କର କ୍ଲିନିକ୍‌ରେ ଡାଏଲିସିସ୍ ଆରମ୍ଭ, ସ୍ୱାସ୍ଥ୍ୟ ବିଭାଗ ଦେଲା ଅନୁମତି

ଭୁବନେଶ୍ବର : ରାଜ୍ୟର ତୃତୀୟ କରୋନା ପଜିଟିଭ୍ ବ୍ୟକ୍ତିଙ୍କ ପାଇଁ ବିବାଦ ଘେରକୁ ଆସିଥିବା କର କ୍ଲିନିକ୍‌ରେ ଶେଷରେ ଡାଏଲିସିସ୍ କରିବା ପାଇଁ ଅନୁମତି ଦେଇଛି ସ୍ବାସ୍ଥ୍ୟ ବିଭାଗ। ଆଜି ଏନେଇ ବିଭାଗ ପକ୍ଷରୁ ଟ୍ବିଟ୍ ଜରିଆରେ ସୂଚନା ଦିଆଯାଇଛି। ଫଳରେ ଡାଏଲିସିସ୍ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ରୋଗୀମାନଙ୍କୁ ଆଶ୍ବସ୍ତି ମିଳିଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ କର କ୍ଲିନିକ୍‌ରେ ସାନିଟାଇଜ୍ କରାଯାଇଛି ଓ କର୍ତୃପକ୍ଷ ଡାଏଲିସିସ୍ ଭଳି ଜରୁରୀ ସେବା ଯୋଗାଇ ଦେଇପାରିବେ। ତେବେ କ୍ଲିନିକ୍‌ର ଯେଉଁ କର୍ମଚାରୀ ତୃତୀୟ କରୋନା ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଆଇସୋଲେସନ୍‌ରେ ରହିବେ। ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି ମାନକ ପରିଚାଳନା ପ୍ରକ୍ରିୟା (ଏସ୍‌ଓପି) ପାଳନ କରିବା ପାଇଁ ବିଭାଗ ପକ୍ଷରୁ କ୍ଲିନିକ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ କର କ୍ଲିନିକ୍‌ରେ ଡାଏଲିସିସ୍ ପରିଚାଳନା କରୁଥିବା ନେଫ୍ରୋ ପ୍ଲସ୍ କମ୍ପାନିର ବରିଷ୍ଠ ଟେକ୍‌ନିସିଆନ୍ ପ୍ରତାପ ବାରିକ କହିଛନ୍ତି, ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଡାଏଲିସିସ୍ କରିବା ପାଇଁ ଅନୁମତି ଦିଆଯାଇଛି। ଅତି ଜରୁରୀ ଥିବା ୨ଜଣ ରୋଗୀଙ୍କର ଆଜିଠାରୁ ଡାଏଲିସିସ୍ ଆରମ୍ଭ ହେବ ବୋଲି ଶ୍ରୀ ବାରିକ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ତୃତୀୟ କରୋନା ସଂକ୍ରମିତ ବ୍ୟକ୍ତି କର କ୍ଲିନିକ୍‌ରେ ପୂର୍ବରୁ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ବିଭାଗ ‌କର କ୍ଲିନିକ୍‌କୁ ଯିବାକୁ ରୋଗୀଙ୍କୁ ବାରଣ କରିଥିଲା। ଏଥିଯୋଗୁଁ ସେଠାରେ ଡାଏଲିସିସ୍ କରୁଥିବା ୫୦ଜଣ ରୋଗୀ ସମସ୍ୟାରେ ପଡ଼ିଥିଲେ। ଏପରିକି ଘରୋଇ ହସ୍ପିଟାଲଗୁଡ଼ିକ ଡାଏଲିସିସ୍ ରୋଗୀମାନଙ୍କୁ କୋଭିଡ୍‌-୧୯ ସଂପର୍କିତ ରିପୋର୍ଟ ଆଣିବା ପାଇଁ କୁହାଯାଇଥିଲା। ଯାହାକୁ ନେଇ ଗତକାଲି ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ଏତେସଂଖ୍ୟକ ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଡାଏଲିସିସ୍ କରିବା ସମ୍ଭବ ନୁହେଁ ବୋଲି ହସ୍ପିଟାଲ କର୍ତୃପକ୍ଷ ରୋକଠୋକ ଶୁଣାଇ ଦେଇଥିଲେ। ତେବେ ୨୪ଜଣ ରୋଗୀଙ୍କ ରକ୍ତ ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ପଠାଇଥିଲେ।

ସମ୍ବନ୍ଧିତ ଖବର