ପୁଲିସ ରିମାଣ୍ଡରେ ଦିବ୍ୟାଭାରତୀ

ବାଲିଅନ୍ତାରେ ୩ ମାମଲା

ବାଲିଅନ୍ତା: ବରିଷ୍ଠ ପୁଲିସ ଅଧିକାରୀଙ୍କ ସଂପର୍କୀୟ ପରିଚୟ ଦେଇ ବିଭିନ୍ନ ଠକେଇ ଘଟଣାରେ ସଂପୃକ୍ତ ତଳଗଡ଼ ଗ୍ରାମର ମହିଳା ଦିବ୍ୟାଭାରତୀ ଜେନା(୩୦)କୁ ବାଲିଅନ୍ତା ପୁଲିସ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ତା’ ନାମରେ କେବଳ ବାଲିଅନ୍ତା ଥାନାରେ ୩ଟି ମାମଲା ରହିଛି। ସେଥିମଧ୍ୟରୁ ୨ଟି ଠକେଇ ଓ ଅନ୍ୟଟି ଗଣ୍ଡଗୋଳ। ଦୁଇ ଦିନ ତଳେ ଦିବ୍ୟା ଭୁବନେଶ୍ୱର ଜେଏମଏଫସି (ଓ) କୋର୍ଟରେ ହାଜର ହୋଇଥିଲା। ଆସନ୍ତାକାଲି ତାକୁ ଆଉ ଦୁଇଟି ମାମଲାରେ ହାଜର କରାଯିବ ବୋଲି ବାଲିଅନ୍ତା ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି। ମାମଲାଦ୍ୱୟ ହେଲା, ବେଣୁପୁର ଗ୍ରାମର ବିନିତା ମହାନ୍ତିଙ୍କ ସ୍ୱାମୀ କିଶୋର ମହାନ୍ତିଙ୍କ ସହ ଫେରାର୍‌ ହେବା ଏବଂ ବିନିତାଙ୍କୁ ହତ୍ୟା ଧମକ ଦେବା ସହ ଟଙ୍କା ମାଗିବା। ୨୦୧୭ ମସିହାରେ ଦିବ୍ୟା ସ୍ଥାନୀୟ ଜୟରଶାସନ ଗ୍ରାମର ମହେଶ୍ୱର ଦାଶଙ୍କୁ ହୋମଗାର୍ଡ ଚାକିରି କରାଇ ଦେବାକୁ କହି ୪୦ ହଜାର ଟଙ୍କା ଠକି ନେଇଥିଲେ। ଏ ସଂକ୍ରାନ୍ତରେ ନମ୍ବର ୨୩୨/୧୭ରେ ମାମଲା ରୁଜୁ ହୋଇଥିଲା। ସେହିପରି ବାଲିଅନ୍ତା ବଜାର ଆରଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟ ନିକଟରେ ନିଜ ଦେଢ଼ଶୁର ବସନ୍ତ ସାହୁଙ୍କୁ ପ୍ରାଣାନ୍ତକ ଆକ୍ରମଣ ଉଦ୍ୟମ କରିବା ନେଇ ତା’ ନାମରେ ମାମଲା ରହିଛି। ସୂଚନାଯୋଗ୍ୟ, ଦିବ୍ୟାକୁ ଗତ ୮ ତାରିଖରେ ଅସ୍ତରଙ୍ଗ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୦ ତାରିଖରେ ତାକୁ ଝାରପଡ଼ା ଜେଲ ହାଜତକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର