ଘରେ ଘରେ ହାଣ୍ଡିଆ ହାଟ, ଛେନା ତଳେ ଭାଙ୍ଗ ବିକ୍ରି

ଚନ୍ଦ୍ରଶେଖରପୁର: ଲକ୍‌ଡାଉନ୍‌ରେ ହାଣ୍ଡିଆ ହାଟ ଖାଁ ଖାଁ। କିନ୍ତୁ ବେପାର ବନ୍ଦ ହୋଇନାହିଁ। ଏବେ ଘରେ ଘରେ ବସିଛି ହାଣ୍ଡିଆ ହାଟ। ଦେଶୀ ମଦ ଓ ହାଣ୍ଡିଆ ଘରେ ରନ୍ଧା ହେଉଛି ଓ ସେଇଠି ଗ୍ରାହକମାନଙ୍କୁ ବିକ୍ରି ହେଉଛି। ମଞ୍ଚେଶ୍ବର ଥାନା ରେଳଲାଇନ୍ ସାହି ଓ ପାତ୍ରସାହି ଆଦିବାସୀ ବସ୍ତି ଅଞ୍ଚଳରେ ଚାଲିଛି ଏହି ଚୋରା ମଦ କାରବାର। କରୋନା କଟକଣାରେ ଜଣାଶୁଣା ହାଟ ବନ୍ଦ ଥିଲେ ମଧ୍ୟ ଗଳାବାଟ ଦେଇ ବେପାରୀମାନେ କାରବାର ଜାରି ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ଦୁଇ ମାସ ହେଲା ନିଶା କାରବାର ବନ୍ଦ ରହିଛି। କରୋନା କଟକଣା ତାଲାବନ୍ଦ ପରଠାରୁ ଏହି କାରବାର ବନ୍ଦ ରହିଛି ବୋଲି ଜଣାପଡ଼େ। କିନ୍ତୁ ବାସ୍ତବରେ ଏହା ସତ ନୁହେଁ। ତାଲାବନ୍ଦ ବେଳେ ବି ବସ୍ତି ଅଞ୍ଚଳରେ ହାଣ୍ଡିଆ କାରବାର ବନ୍ଦ ହୋଇନାହିଁ। ମଞ୍ଚେଶ୍ବର ଅଞ୍ଚଳରେ ଲାଇନ୍ ସାହି ଓ ପାତ୍ର ସାହି ଆଦିବାସୀ ବସ୍ତି ଦେଶୀ ମଦ ଓ ହାଣ୍ଡିଆ ପାଇଁ ଜଣାଶୁଣା ସ୍ଥାନ ପାଲଟିଛି। ବହୁ ଲୋକଙ୍କ ଘରେ ମଦ ରନ୍ଧା ହେଉଛି। ଘରେ ମଦ ରାନ୍ଧୁଥିବା ବେପାରୀଙ୍କ ଘର ଆଗରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଉକ୍ତ ବେପାରୀମାନେ ଘରେ ବସାଇଛନ୍ତି ହାଟ। ମଦ୍ୟପମାନେ ସେମାନଙ୍କ ଘରେ ମଦ ପିଇବା ସୁଯୋଗ ପାଉଛନ୍ତି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ହାଣ୍ଡିଆ ଓ ଦେଶୀ ମଦ ବ୍ୟବସାୟ କରୁଥିବା ମହିଳାମାନଙ୍କ କହିବା କଥା ପୂର୍ବ ଅପେକ୍ଷା ଏବେ ନିଶା ବେପାର ଅଧିକ ହେଉଛି। କାରଣ ଲକ୍‌ଡାଉନ୍ ବୋଲି ଚଢ଼ା ଦାମରେ ଦେଶୀ ମଦ, ହାଣ୍ଡିଆ ଓ ମହୁଲି ବିକ୍ରି ହେଉଛି। ସେହିଭଳି ମଞ୍ଚେଶ୍ବର ଷ୍ଟେସନ୍ ଓ ରଙ୍ଗମାଟିଆ ଅଞ୍ଚଳରେ ଗଞ୍ଜେଇ ବ୍ୟବସାୟ ମଧ୍ୟ ଧୂମ୍‌ ଚାଲିଛି। ରେଲୱେ‌ କଲୋନି ଅଞ୍ଚଳରେ ଛେନା ବେପାରୀମାନେ ଛେନା ତଳେ ଭାଙ୍ଗ ଲୁଚାଇ ରଖି ବିକ୍ରି କରୁଛନ୍ତି। ଏହି ଅଞ୍ଚଳରେ ସବୁ ପ୍ରକାର ନିଶା କାରବାର ଖୁଲମ୍‌ଖୁଲା ଚାଲିଥିଲେ ବି ପୁଲିସ ନିରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର