ମାନୁ ନାହାନ୍ତି କୋଭିଡ୍‌ କଟକଣା : କଠୋର କାର୍ଯ୍ୟାନୁଷ୍ଠାନ ହେବ

କମିସନରେଟ୍‌ ପୁଲିସର ବ୍ୟାପକ ସଚେତନତା ଅଭିଯାନ

ଭୁବନେଶ୍ୱର : କେହି ମାନୁ ନାହାନ୍ତି ତାଲାବନ୍ଦ କଟକଣା। ସାମାଜିକ ଦୂରତ୍ବ କଟକଣା ବି ଚୁଲିକୁ ଗଲାଣି। ସୁଯୋଗ ପାଇବା ମାତ୍ରେ ଏକାଠି ହୋଇ ଚା’ ପିଉଛନ୍ତି। ଗାଡ଼ି ଉପରେ ବସି ଖଟି କରୁଛନ୍ତି। ମାସ୍କ ପିନ୍ଧୁ ନାହାନ୍ତି। ମାସ୍କ ପିନ୍ଧିଲେ ବି କେତେବେଳେ ନାକ ତ ଆଉ କେତେବେଳେ ପାଟି ଖୋଲା ରହୁଛି। ସବୁ ଜାଗାରେ ବୁଲି ଏ ସବୁକୁ ଜଗିବା ପାଇଁ ପୁଲିସ ମଧ୍ୟ ନାହାନ୍ତି। ତଥାପି ଆଗକୁ ଏହି କଟକଣା ସବୁକୁ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ପୁଲିସ କମସନର ସୁଧାଂଶୁ ଷଡ଼ଙ୍ଗୀ। ଆଜି ଏଥିପାଇଁ ବିଭିନ୍ନ ଜାଗାରେ ସଚେତନତା ସୃଷ୍ଟି କରାଯାଇଛି। ମାସ୍କ ନ ପିନ୍ଧିଲେ ଆଉ କ୍ଷମା ନାହିଁ କି ସାମାଜିକ ଦୂରତ୍ବ ନ ଥିଲେ ଆଉ ନିସ୍ତାର ମିଳିବ ନାହିଁ। ଏଭଳି କଠୋର ହୋଇଛି କମିସନରେଟ ପୁଲିସ। ଏହି ଉଲ୍ଲଂଘନକୁ ନେଇ ପୂର୍ବରୁ ଦିନକୁ ୫୦୦ରୁ ୬୦୦ ଟଙ୍କା ଫାଇନ କଟା ଯାଉଥିଲା। ଏଣିକି ଏହି ଧରପଗଡ଼ ଜୋରଦାର ହେବା ସହ ଫାଇନ୍‌ ଆଦାୟ କରାଯିବା ପାଇଁ ଯୋଜନା ହୋଇଛି। ରାସ୍ତାଘାଟ କିମ୍ବା ଗାଡ଼ିରେ ଯେଉଁଠି ସାମାଜିକ ଦୂରତା ନାହିଁ ସେହି ସ୍ଥାନରେ ହିଁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଏହାକୁ ନେଇ ଆଜି ବାପୁଜୀନଗର, ଖଣ୍ଡଗିରି, ଲକ୍ଷ୍ମୀସାଗର, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଅଞ୍ଚଳରେ କମିସନରେଟ ପୁଲିସ ମାଇକ୍‌ ଜରିଆରେ ସଚେତନତା ସୃଷ୍ଟି କରିଛି।

ପୂର୍ବରୁ ଅନେକ ଘୋଷଣା ରହିଛି। ଗ୍ରାହକ ବିନା ମାସ୍କରେ ଧରାପଡ଼ିଲେ ଦୋକାନୀ ତଣ୍ଡ ଗଣିବେ। ହେଲେ ଏଭଳି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଯେଉଁଥି ପାଇଁ ଲୋକମାନେ ଭିଡ଼ କରୁଛନ୍ତି ଓ ବିନା ମାସ୍କରେ ମଧ୍ୟ ଜିନିଷ କିଣୁଥିବା ଦେଖାଯାଇଛି। ଦୋକାନୀ ନିଜ ଲୋକ ରଖି ସାମାଜିକ ଦୂରତ୍ବ ନିୟମ କଡ଼ାକଡ଼ି କରିବାର ନିୟମ ରହିଛି, ହେଲେ ଏଭଳି କେଉଁଠାରେ ହେବା ଦେଖାଯାଉ ନାହିଁ।

ସମ୍ବନ୍ଧିତ ଖବର