ଭୁଶୁଡ଼ିଗଲାଣି ଐତିହ୍ୟ, ବେଫିକର୍‌ ଏଏସ୍‌ଆଇ

ଭୁବନେଶ୍ୱର: ଐତିହ୍ୟର ଗନ୍ତାଘର ଓଡ଼ିଶା। ଏଠାରେ ରହିଛି ବହୁ ପୁରାତନ କୀର୍ତିରାଜି। ଏଠାରୁ ୪ ହଜାର ବର୍ଷ ପୂର୍ବର ସଭ୍ୟତାର ସନ୍ଧାନ ମିଳିଛି। ହଜାର ହଜାର ବର୍ଷର ପୁରୁଣା ମନ୍ଦିର ଏବେ ବି ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି। ମୁକ୍ତେଶ୍ୱରର ମୁଖଶାଳା, ଶ୍ରୀଲିଙ୍ଗରାଜ ମନ୍ଦିରର କାରୁକାର୍ଯ୍ୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ମାତ୍ର ଦୁଃଖ ଓ ପରିତାପର ବିଷୟ ଯେ, ଓଡ଼ିଶାର ଏପରି ଐତିହ୍ୟକୁ ନିୟମିତ ଭାବେ ଅଣଦେଖା କରିଚାଲିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)। ଓଡ଼ିଶାର ୭୯ଟି ଐତିହ୍ୟ ଏଏସ୍‌ଆଇ ଅଧୀନରେ ରହିଛି। ସେଥିମଧ୍ୟରୁ ହାତଗଣତି କିଛି ଐତିହ୍ୟର ସଂରକ୍ଷଣ, ରକ୍ଷଣାବେକ୍ଷଣ, ସୌନ୍ଦର୍ଯ୍ୟକରଣ ପ୍ରତି ଏଏସ୍‌ଆଇ ଧ୍ୟାନ ଦେଉଛି। କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ଶ୍ରୀମନ୍ଦିର ସହ ଲକ୍ଷାଧିକ ଭକ୍ତଙ୍କ ଭାଗାବେଗ ଯୋଡ଼ି ହୋଇଥିବାରୁ ତାହାର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ୱ ଦେଉଛି ଏଏସ୍‌ଆଇ। ଏଥିସହ ଓଡ଼ିଶାର ଯେଉଁ ୫ଟି କୀର୍ତ୍ତିରାଜିରୁ ପ୍ରବେଶ ଶୁଳ୍କ ଆଦାୟ ହେଉଛି ତାହାର ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯାଉଛି। ବାକି ପ୍ରତି ନଜର ନଥିବା ଅଭିଯୋଗ ହେଉଛି।

ଏପରିକି ଐତିହ୍ୟର ସହର ଭୁବନେଶ୍ୱରରେ ୨୫ଟି କୀର୍ତ୍ତିରାଜି ଏଏସ୍‌ଆଇ ଅଧୀନରେ ରହିଥିବା ବେଳେ ସେଥିରୁ ଅଧିକାଂଶ ଏବେ ଭୁଶୁଡ଼ିପଡ଼ିବା ଅବସ୍ଥାରେ ରହିଛି। ମାତ୍ର ଏଏସ୍‌ଆଇ ଏଥିପ୍ରତି ବେଫିକର ଥିବା ଐତିହ୍ୟପ୍ରେମୀଙ୍କ ମଧ୍ୟରେ ଆଲୋଚନା ହେଉଛି। ଉଦୟଗିରି ଗୁମ୍ଫା ଓ ରାଜାରାଣୀ ମନ୍ଦିରରୁ ପ୍ରବେଶ ଫି’ ମିଳୁଥିବାରୁ ସେଠାକାର ସୌନ୍ଦର୍ଯ୍ୟକରଣ ପ୍ରତି ଧ୍ୟାନ ଦିଆଯାଉଛି। ଏଥିସହ ରାମେଶ୍ୱର, ମୁକ୍ତେଶ୍ୱର ପରି କିଛି ପ୍ରମୁଖ ମନ୍ଦିର ଓ ପୁଷ୍କରଣୀର ବି ସଂରକ୍ଷଣ କରାଯାଉଛି। ବାକିଗୁଡ଼ିକ ପ୍ରତି ଧ୍ୟାନ ଦିଆଯାଉନି। କେଉଁଠି କୀର୍ତ୍ତିରାଜିରୁ ପଥର ଖସିପଡ଼ିଲାଣି ତ ଆଉ କେଉଁଠି ଐତିହ୍ୟ ଭିତରକୁ ମାଡ଼ିଗଲେଣି ଜବରଦଖଲକାରୀ। କେବଳ ସାଇନ୍‌ବୋର୍ଡ ମାରିଦେଇ ଚୁପ୍‌ ବସିଛି ଏଏସ୍‌ଆଇ। କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ, ସଂରକ୍ଷଣ ପାଇଁ ପ୍ରତି ବର୍ଷ କେନ୍ଦ୍ର ସରକରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ତାହା କେଉଁଠି ଖର୍ଚ୍ଚ ହେଉଛି ତାହାର ଖବର କାହା ପାଖରେ ନାହିଁ। କେନ୍ଦ୍ରରୁ କେତେ ଟଙ୍କା ମିଳୁଛି? କିଭଳି ଖର୍ଚ୍ଚ ହେଉଛି? ଐତିହ୍ୟଗୁଡ଼ିକର ମରାମତି କରାଯାଉ ନାହିଁ କାହିଁକି? ଏ ସମ୍ପର୍କିତ ତଥ୍ୟ ଦେବା ତ ଦୂରର କଥା ଅଧିକାରୀମାନେ ମୁହଁ ବି ଖୋଲୁନାହାନ୍ତି।

ଚିହ୍ନଟ ହୋଇପାରିନି ଐତିହ୍ୟ
ପାପନାଶିନୀ ମନ୍ଦିର ନିକଟରେ ଏକ ମନ୍ଦିରକୁ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରିଛି ଏଏସ୍‌ଆଇ। ହେଲେ ଏହା କେଉଁ ମନ୍ଦିର ତାହା ଚିହ୍ନଟ ହୋଇ ପାରି ନାହିଁ। ଫଳରେ ଏହି ଐତିହ୍ୟ ଏବେ ଅସାମାଜିକଙ୍କ ଆଡ଼ାସ୍ଥଳୀ ପାଲଟିଛି। ଏହାର ପରିସରରେ ଥିବା ସବୁଠାରୁ ବଡ଼ ମନ୍ଦିର ଭିତରେ ଠାକୁରଙ୍କ ବଦଳରେ କାଠ, ବାଉଁଶ ଜମା ହୋଇଛି। ବାଦୁଡ଼ିଙ୍କ ବାସସ୍ଥାନ ପାଲଟିଛି। ମନ୍ଦିର ଭିତରେ କ’ଣ ଅଛି ଜାଣିବାକୁ ଚାହିଁଲେ ବି କେହି କହିବାକୁ ନାହାନ୍ତି। ବରଂ କିଛି ଅସାମାଜିକ ଯୁବକ ଏହା ପରିସରରେ ଆଡ଼ା ଜମାଇ ପର୍ଯ୍ୟଟକଙ୍କୁ ଧମକ ଦେଉଛନ୍ତି।

ପଥର ଖସୁଛି, ଯୋଡ଼େଇ ହେଉନି

୧୧ଶହ ଖ୍ରୀଷ୍ଟାବ୍ଦର ପାପନାଶିନୀ ମନ୍ଦିର ଓ ପୁଷ୍କରିଣୀ ଏବେ ନିଶ୍ଚିହ୍ନ ହେବାକୁ ବସିଛି। ଏହି ମନ୍ଦିରରୁ ପଥର ଖସୁଥିଲେ ମଧ୍ୟ ତାହାର ଆଉ ଯୋଡ଼େଇ କରାଯାଉ ନାହିଁ। ପଥରଗୁଡ଼ିକ ସେମିତି ମନ୍ଦିର ଆଗରେ ପଡ଼ିରହିଛି। ଏହି ମନ୍ଦିର ଚାରିପାଖରେ ଥିବା ୪ଟି ଛୋଟ ବଡ଼ ମନ୍ଦିରରୁ ବି ପଥର ଖସୁଛି। ହେଲେ ସେଗୁଡ଼ିକୁ ନିର୍ଧାରିତ ସ୍ଥାନରେ ଲଗାଯାଉନି। ମନ୍ଦିର ପାଦଦେଶରେ ଥିବା ପାପନାଶିନୀ ମନ୍ଦିର କଥା ନ କହିବା ଭଲ। ପାପ ନାଶ ପାଇଁ ଲୋକେ ଏଠାକୁ ଆସୁଥିବା ବେଳେ ଏଥିରୁ ଏବେ ଦୁର୍ଗନ୍ଧ ବାହାରୁଛି। ଏପରିକି ପୁଷ୍କରଣୀ ଭିତରେ ବିଷାକ୍ତ ଜନ୍ତୁ ରହୁଛନ୍ତି। ପାପା ନାଶ ପାଇଁ ଶ୍ରଦ୍ଧାଳୁ ବୁଡ଼ ପକାଉଥିବା ବେଳେ କେତେବେଳେ ଯେ ଦୁର୍ଘଟଣା ଘଟିବ ତାହା କେହି ବି କହିପାରିବେ ନାହିଁ।

ହଜିଯାଉଛି ଶିଶୁପାଳଗଡ଼
ଏଏସ୍‌ଆଇ ଅଧୀନରେ ଥିବା ଆଉ ଏକ ଐତିହ୍ୟ ହେଉଛି ଶିଶୁପାଳଗଡ଼। ଯାହାକି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ଲୋକେ ଏହାକୁ ମାଡ଼ି ବସିଲେଣି। ଚାରିପାଖରେ ବଡ଼ ବଡ଼ କୋଠା ଛିଡ଼ା ହୋଲାଣି। ତଥାପି ଏଏସ୍‌ଆଇର ନିଦ ଭାଙ୍ଗୁନି। ଏଠାରୁ କୌଣସି ଫି’ ଆଦାୟ ହେଉ ନ ଥିବାରୁ ଏଏସ୍‌ଇର ଏଥିପ୍ରତି ଗୁରୁତ୍ୱ ନାହିଁ। ରକ୍ଷଣାବେକ୍ଷଣ ତ ଦୂରର କଥା ଶିଶୁପାଳଗଡ଼ ଯେତିକି ଅଞ୍ଚଳରେ ଥିଲା ତାହାର ବି ସଂରକ୍ଷଣ କରାଯାଇପାରିଲା ନାହିଁ। ଏନେଇ ଏଏସ୍‌ଆଇ ଅଧିକାରୀଙ୍କ କହିବା କଥା ହେଲା ଆମେ କିଛି କରିପାରିବୁନି। ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ।

ବୋର୍ଡରେ କାର୍ଯ୍ୟାନୁଷ୍ଠାନ ଭୟ
‘ପ୍ରାଚୀନ ସ୍ମାରକୀ, ପ୍ରତ୍ନତାତ୍ତ୍ୱିକ ସ୍ଥଳ ଏବଂ ଅବଶେଷ ଅଧିନିୟମ-୨୦୧୦’ ଅନୁଯାୟୀ ଯେକୌଣସି ବ୍ୟକ୍ତି ଏହି ସ୍ମାରକର ଧ୍ୱଂସ, ସାଧନ ସ୍ଥାନାନ୍ତର, କ୍ଷତି, ପରିବର୍ତନ, ବିକୃତ, ବିପନ୍ନ ବା ଅପବ୍ୟବହାର କରନ୍ତି ତାଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ’। ଏଏସ୍‌ଆଇ ଦ୍ୱାରା ସଂରକ୍ଷିତ ସମସ୍ତ ସ୍ମାରକୀରେ ଏଭଳି ସାଇନ୍‌ ବୋର୍ଡ ଲଗାଯାଇଛି। କିନ୍ତୁ ତାହା କେବଳ ବୋର୍ଡରେ ସୀମିତ। ବକ୍ରେଶ୍ୱର ମନ୍ଦିର ପରିସରରେ ଗତ କିଛି ଦିନ ତଳେ ଏକ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ତାହାକୁ ଏଏସ୍‌ଆଇର କୌଣସି ଅଧିକାରୀ ଯାଞ୍ଚ କରି ନ ଥିଲେ। କାର୍ଯ୍ୟାନୁଷ୍ଠାନ ବି ନିଆଯାଇନି।

ସମ୍ବନ୍ଧିତ ଖବର