କଲେଜ କ୍ଷୟକ୍ଷତି ଆକଳନ ଆଜିଠୁ, ଦେବରାୟ କଲେଜ ଅଧିକ ପ୍ରଭାବିତ

0

ଭୁବନେଶ୍ବର: ବାତ୍ୟା ମାଡ଼ରେ ଭାଙ୍ଗିଛି କଲେଜଗୁଡ଼ିକର ମେରୁଦଣ୍ଡ। ଦେବରାୟ କଲେଜଠାରୁ ଆରମ୍ଭ କରି ରାଜଧାନୀ କଲେଜ ପର୍ଯ୍ୟନ୍ତ। ସହରର ସବୁ କଲେଜ ପ୍ରଭାବିତ ହୋଇଛି। କେଉଁଠି ଗଛ ପଡ଼ି ପାଚେରି ଭାଙ୍ଗିଛି ତ ଆଉ କେଉଁଠି ଆଜବେଷ୍ଟ ଉଡ଼ିଯାଇଛି। ଆଉ କେଉଁଠି କଲେଜ କବାଟ ପବନ ମାଡ଼ରେ ଭାଙ୍ଗିଯାଇଛି। ସମ୍ପୂର୍ଣ୍ଣ କ୍ଷୟକ୍ଷତିର ଆକଳନ ଏପର୍ଯ୍ୟନ୍ତ କରାଯାଇପାରିନି। ତଥାପି ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି ଯେ ୫ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ଉଭୟ ଯୁକ୍ତ୩ ଓ ଯୁକ୍ତ୨ କଲେଜଗୁଡ଼ିକ ପ୍ରଭାବିତ ହୋଇଛି। ତେବେ ଉଚ୍ଚଶିକ୍ଷା ବିଭାଗର ସ୍ବତନ୍ତ୍ର ଟିମ୍‌ ବୁଧବାରଠାରୁ କ୍ଷୟକ୍ଷତିର ଆକଳନ କରିବା ପରେ ପୂର୍ଣ୍ଣାଙ୍ଗ ତଥ୍ୟ ପଦାକୁ ଆସିବ। ଚିନ୍ତାର ବିଷୟ ହେଉଛି ଯେ ଆଉ କିଛି ଦିନ ପରେ କଲେଜ ଖୋଲିବ। ପୁଣିଥରେ କ୍ୟାମ୍ପସରେ ପାଠପଢ଼ା ଆରମ୍ଭ ହେବ। ତେବେ ଏହା ପୂର୍ବରୁ କଲେଜ ସ୍ଥିତିରେ ସୁଧାର ଆସିବା ପରି ମନେ ହେଉ ନାହିଁ। ବାତ୍ୟାର ୧୨ ଦିନ ପରେ ବି କର୍ତୃପକ୍ଷ ଏଥିପ୍ରତି ଗୁରୁତ୍ବ ଦେଉନାହାନ୍ତି। ସଜାଡ଼ିବା ଦିଗରେ ବି ପଦକ୍ଷେପ ନେଉନାହାନ୍ତି। ଯେଉଁଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ଏପରିକି ମେ’ ଶେଷ ସପ୍ତାହ‌ ବେଳକୁ ଯୁକ୍ତ୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯିବ। ତେଣୁ ଏହି ସମୟ ମଧ୍ୟରେ କ୍ୟାମ୍ପସର ପୂର୍ବସ୍ଥିତି ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

ଦେବରାୟ କଲେଜରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି। କଲେଜର ପାଚେରି ଭାଙ୍ଗିଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ କ୍ୟାମ୍ପସରେ ସୃଷ୍ଟି କରାଯାଇଥିବା ବଟାନିକାଲ ଗାର୍ଡେନ୍‌ ବି ନଷ୍ଟ ହୋଇଛି। ସାଇକେଲ୍‌ ଷ୍ଟାଣ୍ଡ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ କ୍ଲାସ ରୁମ୍‌ ଆଜବେଷ୍ଟସ୍‌ ବି ଉଡ଼ିଯାଇଛି। କ୍ଲାସରେ ବସି ପଢ଼ିବା ସମ୍ଭବପର ହେବ ନାହିଁ। ରାଜଧାନୀ କଲେଜରେ ବି ସମାନ ଅବସ୍ଥା। କ୍ୟାମ୍ପସରେ ବହୁ ସଂଖ୍ୟାରେ ଗଛ ଭାଙ୍ଗିପଡ଼ିଛି। ଛାତ୍ରଛାତ୍ରୀ ଯେଉଁଠାରେ ସାଇକେଲ୍‌ ପାର୍କିଂ କରନ୍ତି ତାହା ନଷ୍ଟ ହୋଇଛି। କ୍ୟାମ୍ପସରେ ଥିବା ବିଲ୍‌ଡିଂ ବି ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ବି ବାତ୍ୟାରୁ ବର୍ତ୍ତିପାରି ନାହିଁ। ଏଠାରେ ବିଲଡିଂ ହୋଇଥିବାରୁ ପାଠପଢ଼ାରେ ବାଧା ସୃଷ୍ଟି ହେବାର ସମ୍ଭାବନା ନାହିଁ। ତେବେ କ୍ୟାମ୍ପସର ସବୁଜିମା ନଷ୍ଟ ହେବା ସହ ବହୁ ସ୍ଥାନରେ ଗଛ ପଡ଼ି ପାଚେରି ଭାଙ୍ଗିଛି। ସହିଦନଗରସ୍ଥିତ ମହର୍ଷି କଲେଜ ଅଫ୍‌ ନାଚ୍ୟୁରାଲ ସାଇନ୍ସ, ୟୁନିଟ୍‌-୧ସ୍ଥିତ କମଳାନେହେରୁ ମହିଳା ମହାବିଦ୍ୟାଳୟ, ଏକାମ୍ର କଲେଜ, ସିଟି ଓମେନ୍ସ କଲେଜ, ସତ୍ୟସାଇ ମହିଳା ମହାବିଦ୍ୟାଳୟ, ପଟିଆ କଲେଜ ବି ବ୍ୟାପକ ଗଛ ଭାଙ୍ଗିବା ସହ କ୍ଲାସରୁମ୍‌ଗୁଡ଼ିକ ପ୍ରଭାବିତ ହୋଇଛି।

ଅନ୍ୟପକ୍ଷରେ ଆସନ୍ତାକାଲିଠାରୁ ଉଚ୍ଚଶିକ୍ଷା ବିଭାଗର ଏକ ପ୍ରତିନିଧି ଦଳ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକ ଗସ୍ତ କରିବେ। ଏଥିରେ ଖୋର୍ଧା ଜିଲ୍ଲାର ସରକାରୀ ମହାବିଦ୍ୟାଳୟ, ବେସରକାରୀ ମହାବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ କଲେଜ ଓ ବିଶ୍ବବିଦ୍ୟାଳୟରୁ ସ୍ବତନ୍ତ୍ର ଟିମ୍‌ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବାର କାର୍ଯ୍ୟକ୍ରମ ରହିଛି। ଏସମ୍ପର୍କିତ ଏକ ରିପୋର୍ଟ ଓ ଫଟୋ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଖୋର୍ଧା ଜିଲ୍ଲା ପାଇଁ ଭୁବନେଶ୍ବର ଆଞ୍ଚଳିକ ନିର୍ଦେଶକଙ୍କ ନେତୃତ୍ବରେ ଟିମ୍‌ ଗଠନ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.