ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ‘ସିୱାଏସ୍‍ଡି’ର ୨ ଦିନିଆ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଯୁବ ସମାବେଶକୁ ୟୁନିସେଫ୍‍ର ଓଡ଼ିଶା ମୁଖ୍ୟ ମୋନିକା ଓଡେଜ୍‍କା ନେଲସନ୍‍ ଉଦ୍‌ଘାଟନ କରି କହିଲେ, ଯୁବ ସମାଜ ନିଜର କ୍ଷମତା ଓ ସାମର୍ଥ୍ୟ ଉପରେ ବିଶ୍ୱାସ ରଖି ତୃଣମୂଳ ସ୍ତରରେ ନିରନ୍ତର ବିକାଶ ପାଇଁ ଆଗେଇ ଆସିବା ଆବଶ୍ୟକ। ସମାଜର ସବୁ ବର୍ଗ ଓ ସବୁ ଶ୍ରେଣୀର ଲୋକଙ୍କୁ ଅନ୍ତର୍ଭୁକ୍ତ କରିବା ସହ ନିରନ୍ତର ବିକାଶର ୧୭ଟି ଲକ୍ଷ୍ୟକୁ ୨୦୩୦ ସୁଦ୍ଧା ହାସଲ କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ। ସ୍ୱାସ୍ଥ୍ୟ, ଶିକ୍ଷା ଭଳି ସାମାଜିକ କ୍ଷେତ୍ରରେ ଥିବା ଅସମାନତା ଦୂର କରିବା ସହ ଯୁବଗୋଷ୍ଠୀଙ୍କ ମାଧ୍ୟମରେ ଗ୍ରାମପଞ୍ଚାୟତର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ସିୱାଇଏସ୍‍ଡିର ସହ-ପ୍ରତିଷ୍ଠାତା ଜଗଦାନନ୍ଦ କହିଥିଲେ।

Advertisment

ଏହି ଅବସରରେ ‘ହେଲ୍‌ଥ ଇନ୍ଇକ୍ୱାଲିଟି ଆଣ୍ଡ ଇକ୍ୟୁଟି ଇନ୍ ଓଡ଼ିଶା’ ଶୀ‌ର୍ଷକ ରିପୋର୍ଟ ଉନ୍ମୋଚିତ ହୋଇଥିଲା। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ (୨୦୧୫-୧୬)ର ତଥ୍ୟ ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କେତେକ ପ୍ରମୁଖ ସୂଚକାଙ୍କ ସମ୍ପର୍କରେ ଅନୁଶୀଳନ କରାଯାଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ବ୍ୟାପକ ଓ ସୁଦୃଢ଼ କରାଯିବା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପ୍ରତିଷ୍ଠା ଦିବସର ସଂଭାଷଣ କାର୍ଯ୍ୟକ୍ରମରେ ସମାଜିକ କର୍ମୀ ଅମିତାଭ୍‍ ବେହର୍‍ ଯୋଗଦେଇ କହିଲେ, ଅସମାନତା ସବୁବେଳେ ଆଦିବାସୀ ଓ ପଛୁଆ ଅଞ୍ଚଳର ଲୋକମାନେ ହିଁ ସାମ୍ନା କରିଥାନ୍ତି। ଯେବେ ବି କୌଣସି ଅର୍ଥନୈତିକ ପ୍ରକଳ୍ପ କରାଯାଏ ସେତେବେଳେ ଆଦିବାସୀ ଓ ପଛୁଆ ଅଞ୍ଚଳର ଲୋକେ ବିସ୍ଥାବିତ ହୁଅନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା ଭଳି ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ ତଥା ସମ୍ବେଦନଶୀଳ ଗୋଷ୍ଠୀ ଅସମାନତାର ଶିକାର ହୋଇଛନ୍ତି । ସମାଜିକ ଅନୁଷ୍ଠାନ ମିଳିତ ଭାବେ ଏ ଅସମାନତା ଦୂର କରିବା ଜରୁରି। ତୃଣମୂଳ ସ୍ତରରେ ଅସମାନତା ଦୂର କରିବା ପାଇଁ ଯୁବବର୍ଗଙ୍କୁ ଆଗକୁ ଆସିବା ଆବଶ୍ୟକ। ଗ୍ରାମୀଣ ଶାସନ ବ୍ୟବସ୍ଥାରେ ଯୁବ ଗୋଷ୍ଠୀ, ଅବହେଳିତ, ମହିଳାମାନେ ଯୋଡ଼ି ହେବା ଆବଶ୍ୟକ ବୋଲି ସେ କହିଥିଲେ। ଏହି ଅବସରରେ ଅପହଞ୍ଚ ଇଲାକାରେ କାର୍ଯ୍ୟ କରୁଥିବା ବିଭିନ୍ନ ଗୋଷ୍ଠୀସ୍ତରୀୟ ସଙ୍ଗଠନ ଓ ସ୍ୱେଚ୍ଛାସେବୀଙ୍କୁ ସମ୍ମାନିତ କରାଯାଇଥିଲା।