ନବୀନ ନିବାସ ଆଗରେ ଦିବ୍ୟାଙ୍ଗଙ୍କ ଆତ୍ମାହୁତି ଉଦ୍ୟମ : ‌ଟେକିନେଲା ଏୟାରପୋର୍ଟ ଥାନା ପୁଲିସ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ର ତ୍ରୁଟି ଯୋଗୁଁ ଦୀର୍ଘ ୧୧ ବର୍ଷ ଧରି ପ୍ରମାଣପତ୍ର ପାଇବାରୁ ବଞ୍ଚିତ ଜଣେ ଦିବ୍ୟାଙ୍ଗ ଛାତ୍ର ଆଜି ନବୀନ ନିବାସ ସମ୍ମୁଖ‌ରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଛନ୍ତି। ଛାତ୍ରଜଣଙ୍କ ହେଲେ, ମାହାଙ୍ଗା ମଧୁପୁରର ରବୀନ୍ଦ୍ର କୁମାର ଦାଶ। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ସେ ନବୀନ ନିବାସ ସମ୍ମୁଖରେ ପହଞ୍ଚି ଆତ୍ମାହୁତି ଦେବାକୁ ଚେଷ୍ଟା କରୁଥିବାବେଳେ ଏୟାରପୋର୍ଟ ଥାନା ପୁଲିସ ତାଙ୍କୁ କାବୁ କରି ନେଇଥିଲା। ଅପରପକ୍ଷେ ତାଙ୍କ ଅଭିଯୋଗପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବା ସହ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା କରାଯାଉଥିବା ନେଇ ପ୍ରତିଶ୍ରୁତି ମିଳିଛି।

ସୂଚନା ମୁତାବକ, ୨୦୦୮ ମସିହାରେ ସେ ରେଭେନ୍‌ସା କଲେଜ୍‌ରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ। ୪ର୍ଥ ବିଷୟ ଭାବରେ ତାଙ୍କୁ ସଂସ୍କୃତ ମିଳିଥିଲା। କିନ୍ତୁ ପରେ କଲେଜ୍‌ର ବିଜ୍ଞପ୍ତି ବଳରେ ସେ ଏହି ବିଷୟକୁ ଏଜୁକେସନ୍‌କୁ ପରିବର୍ତ୍ତନ କରିଥିଲେ। ଏହି ପରିବର୍ତ୍ତନକୁ ଆଧାର କରି ସେ ଏଜୁକେସନ୍‌ ବିଷୟ ସହ ଅନ୍ୟ ବିଷୟ ପରୀକ୍ଷା ଦେଇଥିଲେ। କିନ୍ତୁ ତାଙ୍କ ପରୀକ୍ଷାଫଳ ପ୍ରକାଶ ପାଇନଥିଲା। ୪ର୍ଥ ବିଷୟ ସଂସ୍କୃତ ପରୀକ୍ଷାରେ ସେ ଅନୁପସ୍ଥିତ ଥିବାରୁ ତାଙ୍କର ଫଳ ପ୍ରକାଶ ପାଇନଥିବା ସିଏଚ୍‌ଏସ୍‌ଇ କହିଥିଲା। କଲେଜର ନିୟମାବଳୀ ଆଧାରରେ ସେ ଏହି ବିଷୟକୁ ପରିବର୍ତ୍ତନ କରିଥିଲେ ମଧ୍ୟ ତାହା କିଭଳି ସିଏଚ୍‌ଏସ୍‌ଇକୁ ଗଲା ନାହିଁ, ସେ ନେଇ ଚକିତ ହେବା ସହ ହାଇକୋର୍ଟ ଓ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ। ବିଷୟ ପରିବର୍ତ୍ତନ ନେଇ ଛାତ୍ରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ପ୍ରକ୍ରିୟାରେ ତ୍ରୁଟି ନଥିବାରୁ ଛାତ୍ରଙ୍କର ବିଜୟ ହୋଇଥିଲା। ତୁରନ୍ତ ତାଙ୍କର ଫଳ ପ୍ରକାଶ କରିବା ପାଇଁ ହାଇକୋର୍ଟ ଆଦେଶ ଦେଇଥିବା ବେଳେ ୧ ଲକ୍ଷ ୨ ହଜାର ଟଙ୍କା କ୍ଷତିପୂରଣ ରାଶି ଛାତ୍ରଙ୍କୁ ପ୍ରଦାନ କରିବାକୁ ଖାଉଟି ଅଦାଲତ ଆଦେଶ ଦେଇଥିଲେ। ହେଲେ ଦୁଇ ଅଦାଲତର ଆଦେଶ ପାଳନ ହୋଇନଥିଲା। ଫଳରେ ଛାତ୍ର ବିଭିନ୍ନ ସମୟରେ ମାହାଙ୍ଗାରୁ ଭୁବନେଶ୍ବର ଦଉଡ଼ି ଦଉଡ଼ି ହତାଶ ହୋଇଥିଲେ। ପ୍ରମାଣପତ୍ର ଅଭାବରୁ ଉଚ୍ଚଶିକ୍ଷା କିମ୍ବା କୌଣସି ବ୍ୟବସାୟ ପାଇଁ ପନ୍ଥା ଗ୍ରହଣ କରିପାରୁନଥିଲେ। ସବୁଆଡ଼ୁ ନିରାଶ ହେବା ପରେ ଆଜି ସେ ନବୀନ ନିବାସ ଆଗ‌ରେ ଆତ୍ମାହୁତି ଦେବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର