ବିଏମ୍‌ସି ଇଂଜିନିୟରଙ୍କ ମୃତ୍ୟୁ ମାମଲା: ଏବେ ବି ମୃତ୍ୟୁର କାରଣ ଅସ୍ପଷ୍ଟ

ଖଣ୍ଡଗିରି: ଭୁବନେଶ୍ୱର ମହାନଗର ନିଗମର ଇଂଜିନିୟର ମନୋଜ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର କାରଣ ଖୋଜୁଛି କମିସନରେଟ୍‌ ପୁଲିସ। ଏବେ ବି କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ପୁଲିସ ସ୍ପଷ୍ଟ କରିପାରିନି। ତେବେ କୌଣସି ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। କେଉଁ ପରିସ୍ଥିତିରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହେଲା, ସେ କିଭଳି କାର୍‌ ଭିତରୁ ବାହାରି ଗୁରୁତର ଅବସ୍ଥାରେ ତଳେ ପଡ଼ିଥିଲେ, ସେନେଇ ଏବେ ବି ପୁଲିସକୁ କୌଣସି ସୁରାକ୍‌ ମିଳିପାରିନାହିଁ। ଶ୍ରୀ ମିଶ୍ରଙ୍କ କାର୍‌ ଦେଖିଲେ ଏହା ଏକ ସାଧାରଣ ଦୁର୍ଘଟଣା ବୋଲି ମନେ ହେଉଛି। ଏପରି ଦୁର୍ଘଟଣାରେ ଯେ ଜଣଙ୍କର ମୃତ୍ୟୁ ହେବ ତାହା ସହଜରେ ବିଶ୍ୱସ କରି ହେଉନି। ସେହିଭଳି ମନୋଜ କେଉଁ କାରଣରୁ ଭୁବନେଶ୍ୱରରୁ ବିଳମ୍ବିତ ରାତିରେ ଖୋର୍ଧା ଯାଇଥିଲେ, ତାହା ମଧ୍ୟ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେଣୁ ଏବେ ବି ମନୋଜଙ୍କ ମୃତ୍ୟୁକୁ ନେଇ ସାଧାରଣରେ ଆଲୋଚନା ଜାରି ରହିଛି।

ଉଲ୍ଲେଖଯୋଗ୍ୟ ଯେ ଗତ ୨ ତାରିଖ ଭୋର୍‌ ପ୍ରାୟ ୫ଟାରେ ମନୋଜ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ଓଭରବ୍ରିଜ୍‌ ଉପରେ ଗୁରୁତର ଆହତ ହୋଇ ପଡ଼ିଥିଲେ। ତାଙ୍କ ଗୋଡ଼, ମୁହଁ ଓ ମୁଣ୍ଡରେ ଆଘାତ ଲାଗିଥିଲା ଓ ପ୍ରଚୁର ରକ୍ତସ୍ରାବ ହେଉଥିଲା। ତାଙ୍କଠାରୁ କିଛି ଦୂରରେ ତାଙ୍କ କାର୍‌ (ଓଆର୧୪ଓ୍ଵାଇ-୪୦୨୨) ଥୁଆ ହୋଇଥିଲା। ଜଣେ ବାଟୋଇଙ୍କଠାରୁ ଖବର ପାଇ ଯାଁଳା ଫାଣ୍ଡି ପୁଲିସ ତାଙ୍କୁ ୧୦୮ ଆମ୍ବୁଲାନ୍‌ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଚିକିିତ୍ସାଧୀନ ଅବସ୍ଥାରେ ମନୋଜଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାସ୍ଥଳରେ ମନୋଜ ତାଙ୍କ କାର୍‌ଠାରୁ ପ୍ରାୟ ୨ ମିଟର ଦୂରରେ ରାସ୍ତା ଉପରେ ପଡ଼ିଥିବା ଘଟଣା ହିଁ ସନ୍ଦେହ ସୃଷ୍ଟି କରିଛି। ତେବେ ବଡ଼ ପ୍ରଶ୍ନ ହେଉଛି ମନୋଜଙ୍କ ଯାଁଳା ଆସିବା କଥା। ୧ ତାରିଖ ରାତିରେ ସେ ନୂଆପଲ୍ଲୀ ବେହେରା ସାହି ଅଞ୍ଚଳର ରାସ୍ତା କାମ ତଦାରଖ କରି କାନନ ବିହାରସ୍ଥିତ ତାଙ୍କ ନିଜ ଘରକୁ ଫେରିବା କଥା। ମାତ୍ର ସେ ଘରକୁ ନ ଯାଇ ଯାଁଳା ଆଡକୁ କି କାମରେ ଯାଇଥିଲେ, ତାହା ଜଣାପଡ଼ିନାହିଁ। ପରିବାର ଲୋକଙ୍କଠାରୁ ସୁରାକ୍‌ ସଂଗ୍ରହ କରି ସେ ଦିଗରେ ତଦନ୍ତ କରାଯିବ ବୋଲି ତଦନ୍ତ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର