ଡା. ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ ହସ୍ପିଟାଲ: ମିନି ଫାର୍ମାସିରେ ପ୍ରସ୍ତୁତ ହେବ ୧୩୪ ପ୍ରକାର ଔଷଧ

ଭୁବନେଶ୍ବର: ଡା. ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ମିନି ଫାର୍ମାସି କାର୍ଯ୍ୟ କରିବା ଆରମ୍ଭ ହୋଇଛି। ଚଳିତବର୍ଷ ଏଥିରେ ୨୦ଟି ଲେଖାଏ ମଦର ଟିଙ୍କଚର ଓ ପୋଟେନ୍ସି ଔଷଧ ପ୍ରସ୍ତୁତ ହେବା ଲାଗି ଲକ୍ଷ୍ୟ ରଖାଯାଇଛି। ସମୁଦାୟ ୧୩୪ ପ୍ରକାର ଔଷଧ ମିନି ଫାର୍ମାସିରେ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି। ଦୀର୍ଘ ୧୦ବର୍ଷ ଧରି ମିନି ଫାର୍ମାସି ନିର୍ମାଣ ହୋଇଥିଲେ ହେଁ ତାହା କାର୍ଯ୍ୟକ୍ଷମ ହୋଇପାରି ନ ଥିଲା। ଆବଶ୍ୟକ ଯନ୍ତ୍ରପାତିର ଅଭାବ ସହିତ ବିଦ୍ୟୁତ୍‌ ସଂଯୋଗ ନ ହେବା କାରଣରୁ ଏଭଳି ପରିସ୍ଥିତି ଦେଖା ଦେଇଥିଲା। ତେବେ ନିକଟରେ ଏହାର ଉଦ୍‌ଘାଟନ ହେବା ସହିତ ଔଷଧ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଛି। ମେଡିକାଲ କଲେଜରେ ପୂର୍ବରୁ ମାନୁଆଲ ଏହା ପ୍ରସ୍ତୁତ ହେଉଥିବା ବେଳେ ଏବେ ଯନ୍ତ୍ରପାତି ସହାୟତାରେ ଔଷଧ ପ୍ରସ୍ତୁତ କରାଯିବ। ଏଠାରୁ ରାଜ୍ୟରେ ୧୩ଟି ଡିଏଚ୍‌ଏମ୍‌ଓ ଓ ୪ଟି ସରକାରୀ ହୋମିଓପ୍ୟାଥିକ କଲେଜରୁ ଅଭିନ୍ନ ଚନ୍ଦ୍ରରୁ ଔଷଧ ଯୋଗାଣ କରାଯାଉଛି। ଚଳିତବର୍ଷ ୫୭ଲକ୍ଷ ଟଙ୍କାର ଔଷଧ ପ୍ରସ୍ତୁତ ହେବ ବୋଲି କଲେଜ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମିନି ଫାର୍ମାସିରେ ଔଷଧ ପ୍ରସ୍ତୁତି ଆରମ୍ଭ ହୋଇଥିଲେ ହେଁ, ଏ ପର୍ଯ୍ୟନ୍ତ ଆବଶ୍ୟକ କର୍ମଚାରୀ ନିଯୁକ୍ତ ହୋଇପାରି ନାହାନ୍ତି। ମିନି ଫାର୍ମାସି ପାଇଁ ଜଣେ ଲେଖାଏ ମେସିନ୍ ଅପରେଟର, ଇଲେକ୍ଟ୍ରିସିଆନ୍, ଲାବୋରେଟାରି ଆସିଷ୍ଟାଣ୍ଟ, ସୁଇପର ଓ ସୁରକ୍ଷା କର୍ମୀ ନିଯୁକ୍ତି ହେବାର ଯୋଜନା ରହିଛି। ଏଥିପାଇଁ ଟେଣ୍ଡର କରାଯିବା ସହିତ ବୈଷୟିକ କମିଟି ଗଠନ କରାଯାଇଛି। ନିର୍ବାଚନ ଆଚରଣ ସଂହିତା ଲାଗୁ ହୋଇଥିବାରୁ ଟେଣ୍ଡର ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରୁ ନ ଥିବା କହିଛନ୍ତି କଲେଜର ଅଧ୍ୟକ୍ଷ ଡା. ସୁଧୀର କୁମାର ଦାଶ। ଏବେ ମିନି ଫାର୍ମାସିରେ ୧୧ଜଣ କର୍ମଚାରୀଙ୍କ ସହିତ ୩ଜଣ ମେଡିକାଲ ଅଧିକାରୀ ରହିଛନ୍ତି। ନୂତନ କର୍ମଚାରୀ ନିଯୁକ୍ତ ହେବା ପରେ ଔଷଧ ପ୍ରସ୍ତୁତି କାର୍ଯ୍ୟ ଆହୁରି ତ୍ବରାନ୍ବିତ ହେବ। ପରବର୍ତୀ ସମୟରେ ରାଜ୍ୟରେ ଥିବା ଡିଏଚ୍‌ଏମ୍‌ଓ ଏବଂ ମେଡିକାଲ କଲେଜରୁ ଇଣ୍ଡେଣ୍ଟ ମଗାଯିବା ପରେ ଔଷଧ ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଖତ ଖାଉଛି ଏକ୍ସ-ରେ ଓ ଅଲଟ୍ରା ସାଉଣ୍ଡ ମେସିନ୍
ଡା. ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ରୋଗୀଙ୍କ ସେବା ପାଇଁ ଆସିଥିବା ଏକ୍ସ-ରେ ଓ ଅଲଟ୍ରା ସାଉଣ୍ଡ ମେସିନ୍ ଖତ ଖାଉଛି। ଆରମ୍ଭରୁ କିଛିଦିନ ପାଇଁ କଲେଜରେ ଏକ୍ସ-ରେ ମେସିନ୍ ଚାଲୁଥିଲା, ହେଲେ ପରବର୍ତୀ ସମୟରେ ଏହା ସଂପୂର୍ଣ୍ଣଭାବେ ବନ୍ଦ ହୋଇଯାଇଛି। ଆଶ୍ଚର୍ଯ୍ୟର କଥା ହସ୍ପିଟାଲରେ ଏଥିପାଇଁ ରେଡିଓଲୋଜିଷ୍ଟ ପଦବୀ ନାହିଁ କିମ୍ବା ପରବର୍ତୀ ସମୟରେ ଏଥିପାଇଁ ଏହି ପଦବି ସୃଷ୍ଟି କରାଯାଇ ନାହିଁ। ପଦବି ନ ଥାଇ କିଭଳି ଏହି ମେସିନ୍ କିଣାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିକଟରେ କଲେଜର ଛାତ୍ର ସଂସଦର ବାର୍ଷିକୋତ୍ସବରେ ସଂସଦର କର୍ମକର୍ତାମାନେ ଏ ସଂପର୍କରେ ରାଜ୍ୟ ଆୟୁଷ ନିର୍ଦେଶକଙ୍କ ସମ୍ମୁଖରେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ତୁରନ୍ତ ଏହି ମେସିନ୍ କାର୍ଯ୍ୟକ୍ଷମ ହେବା ସହିତ ଛାତ୍ରଛାତ୍ରୀଙ୍କ ପାଇଁ ଆହୁରି ଅତ୍ୟାଧୁନିକ ମେସିନ୍ ଆଣିବା ଲାଗି ଅନୁରୋଧ କରିଥିଲେ। ମାତ୍ର ଏ ନେଇ ସେପରି କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନ ଥିବା ଜଣାପଡ଼ିଛି। ଏହାସହ ଫିଜିଓଥେରାପି ୟୁନିଟ୍‌ ମଧ୍ୟ ଏଭଳି ଅବସ୍ଥା ଦେଇ ଗତି କରୁଛି। ଏ ସଂପର୍କରେ ଅଧ୍ୟକ୍ଷ ଡା. ଦାଶ କହିଛନ୍ତି, କଲେଜରେ ‌ଏକ୍ସ-ରେ ରେଡିଓଲୋଜିଷ୍ଟ ପାଇଁ କୌଣସି ପଦବି ନାହିଁ।

ସମ୍ବନ୍ଧିତ ଖବର