ନିଷ୍ପତ୍ତି ବଦଳାଇଲା ଉଚ୍ଚଶିକ୍ଷା ବିଭାଗ: ରମାଦେବୀର ଦ୍ୱିତୀୟ କ୍ୟାମ୍ପସ୍‌ ପାଇଁ ଉତ୍କଳରୁ ଜମି ଦିଆଯିବନି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ତିନି ପ୍ରମୁଖ ଛାତ୍ର ସଂଗଠନ, ପ୍ରଫେସର ଓ କର୍ମର୍ଚାରୀଙ୍କ ମିଳିତ ଲଢ଼େଇ ଆଗରେ ମୁଣ୍ଡ ନୁଆଁଇଛି ଉଚ୍ଚଶିକ୍ଷା ବିଭାଗ। ଉତ୍କଳ ବିଶ୍ୱବିଦ୍ୟାଳୟରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ପ୍ରତିଷ୍ଠା ଲାଗି ପ୍ରସ୍ତାବ ଦେଇଥିବା ଉଚ୍ଚଶିକ୍ଷା ବିଭାଗ ଶେଷରେ ନିଜ ଛେପ ନିଜେ ଢୋକିଛି। ଉତ୍କଳରେ ରମାଦେବୀର କ୍ୟାମ୍ପସ ହେବ ନାହିଁ ବୋଲି ଆଜି ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅନନ୍ତ ଦାସ ବିଧିବଦ୍ଧ ଘୋଷଣା କରିଛନ୍ତି। ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜମି ଚିହ୍ନଟ ଲାଗି ଗଠନ କରାଯାଇଥିବା ୪ ଜଣିଆ କମିଟିରେ ପରିବର୍ତନ କରାଯିବା ସହ ଏହାକୁ ସମ୍ପ୍ରସାରିତ କରାଯାଇଛି। ଉତ୍କଳ କୁଳପତିଙ୍କ ବଦଳରେ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଏବେ ୬ ଜଣିଆ କମିଟି ଗଠିତ ହୋଇଛି। ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିକ ବିକାଶ ପାଇଁ ଦ୍ୱିତୀୟ କ୍ୟାମ୍ପସ୍‌ର ଆବଶ୍ୟକତା ରହିଛି। ହେଲେ କେଉଁଠି ଦ୍ୱିତୀୟ କ୍ୟାମ୍ପସ କରାଯିବ ତାହାର ଜମି ଚିହ୍ନଟ ଲାଗି ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିରେ ୫ ଜଣ ସଦସ୍ୟ ରହିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ସମେତ ବିଭାଗୀୟ ନିର୍ଦେଶକ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି, ଖୋର୍ଧା ଜିଲ୍ଲାପାଳ, ସାଧାରଣ ପ୍ରଶାସନ ବିଭାଗ(ଇଷ୍ଟେଟ୍‌) ନିର୍ଦେଶକ କମିଟିର ସଦସ୍ୟ ରହିଛନ୍ତି। ଏହି କମିଟି ଆସନ୍ତା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଜମି ଚିହ୍ନଟ କରିବାକୁ କୁହାଯାଇଛି। ଆହୁରି କୁହାଯାଇଛି ଯେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବର୍ତମାନ କ୍ୟାମ୍ପସଠାରୁ କମ୍‌ ଦୂରରେ ଥିବା ଅଞ୍ଚଳରେ ଜମି ଚିହ୍ନଟ ହେବ। ଖାଲି ଥିବା ସରକାରୀ ଜମି ଚିହ୍ନଟ କରିବା ଦିଗରେ ପ୍ରାଥମିକତା ଦିଆଯିବ। ୬୦ରୁ ଶହେ ଏକର ପରିମିତ ଜମି ଚିହ୍ନଟ କରିବା ସହ ଛାତ୍ରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି।

କମିଟିର ରିପୋର୍ଟ ଆଧାରରେ ଉଚ୍ଚଶିକ୍ଷା ବିଭାଗ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ସ୍ଥିିର ହୋଇଛି। ୬ ଜଣିଆ କମିଟି ଗଠନ ପରେ ଏବେ ଖୋର୍ଧା ଜିଲ୍ଲା ପ୍ରଶାସନର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି। ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ତମାନ କ୍ୟାମ୍ପସଠାରୁ ୨୦ କି.ମି ଦୂର ଦାସପୁରଠାରେ ୩୦ ଏକର ଜାଗା ଚିହ୍ନଟ କରି ସେଠାରେ ଦ୍ୱିତୀୟ କ୍ୟାମ୍ପସ କରିବାକୁ ରମାଦେବୀ ବିଶ୍ୱବିଦ୍ୟାଳୟକୁ ପ୍ରସ୍ତାବ ଦିଆଯାଇଥିଲା। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ତାହାକୁ ପ୍ରତ୍ୟାଖ୍ୟାନ କରିବା ସହ ବିକଳ୍ପ ଜମି ଯୋଗାଇ ଦେବାକୁ ଚିଠି ଲେଖିଥିଲେ। ଏହାପରେ ୨୦୧୬ ଅଗଷ୍ଟ ମାସରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୋର୍ଧା ଜିଲ୍ଲା ପ୍ରଶାସନକୁ ପୁଣିଥରେ ଚିଠି ଲେଖାଯାଇ କଟକରୁ ଖୋର୍ଧା ସହର ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଜମି ଚିହ୍ନଟ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏପର୍ଯ୍ୟନ୍ତ କାହିଁକି ଜମି ଚିହ୍ନଟ ହୋଇପାରିନି। ଏତେ ଦିନ ହେଲା ଜିଲ୍ଲା ପ୍ରଶାସନ କାହିଁକି ଜମି ଚିହ୍ନଟ କରିପାରିଲା ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିକଳ୍ପ ଜମି ଖୋଜିବାକୁ ବଦଳିଲା କମିଟିର ରୂପରେଖ
ରମାଦେବୀ କୁଳପତିଙ୍କ ଅଧ୍ୟକ୍ଷତାରେ ୬ ଜଣିଆ କମିଟି
ମାର୍ଚ୍ଚ ୧୫ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ

ଗତକାଲିର ନିଷ୍ପତ୍ତି ଆଧାରରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିିିନିଧିଦଳ ଅପରାହ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଦାସଙ୍କୁ ଭେଟିଥିଲେ। ବାଣୀବିହାର ଆଗାମୀ ଦିନରେ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବାକୁ ଯାଉଥିବାରୁ ଜମିର ଆବଶ୍ୟକତା ରହିଥିବା ନେଇ ଅବଗତ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ସମେତ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ, ସିଡିସି ନିର୍ଦେଶକ ପ୍ରଫେସର ସନ୍ତୋଷ ତ୍ରିପାଠୀ, କୁଳସଚିବ ପ୍ରମୁଖ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାମିଲ ହୋଇଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଭାଗୀୟ ଓଏସ୍‌ଡି ବିନୋଦ କୁମାର, ଅତିରିକ୍ତ ସଚିବ ଅକ୍ଷୟ ମହାନ୍ତି, ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର