ରବୀନ୍ଦ୍ର ମଣ୍ଡପରେ ଢୁମ୍ପା ସଙ୍ଗୀତ

ଭୁବନେଶ୍ବର : ଦେବଦାସୀ ଡ୍ୟାନ୍ସ ଏକାଡେମି ଆନୁକୂଲ୍ୟରେ ସମୃଦ୍ଧ ଅତୀତ ଓ ବିଦଗ୍‌ଧ ବର୍ତ୍ତମାନର ମହାମିଳନ ‘ପ୍ରତ୍ୟାବର୍ତ୍ତନ ୨୦୧୮’ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପାରମ୍ପରିକ ‘ଢୁମ୍ପା’ ବାଦ୍ୟ ସଙ୍ଗୀତ ଉପରେ ଆଲୋକପାତ କରାଯିବା ଅବସରରେ ଖଣ୍ଡପଡ଼ା ଗଦାଧର ଢୁମ୍ପା ସଙ୍ଗୀତ ପରିଷଦ ଓ ଦିଗପହଣ୍ଡିର ଶ୍ରୀ ଦଧିବାମନ ଜୀଉ ଢୁମ୍ପା ବାଦ୍ୟ ଅନୁଷ୍ଠାନ ଢୁମ୍ପା ସଙ୍ଗୀତ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଖଣ୍ଡପଡ଼ାର ଢୁମ୍ପା ଗଛର ବକ୍କଳରେ ତିଆରି ହୋଇଥିବା ବେଳେ ଦିଗପହଣ୍ଡିର ଢୁମ୍ପା ବାଉଁଶରେ ତିଆରି। ଏହି କାର୍ଯ୍ୟକ୍ରମରେ ଉଭୟ ଢୁମ୍ପା ବାଦ୍ୟ ସଂଗୀତ ଅନୁଷ୍ଠାନ ପରସ୍ପରର ବାଦ୍ୟ ସଂଗୀତର ଧାରା ଓ ଶୈଳୀକୁ ଜାଣିବାରେ ସୁଯୋଗ ପାଇଥିଲେ। ଏହି ଉତ୍ସବରେ ସଂଗୀତ ବିଦୁଷୀ ଶ୍ୟାମାମଣି ଦେବୀ, ସଂଗୀତ ନାଟକ ଏକା‌ଡେମିର ସଚିବ ବିଜୟ କୁମାର ଜେନା, ସାହିତ୍ୟ ପତ୍ରିକା ‘କାଦମ୍ବିନୀ’ର ସଂପାଦିକା ଇତି ସାମନ୍ତ ଓ ସିନେ ତାରକା ତଥା ଗାୟକ ବାବୁସାନ୍‌ ଅତିଥି ଭାବେ ଯୋଗ ଦେଇ ଢୁମ୍ପା ସଂଗୀତର ଉଭୟ ଅନୁଷ୍ଠାନକୁ ସମ୍ମାନିତ କରିଥିଲେ। ଏହି ଉତ୍ସବରେ ଖଣ୍ଡପଡ଼ା ଗଦାଧର ଢୁମ୍ପା ସଂଗୀତ ପରିଷଦର ସଂପାଦକ ତଥା ଢୁମ୍ପା ସଂଗୀତ ଗବେଷକ କିଶୋର ରଥଙ୍କୁ ସମ୍ବର୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଜୟ ମଲ୍ଲ, ଦେବୀଦତ୍ତ ମହାନ୍ତି ଓ ସୋମା ହୋତା। ବହୁ ସଂଗୀତଜ୍ଞ ସାହିତ୍ୟିକ ତଥା ସଂଗୀତ ‌ପ୍ରେମୀ ଏହି ବିରଳ ବାଦ୍ୟ ସଂଗୀତକୁ ମନଭରି ଉପଭୋଗ କରିଥିଲେ।

ସମ୍ବନ୍ଧିତ ଖବର