗରେ ତୁରନ୍ତ ପଦକ୍ଷେପ ନିଆ ନଯାଏ ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଆଲୋଚନା ହେଉଛି। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ହେଉଥିବା ବିଡିଏ ନୀଳମାଧବ ବସ୍ତିର ସୁଶୀଲ କୁମାର ଦାସଙ୍କ କହିବାନୁଯାୟୀ ଜ୍ୱର ନ କମିବାରୁ ରକ୍ତ ପରୀକ୍ଷା ପରେ ଡେଙ୍ଗୁ ହୋଇଥିବା ଜଣାପଡ଼ିଲା। ଦୁଇ ଦିନ ହେଲା କ୍ୟାପିଟାଲ ହସ୍ପିଟାଲରେ ପଡ଼ିଛି। ବିଏମ୍‌ସିର ୧୩ ନମ୍ବର ଓ୍ଵାର୍ଡରେ ଆସୁଥିବା ଏହି ଅଞ୍ଚଳରେ ଥରେ କି ଦୁଇ ଥର ସଚେତନତା ଗାଡ଼ି ବୁଲିଛି। ଠିକ୍‌ ଭାବେ ସଫେଇ ହୋଇ ନ ଥିବାରୁ ଏଭଳି ସମସ୍ୟା ହୋଇଛି। ଚିକିତ୍ସାଧୀନ ଥିବା ବିଡିଏ କଲୋନି ପାଣିଟାଙ୍କି ନିକଟ ବସ୍ତିର ଦୀପ୍ତିମୟୀ ଆଚାର୍ଯ୍ୟଙ୍କ ସ୍ୱାମୀ ସରୋଜ ନାଥ କୁହନ୍ତି ଗତ ଶୁକ୍ରବାର ପତ୍ନୀଙ୍କୁ ଜ୍ୱର ହୋଇଥିଲା। ତାଙ୍କ ରକ୍ତ ପରୀକ୍ଷା ପରେ ଡେଙ୍ଗୁ ପଜିଟିଭି ଆସିଥିଲା। ଏବେ ସୁସ୍ଥ ଅଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଏହି ଅଞ୍ଚଳର ୭ ଜଣ ଚିକିତ୍ସା ହେଉଛନ୍ତି। ସାଲିଆସାହି ବାଜପେୟୀ ନଗରର କାଳିଆ ବେହେରା କୁହନ୍ତି ସାରା ଅଞ୍ଚଳ ଅପରିଷ୍କାର ରହିଛି। ବିଏମ୍‌ସି ଏଦିଗରେ ପଦକ୍ଷେପ ନେଉନି। ସଫେଇ କରାଯାଉନି। ଯାହାବି ହେଉଛି କେବଳ ରାସ୍ତାପାର୍ଶ୍ୱରେ ଲୋକ ଦେଖାଣିଆ। ଏହି ଅଞ୍ଚଳର ପ୍ରାୟ ୨୦ ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସମ୍ବନ୍ଧିତ ଖବର