ଅନନ୍ତଙ୍କ ପ୍ରାର୍ଥିପତ୍ରକୁ ନେଇ ବିବାଦ

ଅଭିଯୋଗ ଆଣିଲା ବିଜେପି, ଆଜି ହେବ ଶୁଣାଣି, ୨ ତାରିଖରେ ଇସ୍ତଫା ଦେଇସାରିଛି: ଅନନ୍ତ

ଭୁବନେଶ୍ବର : ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପ୍ରା‌ର୍ଥିପତ୍ରକୁ ନେଇ ବିବାଦ ଦେଖାଦେଇଛି। ସେ ବିଡିଏର ଅଧ୍ୟକ୍ଷ ଥିଲେ ମଧ୍ୟ ପ୍ରାର୍ଥିପତ୍ରରେ ଅଫିସ୍‌ ଅଫ୍ ପ୍ରଫିଟ୍‌ରେ ନ ଥିବା ଦର୍ଶାଇଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି। ଏହା ଉପରେ ଶୁଣାଣି କରିବା ପାଇଁ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ତାଙ୍କ ସମର୍ଥକମାନେ ଆଜି ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର୍‌ଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ। ଆସନ୍ତାକାଲି ଏହି ଅଭିଯୋଗ ଉପରେ ଶୁଣାଣି ହେବ ବୋଲି ରିଟର୍ଣ୍ଣିଂ ଅଫିସର୍ ଜଣାଇଲା ପରେ ଧାରଣା ହଟିଥିଲା।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ ଥିଲା। ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର୍‌ଙ୍କ କାର୍ଯ୍ୟାଳୟରେ ମଧ୍ୟ ଓ ଉତ୍ତର ନିର୍ବାଚନମଣ୍ଡଳୀର ପ୍ରାର୍ଥିପତ୍ରଗୁଡ଼ିକ ଯାଞ୍ଚ ହୋଇଥିଲା। ମଧ୍ୟରେ ୧୪ ଜଣ ଓ ଉତ୍ତରରେ ୧୭ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଥିଲା। ତେବେ ମଧ୍ୟରୁ ପ୍ରାର୍ଥୀ ହୋଇଥିବା ବିଜେଡିର ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥିପତ୍ର ଉପରେ ବିଜେପି ଆପତ୍ତି ଉଠାଇଥିଲା। ବିଜେପିର ଅଭିଯୋଗ ଥିଲା, ଶ୍ରୀ ଜେନା ଗତ ୭ ତାରିଖରେ ବିଡିଏ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେଠାରୁ ଇସ୍ତଫା ନ ଦେଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଡିଏ ଅଧ୍ୟକ୍ଷ ପଦବି ଅଫିସ୍ ଅଫ୍ ପ୍ରଫିଟ୍ ଅନ୍ତର୍ଭୁକ୍ତ ଅଟେ। ତେଣୁ ତାଙ୍କ ପ୍ରାର୍ଥିପତ୍ର ନାକଚ କରିବାକୁ ବିଜେପି ଦାବି କରିଥିଲା। ଏହା ସହ ଶ୍ରୀ ଜେନା ତାଙ୍କ ନାମରେ ଥିବା ଆପରାଧିକ ମାମଲାକୁ ନ ଦର୍ଶାଇ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା।

ନିଜେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ରାଜ୍ୟ ଉପସଭାପତି ସମୀର ମହାନ୍ତି ଓକିଲଙ୍କ ସହ ସେଠାକୁ ଯାଇ ଲିଖିତ ଅଭିଯୋଗ ଦେଇଥିଲେ। ତେବେ ଅଭିଯୋଗକାରୀ ନିଜ ଅଭିଯୋଗ ଉପରେ ପାଲଟା ସତ୍ୟପାଠ ଦେବାକୁ ରିଟର୍ଣ୍ଣିଂ ଅଫିସର୍ କହିଥିଲେ। କିନ୍ତୁ ଏହାକୁ ଶ୍ରୀ ପ୍ରଧାନ ବିରୋଧ କରିଥିଲେ। ଅଭିଯୋଗର ଶୁଣାଣି ନ କରି କାହିଁକି ପାଲଟା ସତ୍ୟପାଠ ଦାଖଲ କରାଯିବ ବୋଲି ସେମାନେ ଯୁକ୍ତି ବାଢ଼ିଥିଲେ। ଏହାକୁ ନେଇ ସେଠାରେ ବିବାଦ ସୃଷ୍ଟି ହୋଇଥିଲା।

ଅପରାହ୍‌ଣରେ ଶ୍ରୀ ପ୍ରଧାନଙ୍କ ବହୁ ସମର୍ଥକ ସେଠାରେ ପହଞ୍ଚିଥିଲେ। ବିଜେପିର ଅଭିଯୋଗ ଉପରେ ପଦକ୍ଷେପ ନେବା ପାଇଁ ସେମାନେ ଦାବି କରିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ। ଅଭିଯୋଗର ଶୁଣାଣି ହେବ ବୋଲି ଲିଖିତ ଭାବେ ଜଣାଇବାକୁ ସେମାନେ ଦାବି କରିଥିଲେ। ଏହା ପରେ ‌ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ଅଭିଯୋଗ ଉପରେ ଶୁଣାଣି ହେବ ବୋଲି ରିଟର୍ଣ୍ଣିଂ ଅଫିସର୍‌ ଲିଖିତ ଭାବେ ଶ୍ରୀ ପ୍ରଧାନଙ୍କୁ ଜଣାଇଥିଲେ। ତାହା ପରେ ବିଜେପି କର୍ମୀମାନେ ଧାରଣାରୁ ଉଠିଥିଲେ।

ଅପର ପକ୍ଷରେ ଶ୍ରୀ ଜେନା କହିଛନ୍ତି, ଗତ ୨ ତାରିଖରେ ବିଡିଏ ଅଧ୍ୟକ୍ଷ ପଦରୁ ମୁଁ ଇସ୍ତଫା ଦେଇସାରିଛି। ମୋ ଇସ୍ତଫାପତ୍ରକୁ ମଧ୍ୟ ସରକାର ଗ୍ରହଣ କରିଛନ୍ତି। ମୋ ନାମରେ କୌଣସି ଆପରାଧିକ ମାମଲା ନାହିଁ। ସତ୍ୟପାଠରେ ଯାହା ଦର୍ଶାଯାଇଛି, ତାହା ସମ୍ପୂର୍ଣ୍ଣ ସତ୍ୟ ଆଧାରିତ।

ସମ୍ବନ୍ଧିତ ଖବର