୨ମାସ ଧରି ଡାକ୍ତର-କର୍ମଚାରୀଙ୍କ ଦରମା ବନ୍ଦ

ୟୁପିଏଚ୍‌ସିରେ ବାଇଓମେଟ୍ରିକ୍‌ ଲଗାଇବା ଅବହେଳା

ଦସ୍ତଖତ ନ କରିବା ଜିଦ୍‌ରେ ଚାକିରି ଛାଡ଼ିଲେ ମେଡିକାଲ ଅଧିକାରୀ

ଭୁବନେଶ୍ୱର : ସହରାଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବା ୟୁପିଏଚ୍‌ସି ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ୟୁସିଏଚ୍‌ସିରେ ଡାକ୍ତର-କର୍ମଚାରୀଙ୍କ ଉପସ୍ଥାନ ପାଇଁ ବାଇଓମେଟ୍ରିକ୍‌ ଲଗାଇବା ବାଧ୍ୟତାମୂଳକ କରାଯାଇଥିଲା।

ଧୀରେ ଧୀରେ ସମସ୍ତ ୟୁପିଏଚ୍‌ସି ଓ ୟୁସିଏଚ୍‌ସିରେ ବାଇଓମେଟ୍ରିକ୍‌ ଲାଗିବା ଆରମ୍ଭ ହୋଇଥିଲା। କିଛି ମାସ ପର୍ଯ୍ୟନ୍ତ ଏସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର-କର୍ମଚାରୀ ବାଇଓମେଟ୍ରିକ୍‌ ସହାୟତାରେ ନିଜର ଉପସ୍ଥାନ ପକାଇଥିଲେ। ମାତ୍ର ଏବେ ପୁଣିଥରେ ଏସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁରୁଣା ରୋଗ ଆରମ୍ଭ ହୋଇଯାଇଛି। କିଏ ବାଇଓମେଟ୍ରିକ୍‌ରେ ଉପସ୍ଥାନ ପକାଇବାକୁ ମନା କରୁଛି ତ ଆଉ କେଉଁଠି ଖରାପ ହୋଇଯାଇଥିବା ବାଇଓମେଟ୍ରିକ୍‌କୁ ମାସ ମାସ ଧରି ସଜଡ଼ା ଯାଉନାହିଁ। ବିଶେଷକରି ୟୁପିଏଚ୍‌ସିରେ ଏଭଳି ଘଟଣା ନଜରକୁ ଆସିଛି।

ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସମସ୍ତ ଡାକ୍ତର-କର୍ମଚାରୀଙ୍କ ଦରମାକୁ ବନ୍ଦ କରି ଦିଆଯାଇଛି। ଏହାସହ ବାଇଓମେଟ୍ରିକ୍‌ରେ ଆଙ୍ଗୁଠି ଚିହ୍ନ ନେଉ ନ ଥିବା କାରଣରୁ ଜଣେ ମେଡିକାଲ ଅଧିକାରୀ ଚାକିରି ଛାଡ଼ି ଦେଇଥିବା ଜଣାପଡ଼ିଛି। ଯେ ପର୍ଯ୍ୟନ୍ତ ବାଇଓମେଟ୍ରିକ୍‌ ଲଗାଯିବନାହିଁ ସେ ପର୍ଯ୍ୟନ୍ତ ଦରମା ଦିଆଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ୨୨ଟି ୟୁପିଏଚ୍‌ସି ଓ ୪ଟି ୟୁସିଏଚ୍‌ସି କାର୍ଯ୍ୟ କରୁଛି। ତେବେ ଏସବୁ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଅନେକ ସମୟରେ ଡାକ୍ତର ଠିକ୍‌ରେ ଡ୍ୟୁଟି କରୁନଥିବା ନଜରକୁ ଆସିଥିଲା। ଏପରିକି ସ୍ୱାସ୍ଥ୍ୟ ବିଭାଗର ବାରମ୍ବାର ତାଗିଦ୍‌ ଓ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବ ସତ୍ତ୍ୱେ କାର୍ଯ୍ୟରେ ଅବହେଳା କରୁଥିବା ଡାକ୍ତର ଏହାକୁ ଖାତିର କରିନଥିଲେ। ତେଣୁ ବାଧ୍ୟ ହୋଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୟୁପିଏଚ୍‌ସି ଓ ୟୁସିଏଚ୍‌ସିରେ ବାଇଓମେଟ୍ରିକ୍‌ ଲଗାଇବାକୁ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା। ରୋଗୀ କଲ୍ୟାଣ ସମିତି ଅର୍ଥରେ ବାଇଓମେଟ୍ରିକ୍‌ ଲଗାଇବା ସହ ଏହାର ରକ୍ଷଣାବେକ୍ଷଣ ମଧ୍ୟ ସମିତି ଅର୍ଥରେ କରିବାକୁ ଅଧିକାରୀଙ୍କୁ କୁହାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୮ଟି ୟୁପିଏଚ୍‌ସି ଓ ପରବର୍ତୀ ସମୟରେ ସମସ୍ତ ୟୁପିଏଚ୍‌ସି ଓ ୟୁସିଏଚ୍‌ସିରେ ବାଇଓମେଟ୍ରିକ୍‌ ଲାଗିଥିଲା।

ତେବେ ଶିଖରଚଣ୍ଡୀ ୟୁପିଏଚ୍‌ସିରେ ବାଇଓମେଟ୍ରିକ୍‌ ଖରାପ ହୋଇଥିବା ନଜରକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାଇଓମେଟ୍ରିକ୍‌ ସଜାଡ଼ିବାକୁ କୁହାଯାଇଥିଲା। ମାତ୍ର ଗତ ୨ମାସ ହେବ ଏହି ସ୍ୱାସ୍ଥ୍ୟ କେନ୍ଦ୍ର କର୍ତୃପକ୍ଷ ବାଇଓମେଟ୍ରିକ୍‌ ସଜାଡ଼ୁନଥିବା ଅଭିଯୋଗ ହୋଇଛି। ଏଥିପାଇଁ ସେଠାରେ କାର୍ଯ୍ୟରତ ସମସ୍ତ ଡାକ୍ତର-କର୍ମଚାରୀଙ୍କ ଦରମା ୨ ମାସ ହେବ ବନ୍ଦ କରି ଦିଆଯାଇଛି। ସେହିପରି ସାମନ୍ତପୁର ୟୁପିଏଚ୍‌ସିରେ କାର୍ଯ୍ୟରତ ମେଡିକାଲ ଅଧିକାରୀଙ୍କ ବାଇଓମେଟ୍ରିକ୍‌ରେ ଆଙ୍ଗୁଠି ଚିହ୍ନ ଖାପ ଖାଇ ନ ଥିଲା। ତେଣୁ ତାଙ୍କୁ ଉପସ୍ଥାନ ପାଇଁ ଦସ୍ତଖତ କରିବାକୁ କୁହାଯାଇଥିଲା। ଏହାସତ୍ତ୍ୱେ ସେ ଦସ୍ତଖତ କରିନଥିଲେ। ପରବର୍ତୀ ସମୟରେ ସେ ଚାକିରି ଛାଡ଼ି ଦେଇଥିବା ଜଣାପଡ଼ିଛି।

ଏଡିଏମ୍‌ଓ (ଜନସ୍ୱାସ୍ଥ୍ୟ) ଡା. ଆର. ଜେନାଙ୍କ କହିବାନୁଯାୟୀ, ୟୁପିଏଚ୍‌ସି ଓ ୟୁସିଏଚ୍‌ସିରେ ଡାକ୍ତର-କର୍ମଚାରୀଙ୍କ ଉପସ୍ଥାନ ପାଇଁ ବାଇଓମେଟ୍ରିକ୍‌ ଲଗାଇବାକୁ କଡ଼ା ତାଗିଦ୍‌ କରାଯାଇଥିଲା। ପରବର୍ତୀ ସମୟରେ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ବାଇଓମେଟ୍ରିକ୍‌ ଲଗାଯାଇଥିଲା। ତେବେ ଶିଖରଚଣ୍ଡୀ ୟୁପିଏଚ୍‌ସିରେ ୨ମାସ ହେବ ବାଇଓମେଟ୍ରିକ୍‌ ଖରାପ ହୋଇଥିବା ନଜରକୁ ଆସିଥିଲା। ରୋଗୀ କଲ୍ୟାଣ ସମିତି ଅର୍ଥରୁ ବାଇଓମେଟ୍ରିକ୍‌ର ରକ୍ଷଣାବେକ୍ଷଣ ପାଇଁ କୁହାଯାଇଥିଲା ସତ୍ତ୍ୱେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ବାଇଓମେଟ୍ରିକ୍‌ ଲଗାଉ ନାହାନ୍ତି। ତେଣୁ ସେଠାରେ କାର୍ଯ୍ୟରତ ଡାକ୍ତର-କର୍ମଚାରୀଙ୍କ ଦରମାକୁ ବନ୍ଦ କରି ଦିଆଯାଇଛି। ବାଇଓମେଟ୍ରିକ୍‌ ଲଗାଯିବା ପରେ ତାଙ୍କର ଦରମା ପ୍ରଦାନ କରାଯିବ।

ଏହାସହ ସାମନ୍ତପୁର ୟୁପିଏଚ୍‌ସିରେ କାର୍ଯ୍ୟରତ ମେଡିକାଲ ଅଧିକାରୀଙ୍କ ବୟସାଧିକ ଯୋଗୁଁ ବାଇଓମେଟ୍ରିକ୍‌ରେ ତାଙ୍କର ଆଙ୍ଗୁଠି ଚିହ୍ନ ନେଇ ନ ଥିଲା। ତେଣୁ ତାଙ୍କୁ ଦସ୍ତଖତ କରିବାକୁ କୁହାଯାଇଥିଲା। ଏହାସତ୍ତ୍ୱେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭିଡ଼ର ଆଳ ଦେଖାଇ ସେ ଦସ୍ତଖତ କରି ନ ଥିଲେ। ପରବର୍ତୀ ସମୟରେ ସେ ଚାକିରି ଛାଡ଼ି ଦେଇଥିବା ଡା. ଜେନା ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଇବା ପାଇଁ ଯୋଜନା ହୋଇଛି। ସହିଦନଗର ୟୁପିଏଚ୍‌ସି ଏଥିପାଇଁ ପ୍ରଥମେ ରାଜି ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର