ସହରବାସୀଙ୍କୁ ଦେଶୀ ଖାଦ୍ୟର ମଜା

ଖୋଲିଲା ମାଣ୍ଡିଆ, ବାଜରା ଖାଦ୍ୟ ପସରା , ସ୍ୱାସ୍ଥ୍ୟ ପାଇଁ ହିତକର, ଚାଷୀଙ୍କୁ ପ୍ରୋତ୍ସାହନ

ଭୁବନେଶ୍ୱର: ମାଣ୍ଡିଆ ଲଡ଼ୁ, ମାଣ୍ଡିଆ ଖିରି, ମାଣ୍ଡିଆ ପକୋଡ଼ା, ବରା। ଏପରି ଖାଦ୍ୟ ରାଜଧାନୀରେ କ୍ୱଚିତ ମିଳେ। ସହରର ଖାଦ୍ୟପ୍ରେମୀଙ୍କ ପସନ୍ଦରେ ବି ଏହା ନ ଥାଏ। କିନ୍ତୁ ସହରବାସୀଙ୍କୁ ଏହି ଖାଦ୍ୟ ସହ ପରିଚିତ କରିବା ତଥା ସ୍ୱାସ୍ଥ୍ୟ ପାଇଁ ଏହା ହିତକର ବୋଲି ଜଣାଇବା ଉଦ୍ଦେଶ୍ୟରେ ସରକାରୀ ଭାବେ ଉଦ୍ୟମ ଆରମ୍ଭ ହୋଇଛି। ମାଣ୍ଡିଆ, ବାଜରାରେ ତିଆରି ଖାଦ୍ୟ ସାମଗ୍ରୀକୁ ନେଇ ସ୍ୱତନ୍ତ୍ର ଷ୍ଟଲ୍‌ ଆଜି ୟୁନିଟ୍‌-୧ ହାଟ ଓ ରେଳ ଷ୍ଟେସନ୍‌ ନିକଟରେ ଖୋଲିଥିଲା। ଆଉ ସହରବାସୀ ତାହାକୁ ଖାଇବା ଓ ଘରକୁ ନେବା ପାଇଁ ବେଶ୍‌ ଭିଡ଼ ଜମାଇଥିଲେ। ‘ଓଡ଼ିଶା ଲଘୁ ଶସ୍ୟ ମିସନ’ (ମିଲେଟ୍‌ ମିସନ୍‌) ପକ୍ଷରୁ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର (ଏନ୍‌ସିଡିଏସ୍‌) ଓ ଓ୍ଵାସନ୍‌ ସହଯୋଗରେ ଆରମ୍ଭ ହୋଇଛି ଏହି ନୂଆ ପ୍ରୟାସ। ଗତ ମାର୍ଚ୍ଚରେ ସଚିବାଳୟରେ ଲଘୁ ଶସ୍ୟ ମିସନ୍‌ ସମ୍ପର୍କିତ ଏକ ବୈଠକରେ ଲଘୁ ଶସ୍ୟକୁ ସହରାଞ୍ଚଳରେ ପ୍ରଚାରପ୍ରସାର କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ଆଜିଠାରୁ ଭୁବନେଶ୍ୱରରେ ଏହାର ବିକ୍ରି ଆରମ୍ଭ ହୋଇଛି। ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ସ୍ଥାନରେ ଏହି ଷ୍ଟଲ୍‌ ପକାଇବାର ଯୋଜନା ରହିଛି। ଆଜି ପ୍ରଥମ ଦିନରେ ଏହି ଷ୍ଟଲ୍‌ରେ ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା। ଲୋକମାନେ ସେଠାରେ ଖାଇବା ସହ ଘରକୁ ବି ନେଇ ଯାଉଥିଲେ। ଏଠାରେ ଖାଉଥିବା ଅଶୋକନଗର ଅଞ୍ଚଳର ହରିଶ ଦାସ କହିଥିଲେ, ଦେଶୀ ଖାଦ୍ୟ ଖାଇବାକୁ ଇଚ୍ଛା ହେଉଥିଲେ ବି ସହରରେ ମିଳିବା କଷ୍ଟ। ଆଦିବାସୀ ମେଳା ସମୟରେ ଏପରି ଖାଦ୍ୟ ମିଳେ। ଯେହେତୁ ଏବେ ମିଳୁଛି, ତେଣୁ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁ ନାହୁଁ। ଏହା ପାଟିକୁ ସ୍ୱାଦ, ପୁଣି ଦେହ ପାଇଁ ଉପକାରୀ ବୋଲି ସେ କହିଥିଲେ। ଏନସିଡିଏସ୍‌ର ନିର୍ଦ୍ଦେଶକ ଶ୍ରୀଜିତ ମିଶ୍ରଙ୍କ କହିବା ଅନୁଯାୟୀ ଏହି ଷ୍ଟଲରେ ଦୈନିକ ୧୫୦୦ ଟଙ୍କାରୁ ଅଧିକ ବିକ୍ରି ହେବାର ଆଶା ରହିଛି। ଆଦିବାସୀ ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରି କରିବାର ସୁଯୋଗ ସୃଷ୍ଟି କରିବା, ପୃଷ୍ଟିଜାତୀୟ ଶସ୍ୟକୁ ଲୋକପ୍ରିୟ କରିବା ତଥା ଏ ନେଇ ସଚେତନତା ସୃଷ୍ଟି କରିବା ଏପରି ଷ୍ଟଲ୍‌ ଖୋଲିବାର ମୁଖ୍ୟ ଉଦ୍ଦେଶ୍ୟ।

ସୂଚନାଯୋଗ୍ୟ ଯେ ଲଘୁ ଶସ୍ୟ ମିସନ୍‌ ମାଧ୍ୟମରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୭ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ୩୦ଟି ବ୍ଲକ୍‌ରେ ଲଘୁ ଶସ୍ୟର ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ୧୧ଟି ଜିଲ୍ଲାକୁ ଏହାର ସମ୍ପ୍ରସାରଣ କରାଯାଇଛି।

ସମ୍ବନ୍ଧିତ ଖବର