‘ଡିଭାଇନ୍ ଟ୍ୟାଲେଣ୍ଟ୍ ହଣ୍ଟ୍-୨୦୧୯’ ‌ଯୋଗଦେଲେ ୫୦୦ ପ୍ରତିଯୋଗୀ

ଭୁବନେଶ୍ୱର: ‘ଡିଭାଇନ୍ ଡ୍ୟାନ୍ସ ଓ ମ୍ୟୁଜିକ୍ ଏକାଡେମି’ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ‘ଡିଭାଇନ୍ ଟ୍ୟାଲେଣ୍ଟ୍‌ ହଣ୍ଟ- ୨୦୧୯’ ଆଜି ଭଞ୍ଜ କଳାମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ନର୍ସରିଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫୦୦ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ରାଉରକେଲା, ଅନୁଗୁଳ, ଝାରସୁଗୁଡ଼ା, ଚଣ୍ଡିଖୋଲ, ସମ୍ବଲପୁର, ବରଗଡ଼, ପୁରୀ, ଖୋର୍ଦ୍ଧା, ବ୍ରହ୍ମପୁର, କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଏହି ପ୍ରତିଯୋଗୀମାନେ ଆସିଥିଲେ। ସେମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ରାଇମ୍‌ସ୍‌, ସାଧାରଣ ଜ୍ଞାନ, ପ୍ରବନ୍ଧ ରଚନା, ଲଘୁ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ଆଧୁନିକ ନୃତ୍ୟ ଓ ଫ୍ୟାସନ୍ ସୋ’ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତାରେ ନୃତ୍ୟଗୁରୁ ପୁଷ୍ପିତା ମିଶ୍ର ଓ ମିସ୍ ଲେସ୍‌ଲି ବିଚାରକ ଭାବେ ଯୋଗ ଦେଇଥିଲେ। ସେହିପରି ଆଧୁନିକ ନୃତ୍ୟରେ ଜାତୀୟ ଖ୍ୟାତିସମ୍ପନ୍ନ ନୃତ୍ୟଗୁରୁ ଓ ନୃତ୍ୟ ସଂଯୋଜକ କବୀର, ମଦନ, ଆର୍ଯ୍ୟନ୍‌, ରାଜେଶ, ଶାଳିନୀ ଓ ପପର୍ ଉମା ବିଚାରକ ଆସନ ଅଳଙ୍କୃତ କରିଥିଲେ। ଫେସନ୍ ସୋ’ ପ୍ରତିଯୋଗିତାରେ ମିସେସ୍ ଇଣ୍ଡିଆ ଗ୍ଲୋବାଲ୍ ପୁପୁଲ ଭୂୟାଁ ଓ ଲିପ୍ସା ପଣ୍ଡା ବିଚାରକ ଦାୟିତ୍ୱ ତୁଲାଇଥିଲେ।

ଏହି ପ୍ରତିଯୋଗିତାର ଫଳାଫଳ ଆସନ୍ତା ଏପ୍ରିଲ ୪ ତାରିଖ ଦିନ ଅନୁଷ୍ଠାନର ୱେବ୍‌ସାଇଟ୍ www.divinedance.co.in ରେ ପ୍ରକାଶ ପାଇବ। କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ୬ ତାରିଖ ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହେବାକୁ ଥିବା ଅନୁଷ୍ଠାନର ୧୯ ତମ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦିଆଯଇଛି। ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରିକା ଦାଶ ଓ ‘ଡିଭାଇନ୍ ଟ୍ରଷ୍ଟ ଫର୍ ଭିଜନ୍ ଆଣ୍ଡ୍ ଭାଲ୍ୟୁଜ୍‌ର’ ମ୍ୟାନେଜିଂ ଟ୍ରଷ୍ଟି ବିଜୟ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୋଷ କୁମାର ଦାଶ, ମନୋଜ ମହାପାତ୍ର, ମୁନା ପଟ୍ଟନାୟକ, ତପନ କୁମାର ସାହୁ, ଭାରତୀ ମହାପାତ୍ର, ନିର୍ଲିପ୍ତା ମହାପାତ୍ର ଓ ଉପାଲି ଅପରାଜିତା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର