ସନ୍ଧ୍ୟାରୁ ମଦୁଆଙ୍କ କବ୍‌ଜାରେ ଡିଷ୍ଟ୍ରିକ୍ଟ୍‌ ସେଣ୍ଟର୍‌

ଚନ୍ଦ୍ରଶେଖରପୁର : ଆଗରେ ମନ୍ଦିର। ମାତ୍ର ୧୦ କି ୨୦ ମିଟର ଦୂରତାରେ ରହିଛି ଦୁଇ ଦୁଇଟି ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଓ ଛାତ୍ରୀ ନିବାସ। ଏହାସହ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଓ ଜନବସତି। ମାତ୍ର ସରକାରଙ୍କ ରାଜସ୍ୱ ଆଦାୟ ନିଶା କାରଣରୁ ଏଭଳି ଏକ ଜନବସତିପୂର୍ଣ୍ଣ ସ୍ଥାନରେ ବି ବାର୍‌ ଓ ପବ୍‌କୁ ଅନୁମତି ମିଳିଛି। ଆଉ ମଧ୍ୟରାତ୍ରି ପର୍ଯ୍ୟନ୍ତ ମଦ୍ୟପ ଆସର ଓ ଗଣ୍ଡଗୋଳ ନିତିଦିନିଆ ଘଟଣା ହୋଇଛି। ଅଭିଯୋଗ କରି କରି ଥକି ଗଲେଣି, ମାତ୍ର ଫଳ ଶୂନ। ଏଭଳି ବିଚିତ୍ର ଘଟଣାର ସ୍ଥାନ ହେଲା ଚନ୍ଦ୍ରଶେଖରପୁରସ୍ଥିତ ଡିଷ୍ଟ୍ରିକ୍ଟ ସେଣ୍ଟର। ୧୯୯୩ ମସିହାରେ ଆରମ୍ଭ ହୋଇଥିବା ସ୍କିମ୍‌ ଅନୁସାରେ ଡିଷ୍ଟ୍ରିକ୍ଟ ସେଣ୍ଟର ବା ଜିଲ୍ଲା କେନ୍ଦ୍ରର ଶୁଭାରମ୍ଭ କରାଯାଇଥିଲା। ୨୦୦୨ ମସିହାରୁ ଏଠାରେ ଲୋକମାନେ ରହିବା ଆରମ୍ଭ କରିଛନ୍ତି। ବର୍ତମାନ ଏହି ଅଞ୍ଚଳରେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ସହିତ ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ରହିଛି। ଯେଉଁଥିପାଇଁ ଏହି ସ୍ଥାନ ସର୍ବଦା ଜନପୂର୍ଣ୍ଣ ରହିଥାଏ। ମାତ୍ର ଏପରି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଏକ ବାର୍‌ କମ୍‌ ପବ୍‌ ଚଲେଇବା ପାଇଁ ଅନୁମତି ଦେବା ନିହାତି ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। କାରଣ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ଏହି ବାର୍‌ କାରଣରୁ ଦୈନିକ କିଛି ନା କିଛି ବିଶୃଙ୍ଖଳା ହୋଇଥାଏ। ସେହିପରି ପବ୍‌ରେ ଉଚ୍ଚସ୍ୱରରେ ବାଜୁଥିବା ଗୀତ କାରଣରୁ ପାଖରେ ଥିବା ହଷ୍ଟେଲ ଛାତ୍ରୀମାନେ ହଇରାଣ ହୋଇଥାଆନ୍ତି। ନିକଟରେ ବାର୍‌ ଆଗରେ ନିଶାରେ ଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଗୋଷ୍ଠୀସଂଘର୍ଷ ରୂପ ନେଇଥିଲା। ମାତ୍ର ପୁଲିସ୍‌ କି ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି। ସେହିପରି ଏହି ଅଞ୍ଚଳରେ ଥିବା ଆଉ ଏକ ଠିପିବନ୍ଦ ମଦ ଦୋକାନ ମଧ୍ୟ ପାଲଟି ଯାଇଛି ଏକ ଅଘୋଷିତ ବାର୍‌। ବ୍ୟବସାୟ ପାଇଁ ଅନୁମତି ନଥିବା ଏକ ଘରେ ଚାଲୁଥିବା ଏହି ମଦ ଦୋକାନ ସାମ୍ନାରେ ଦିନ ଦ୍ୱିପ୍ରହରରେ ମଧ୍ୟ ଖୁଲମ୍‌ଖୁଲା ମଦର ଆସର ଜମୁଛି। ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନାହିଁ। ସରକାରୀ ନିୟମର ଦ୍ୱାହି ଦେଇ ପବ୍‌ ଚାଲୁଥିଲେ ସୁଦ୍ଧା କିପରି ନିୟମର ଖୋଲା ଉଲ୍ଲଂଘନ ହେଉଛି, ତାହା କେବଳ ସ୍ଥାନୀୟ ବାସିନ୍ଦା ହିଁ ଭୋଗୁଛନ୍ତି। ଠିପିବନ୍ଦ ମଦ ଦୋକାନ ହେଉ ଅବା ବାର୍‌, ସାଧାରଣ ଜନଜୀବନକୁ ପ୍ରଭାବିତ କରିବାର ଅଧିକାର କାହାର ନାହିଁ। ତେଣୁ ଏପରି ବେଆଇନ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ସମ୍ବନ୍ଧିତ ଖବର