ତିନି ଦିନ ହେଲା ଅଳିଆ ଉଠୁନି : ଗନ୍ଧେଇଲାଣି ଭୁବନେଶ୍ୱର

ଭୁବନେଶ୍ୱର : ତିନି ଦିନ ହେଲା ରାଜଧାନୀରୁ ଆବର୍ଜନା ଉଠୁନି। ରାଜଧାନୀର ଗଳିକନ୍ଦିରୁ ଆରମ୍ଭ କରି ହାଟ, ବଜାର, ମୁଖ୍ୟ ରାସ୍ତା ସବୁଠି କୁଢ଼କୁଢ଼ ଆବର୍ଜନା ଗଦା ହୋଇଗଲାଣି। ସ୍ଥିତି ଏପରି ହେଲାଣି ଯେ, ବିଭିନ୍ନ ହାଟରେ ଗଦା ହୋଇଥିବା ଆବର୍ଜନାରୁ ପୋକ ବାହାରି ଚାରିଆଡ଼େ ମାଡ଼ି ଗଲେଣି। ରାଜଧାନୀର ଯେକୌଣସି ସ୍ଥାନରେ କିଛି ସମୟ ଛିଡ଼ା ହେଲେ ଦୁର୍ଗନ୍ଧରେ ନାକ ଫାଟି ଯାଉଛି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛନ୍ତି। ରାଜଧାନୀବାସୀଙ୍କୁ ପୁତି ଗନ୍ଧମୟ ପରିବେଶରେ ଛାଡ଼ି ଦିଆଯାଇଛି।

ଏବେ ବିଏମ୍‌ସିର ୬୭ଟି ଓ୍ଵାର୍ଡ ମଧ୍ୟରୁ ୧୦ଟି ଓ୍ଵାର୍ଡକୁ ଛାଡ଼ି ଦେଲେ ବାକି ୫୭ଟି ଓ୍ଵାର୍ଡରେ ଅଳିଆ ଉଠୁନି। ଏହି ୫୭ଟି ଓ୍ଵାର୍ଡର ସଫେଇ ଦାୟିତ୍ୱ ଘରୋଇ ସଂସ୍ଥାକୁ ଦିଆଯାଇଥିବାବେଳେ ଦୁଇ ହଜାରରୁ ଅଧିକ ସଫେଇ କର୍ମଚାରୀ ମଜୁରୀ ବୃଦ୍ଧି ଦାବିରେ କାମ ବନ୍ଦ କରିଦେଇଛନ୍ତି। ଯଦି ତୁରନ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ଦିଆନଯାଏ ତେବେ ଅଳିଆ ଉଠିବନି ବୋଲି ସଫେଇ କର୍ମଚାରୀମାନେ କହିଛନ୍ତି। ଏପଟେ ୫୭ଟି ଓ୍ଵାର୍ଡରେ ସଫେଇ କରୁଥିବା ତିନିଟି ଘରୋଇ ସଂସ୍ଥା କହିଛନ୍ତି ରାଜ୍ୟ ସରକାର ସର୍ବନିମ୍ନ ମଜୁରୀ ଯେତିକି ଧାର୍ଯ୍ୟ କରିଛନ୍ତି ତାହାଠାରୁ ଅଧିକ ଆମେ ଦେଉଛୁ। ୨୦୧୬ ମସିହାରୁ ଆମେ ବର୍ଦ୍ଧିତ ମଜୁରୀ ଦେଉଥିଲେ ହେଁ ଆମର ଏସ୍କାଲେସନ୍‌ ଫି’ ବଢ଼ୁନି। ତେଣୁ ଏବେ ସଫେଇ କର୍ମଚାରୀଙ୍କ ମଜୁରୀ ବଢ଼ାଇବା ସମ୍ଭବ ନୁହେଁ। ସଫେଇ କର୍ମଚାରୀ ଓ ସଫେଇ ସଂସ୍ଥା ମୁହାଁମୁହିଁ ହୋଇଥିବାବେଳେ ବିଏମ୍‌ସି କର୍ତ୍ତୃପକ୍ଷ ଚୁପ୍‌ ହୋଇ ବସି ଯାଇଛନ୍ତି। ଯାହାର ପରିଣାମ ରାଜଧାନୀବାସୀଙ୍କ ଘରୁ ଆବର୍ଜନା ବାହାରୁନି କି ରାସ୍ତାରୁ ଆବର୍ଜନା ଉଠୁନି।

ସ୍ୱର୍ଚ୍ଛ ସର୍ବେକ୍ଷଣ-୨୦୧୮ ଆରମ୍ଭ ହୋଇଯାଇଥିବାବେଳେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଏବେ ବିଏମ୍‌ସି ପାଇଁ ମହଙ୍ଗା ପଡ଼ିବାକୁ ଯାଉଛି। ଯଦି ଏହି ସମୟରେ କେନ୍ଦ୍ରୀୟ ଟିମ୍‌ ସର୍ଭେରେ ଆସିଯାଆନ୍ତି ତେବେ ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତାରେ ଆବର୍ଜନାମୟ ଭୁବନେଶ୍ୱର ସବୁ କିଛି ଓଲଟପାଲଟ କରିପାରେ।

ଏପଟେ ଘରୋଇ ସଫେଇ ସଂସ୍ଥା ଗାଡ଼ି ବିଭିନ୍ନ ହାଟ ଓ ବଜାରରୁ ଆବର୍ଜନା ଉଠାଇବାକୁ ଯାଉଥିବାବେଳେ ଘରୋଇ ସଂସ୍ଥାର ସଫେଇ କର୍ମଚାରୀମାନେ ଏହାକୁ ବିରୋଧ କରୁଛନ୍ତି। ଫଳରେ ଆଜି କୌଣସି ହାଟ କି ବଜାରରୁ ଆବର୍ଜନା ଉଠିପାରିନି। ଏପରିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ବିଏମ୍‌ସି ନିଜସ୍ୱ ସଫେଇ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବାବେଳେ ଘରୋଇ ସଂସ୍ଥାର କର୍ମଚାରୀଙ୍କ ବିରୋଧ ଯୋଗୁଁ କୌଣସି ସଫେଇ କାର୍ଯ୍ୟ ହୋଇପାରିନାହିଁ।

ଅଳିଆ ନ ଉଠିବା ଏବଂ ସଫେଇ କର୍ମଚାରୀଙ୍କ ଦାବି ନେଇ ରାଜଧାନୀରେ ସଫେଇ କରୁଥିବା ଏକ ଘରୋଇ ସଂସ୍ଥାର କହିବା ଅନୁଯାୟୀ, ଆମକୁ ସଫେଇ କର୍ମଚାରୀମାନେ ନିୟମିତ ବ୍ୟବଧାନରେ ଧମକ ଦେଇ କାର୍ଯ୍ୟ ବନ୍ଦ କରୁଛନ୍ତି। କିନ୍ତୁ ବିଏମ୍‌ସି ଚୁପ୍‌ ରହୁଛି। ୨୦୧୬ରେ ଏପରି ସ୍ଥିତି ସୃଷ୍ଟି ହୋଇଥିବାରୁ ଆମେ ଦୈନିକ ମଜୁରୀ ୧୫୦ରୁ ୧୮୦ଟଙ୍କାକୁ ବଢ଼ାଇଥିଲୁ। ସରକାର ଦୈନିକ ସର୍ବନିମ୍ନ ମଜୁରୀ ୨୦୦ଟଙ୍କା ଧାର୍ଯ୍ୟ କରିଥିବାବେଳେ ଆମେ ଇପିଏଫ୍‌ ବାବଦକୁ ଦେୟ କାଟି ୧୮୦ଟଙ୍କା ଦେଉଛୁ। କର୍ମଚାରୀ ଓ କମ୍ପାନିର ଇପିଏଫ୍‌ ଦେୟ ମିଶାଇଲେ ୨୦୦ଟଙ୍କାରୁ ଅଧିକ ହେଉଛି। ଗତ ଦୁଇ ବର୍ଷ ହେଲା କର୍ମଚାରୀଙ୍କୁ ଅଧିକ ମଜୁରୀ ଦେଉଥିଲେ ହେଁ ବିଏମ୍‌ସି ଏସ୍କାଲେସନ୍‌ ଫି’ ବଢ଼ାଉନି। ଏବେବି ପୂର୍ବପରି ଟନ୍‌ ପିଛା ୨୪୮୦ଟଙ୍କା ମିଳୁଛି। ନିୟମ ଅନୁଯାୟୀ ଆମକୁ ଆଉ ଅଧିକ ୩୫୦ଟଙ୍କା ମିଳିବ। କିନ୍ତୁ ବିଏମ୍‌ସି ମେୟର ଓ କମିସନ ମନଇଚ୍ଛା ନିଷ୍ପତ୍ତି ନେଉଥିବାରୁ ଆମେ ଏହି ଅର୍ଥ ପାଇନୁ।

ଏନେଇ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଅଳିଆ କିପରି ଶୀଘ୍ର ଉଠିବ ସେନେଇ ପଦକ୍ଷେପ ନିଆଯାଉଛି। ଖୁବ୍‌ ଶୀଘ୍ର ଏହାର ସମାଧାନ କରାଯିବ।

ସମ୍ବନ୍ଧିତ ଖବର