ମୁକ୍ତ ଚିନ୍ତନ ମଞ୍ଚ ପକ୍ଷରୁ ଆଲୋଚନାଚକ୍ର : ଏବେ ବି ମହିଳାମାନେ ଅସୁରକ୍ଷିତ

ଭୁବନେଶ୍ୱର : ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ମହିଳାଙ୍କ ସୁରକ୍ଷା ଏକ ଆଲୋଚନାର ପ୍ରସଙ୍ଗ ହୋଇ ରହିଛି। କାରଣ ଆଜି ବି ସମାଜରେ ମହିଳାମାନେ ସୁରକ୍ଷିତ ନୁହନ୍ତି। ରାସ୍ତାଘାଟଠାରୁ ଆରମ୍ଭ କରି ନିଜ ଘରେ ମଧ୍ୟ ଝିଅଟି ଆଜି ଅସୁରକ୍ଷିତ ହୋଇପଡ଼ିଛି। ସ୍କୁଲ ପରି ଏକ ପବିତ୍ର ସ୍ଥାନରେ ମଧ୍ୟ ଛାତ୍ରୀଟି ଦୁଷ୍କର୍ମର ଶିକାର ହେଉଛି। ଖୋଦ୍‌ ଶିକ୍ଷକମାନେ ଏମିତି ଅମାନବିକ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି। ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନର ମିଳିତ ଆନୁକୂଲ୍ୟରେ ଭାରତୀୟ ବିଦ୍ୟାଭବନ ସଭାଗୃହରେ ଆଜି ‘ନାରୀ ସୁରକ୍ଷା ଏକ ଆହ୍ଵାନ’ ଶୀର୍ଷକ ଏକ ଆଲୋଚନାଚକ୍ରରେ ଯୋଗ ଦେଇ ଅତିଥିମାନେ ଏପରି ମତପ୍ରକାଶ କରିଛନ୍ତି।

ସାମାଜିକ ବିକାଶ ପରିଷଦର ଅଧ୍ୟକ୍ଷା ଶୁଭଶ୍ରୀ ଦାସ ଓ ଏସ୍‌ବିଆଇର ପୂର୍ବତନ ଅଧିକାରୀ ତୁଷାରକାନ୍ତ ଶତପଥୀ ଏଥିରେ ଅତିଥି ଭାବେ ଯୋଗ ଦେଇ କହିଥିଲେ, ସ୍ୱାଧୀନ ଭାରତରେ ଉଭୟ ମା’ ଓ ଶିଶୁ ଅସୁରକ୍ଷିତ। ଆମେ ଏମିତି ଏକ ସମାଜରେ ଜୀବନ ଯାପନ କରୁଛେ ବୋଲି ଭାବିଲେ ଡର ଲାଗୁଛି। ଏବେ ସବଳ ଦୁର୍ବଳ ଉପରେ ଅତ୍ୟାଚାର କରୁଛି। ଏଠି ପୁରୁଷମାନେ ସବଳ ହୋଇଥିବାରୁ ଦୁର୍ବଳା ନାରୀମାନଙ୍କ ଉପରେ ଅତ୍ୟାଚାର କରିଚାଲିଛନ୍ତି। ଏହା ତୁରନ୍ତ ବନ୍ଦ ହେବା ଆବଶ୍ୟକ। ନଚେତ ସ୍ୱାଧୀନତାର କୌଣସି ମୂଲ୍ୟ ରହିବ ନାହିଁ।

ସଭା ପ୍ରାରମ୍ଭରେ ଦାମୋଦର ସେନାପତି, ନୀଳକଣ୍ଠ ପଟ୍ଟନାୟକ ଓ ଅମିତାପ୍ରଭା ସ୍ୱାଇଁ ଜଗନ୍ନାଥଙ୍କ ଭଜନ ଗାଇଥିଲେ। ମୁକ୍ତ ଚିନ୍ତନ ମଞ୍ଚର ସଭାପତି ସାତକଡ଼ି ହୋତାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଏହାର ସମ୍ପାଦକ ପୀତବାସ ରାଉତରାୟ ସ୍ୱାଗତ ଭାଷଣ ଦେଇଥିଲେ। ମୁକ୍ତ ଚିନ୍ତନ ମଞ୍ଚର ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର