ଚର୍ଚ ଉତ୍ସବମୁଖର ଧୁମ୍‌ଧାମ୍‌ରେ ସରିଲା ବଡ଼ଦିନ

ଭୁବନେଶ୍ୱର: ସୋମବାର ଥିଲା ପ୍ରଭୁ ଯୀଶୁଙ୍କ ଜନ୍ମଦିନ। ତେଣୁ ବଡ଼ଦିନରେ ସକାଳୁ ସକାଳୁ ଚଳଚଞ୍ଚଳ ହୋଇପଡ଼ିଥିଲା ରାଜଧାନୀ। ଉତ୍ସବମୁଖର ହୋଇ ଉଠିଥିଲା ଚର୍ଚ। ମୁଣ୍ଡରେ ସାନ୍ତା କ୍ୟାପ୍‌, ହାତରେ ମହମବତୀ ଓ ଗୋଲାପ ଫୁଲ ଧରି ଶ୍ରଦ୍ଧାଳୁ ଛୁଟିଥିଲେ ଚର୍ଚ୍ଚ ଉଦ୍ଦେଶ୍ୟରେ। ଗତକାଲି ମଧ୍ୟରାତ୍ରିରେ ଯୀଶୁଙ୍କ ଧରାବତରଣ ପରେ ଖ୍ରୀଷ୍ଟିଆନ୍‌ ଭାଇ ଭଉଣୀମାନେ ସମବେତ ସ୍ୱରରେ ଗାଇ ଚାଲିଥିଲେ ଈଶ୍ୱରଙ୍କ ଆଶିଷର ପଂକ୍ତି। କେବଳ ଖ୍ରୀଷ୍ଟିଆନ୍‌ ନୁହେଁ ଅନ୍ୟ ଧର୍ମର ଲୋକେ ଏହି ପବିତ୍ର ମୁହୂର୍ତକୁ ଉପଭୋଗ କରିବା ପାଇଁ ଚର୍ଚ୍ଚରେ ଉପସ୍ଥିତ ହୋଇଥିଲେ। ଯୀଶୁଙ୍କ ତ୍ୟାଗ ଓ ବଳିଦାନର ଆଦର୍ଶରେ ଅନୁପ୍ରାଣିତ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଚର୍ଚ୍ଚରେ ଏକାଠି ହୋଇ ପ୍ରଭୁ ଯୀଶୁଙ୍କ ସ୍ତୁତିଗାନ କରିଥିଲେ। ବାଇବେଲ୍‌ ପାଠ ସହ ବଡ଼ଦିନର ବାର୍ତା ଗ୍ରହଣ କରିଥିଲେ।

ମଦର ମେରିଙ୍କୁ ମହମବତି ଓ ଶିଶୁ ଯୀଶୁଙ୍କୁ ଗୋଲାପ ଫୁଲ ଅର୍ପିତ

ନୂଆ ଶିଶୁଟିଏ ଜନ୍ମ ହେବା ପରେ ତାକୁ ଦେଖିବା ପାଇଁ ଭିଡ଼ ଜମିବା ପରି ସତ୍ୟନଗରସ୍ଥିତ ‘ଭିନ୍‌ସେଣ୍ଟ କ୍ୟାଥ୍‌ଲିକ୍‌ ଚର୍ଚ’ରେ ମଧ୍ୟ ଯୀଶୁଙ୍କୁ ଶିଶୁ ପ୍ରତିମା ରୂପରେ ଦର୍ଶନ କରି ପାଦ ଚୁମ୍ବନ କରୁଥିଲେ ଶ୍ରଦ୍ଧାଳୁମାନେ। ଚର୍ଚ୍ଚ ପରିସରରେ ଶୋଭା ପାଉଥିବା ଖ୍ରୀଷ୍ଟମାସ ଟ୍ରି ହେଉ ଅବା ଜନ୍ମ ବୃତ୍ତାନ୍ତର ପ୍ରତୀକାତ୍ମମ ମୂର୍ତିଗୁଡ଼ିକ ସମ୍ମୁଖରେ ସେଲ୍‌ଫି ନେବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା। ପ୍ରାରମ୍ଭିକ ଭକ୍ତି ନୃତ୍ୟରେ ଫାଦରଙ୍କୁ ମଣ୍ଡପକୁ ସ୍ୱାଗତ କରିଥିଲେ କଳାକାରବୃନ୍ଦ। ଯୀଶୁଙ୍କ ଶରୀର ଓ ରୁଧିର ଗ୍ରହଣ କରିଥିଲେ ସାଧନାରେ ଥିବା କିଛି ଖ୍ରୀଷ୍ଟ ଉପାସକ। ଚର୍ଚ୍ଚ ସମ୍ମୁଖରେ ମହମବତି ଓ ଗୋଲାପ ଫୁଲର ପସରା ମେଲିଥିଲା। ଯୀଶୁଙ୍କୁ ଜନ୍ମ ଦେଇଥିବା ମଦର ମେରିଙ୍କ ଉଦ୍ଦେଶ୍ୟରେ ମହମବତିଟିଏ ଏବଂ ଶିଶୁ ଯୀଶୁଙ୍କ ଉଦ୍ଦେଶ୍ୟରେ ଗୋଲାପଟିଏ ନେବାକୁ ଭୁଲୁ ନଥିଲେ ଶ୍ରଦ୍ଧାଳୁ। ସକାଳୁ ରାତି ପର୍ଯ୍ୟନ୍ତ ଭିଡ଼ ଲାଗିଥିଲା। ରାଜଧାନୀର ବିଭିନ୍ନ ଚର୍ଚରେ ହଜାର ହଜାର ଲୋକଙ୍କ ସମାଗମ ହେବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ୟୁନିଟ୍‌-୪ସ୍ଥିତ ୟୁନିୟନ୍‌ ଚର୍ଚ୍ଚରେ ସକାଳ ୧୦ଟାରେ ଇଂରାଜୀରେ ଓ ଅପରାହ୍ନ ସାଢ଼େ ୩ଟାରେ ଓଡ଼ିଆରେ ପ୍ରାର୍ଥନା ହେବା ସହ ଫାଦର୍‌ ଯୋଶେଫ୍‌ ଫିଲଡ୍‌ ସମସ୍ତଙ୍କୁ ଈଶ୍ୱରଙ୍କ ବାକ୍ୟରେ ଉଦ୍‌ବୋଧନ ଦେଇଥିଲେ। ଆୟୁବ ଛିଞ୍ଚାଣି ପ୍ରାର୍ଥନାକୁ ଓଡ଼ିଆରେ ଗାନ କରିବା ସହ ବାର୍ତା ବାଣ୍ଟିଥିଲେ।

ସମ୍ବନ୍ଧିତ ଖବର