ଘୁଞ୍ଚିବନି ବିପିୟୁଟି ପରୀକ୍ଷା:ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ

ଭୁବନେଶ୍ୱର: କୌଣସି ପରିସ୍ଥିତିରେ ଅଡ୍‌ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଯିବ ନାହିଁ ବୋଲି ଆଜି ବୈଷୟିକ ଶିକ୍ଷା ବିଭାଗ ସଚିବ ତଥା କୁଳପତି ସଞ୍ଜୟ ସିଂ ସ୍ପଷ୍ଟ କରିଛନ୍ତି। ଆଜି ଅପରାହ୍ନରେ ଅଲ୍‌ ଓଡ଼ିଶା ବିପିୟୁଟି ଷ୍ଟୁଡ଼େଣ୍ଟ୍‌ନ୍ସ ଆସୋସିଏସନ୍‌(ଏଓବିଏସ୍‌ଏ)ର ଏକ ପ୍ରତିନିଧିଦଳ କୁଳପତିଙ୍କ ସହ ଆଲୋଚନା କରିବା ସମୟରେ କୁଳପତି ଏହା କହିଛନ୍ତି।

ଅନ୍ୟପକ୍ଷରେ ବିପିୟୁଟି ଅଡ୍‌ ସେମିଷ୍ଟାର ପରୀକ୍ଷା ତାରିଖ ଘୁଞ୍ଚାଇବା ଦାବିରେ ଜାରି ରହିଛି ଛାତ୍ର ଆନ୍ଦୋଳନ। ଗତକାଲି ଦୁଇ ଛାତ୍ରଗୋଷ୍ଠୀ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀଙ୍କ ବାସଭବନ ଘେରାଉ କରିବା ସହ କୁଳପତି ଶ୍ରୀ ସିଂଙ୍କ ବାସଭବନରେ ଭଙ୍ଗାରୁଜା କରିଥିଲେ। ୧୨ ଘଣ୍ଟା ନ ବିତୁଣୁ ଆଜି ଓଡ଼ିଶା ଟେକ୍ନିକାଲ ଷ୍ଟୁଡେଣ୍ଟସ୍‌ ଆସୋସିଏସନର ଛାତ୍ରମାନେ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ କହିଛନ୍ତି ଯେ ପାଠ୍ୟକ୍ରମ ଏପର୍ଯ୍ୟନ୍ତ ସରିନି। ହଠାତ୍‌ ପରୀକ୍ଷା ତାରିଖ ପ୍ରକାଶ ପାଇଥିବାରୁ ପିଲାମାନେ ମାନସିକ ଚାପରେ ପଡ଼ିଛନ୍ତି। ଦ୍ୱିତୀୟ ଇଣ୍ଟରନାଲ ପରୀକ୍ଷା ସରି ନ ଥିବା ବେଳେ ପରୀକ୍ଷା ବହୁତ ଶୀଘ୍ର କ’ଣ ପାଇଁ କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହି ଆନ୍ଦୋଳନରେ ସଂଘ ସଭାପତି ଅଶୋକ କୁମାର ସାମଲ, ସାଧାରଣ ସମ୍ପାଦକ ଗଣେଶ ମହାପାତ୍ର, ଅଭିଷେକ ଧଳ, ଅମିତ କୁମାର କୁଅଁର, ଦୁର୍ଗା ପ୍ରସାଦ ବିଶ୍ୱାଳ, ସୁନିଲ ସାହୁ, ବିଶ୍ୱଜିତ ମଲ୍ଲିକ, ଶାଶ୍ୱତ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

ଗତକାଲିର ଘଟଣାକୁ ନିନ୍ଦା କରିଛି ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା)। ଇଞ୍ଜିନିୟରିଂ ଛାତ୍ରଙ୍କ ଲାଗି ଏଭଳି କାର୍ଯ୍ୟ ଶୋଭା ପାଏନି। ଛାତ୍ରଛାତ୍ରୀଙ୍କ ଯେଉଁ ଦାବି ରହିଛି ତାହାକୁ ଆଲୋଚନା ମଧ୍ୟମରେ ସମାଧାନ କରାଯିବା କଥା। କିନ୍ତୁ କେତେଜଣ ପିଲା ସମସ୍ତ ଦାୟିତ୍ୱ, ନିୟମକୁ ଭୁଲି ଯେଉଁଭଳି ଭାବେ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଏବଂ ସଚିବଙ୍କ ଘର ସମ୍ମୁଖରେ ବିକ୍ଷୋଭ ଏବଂ ଭଙ୍ଗାରୁଜା କଲେ ତାହା ଠିକ୍‌ ହୋଇ ନାହିଁ। ତେଣୁ ପିଲାମାନେ ଏଭଳି କାର୍ଯ୍ୟରୁ ବିରତ ରହି ପାଠପଢ଼ା ପ୍ରତି ଗୁରୁତ୍ୱ ଦେବାକୁ ଓପେକା ସମ୍ପାଦକ ବିନୋଦ ଦାଶ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ମଙ୍ଗଳବାର ସନ୍ଧ୍ୟାରେ ବୈଷୟିକ ବିଭାଗ ସଚିବ ତଥା ବିପିୟୁଟି କୁଳପତି ଶ୍ରୀ ସିଂଙ୍କ ବାସଭବନରେ ଭଙ୍ଗାରୁଜା ଘଟଣାରେ କ୍ୟାପିଟାଲ ଥାନା ପୁଲିସ ୮ଜଣ ଛାତ୍ରଙ୍କୁ ଗିରଫ କରିଛି। ସେମାନେ ହେଲେ କୃଷ୍ଣଚନ୍ଦ୍ର ଜେନା, ସୂର୍ଯ୍ୟ ନାରାୟଣ ମହାନ୍ତି, ଅଭିଷେକ ଦାସ, ଆଶୁତୋଷ ମହାନ୍ତି, ବିପ୍ଳବ ପଟ୍ଟନାୟକ, ଆୟସକାନ୍ତ ଧଳ, ଶଙ୍କର ମହାଦେବ ପୃଷ୍ଟି ଓ ପଙ୍କଜ କୁମାର ଦାସ। ତେବେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଲାଠିଚାର୍ଜକୁ ଏବିଭିପି ପକ୍ଷରୁ ନିନ୍ଦା କରାଯାଇଛି। ସଙ୍ଗଠନର ସାଧାରଣ ସମ୍ପାଦକ ଅଭିଳାଷ ପଣ୍ଡା କହିଛନ୍ତି ଯେ, କୌଣସି ପରିସ୍ଥିତିରେ ପରୀକ୍ଷା ଘୁଞ୍ଚାଯିବା କଥା ନୁହେଁ। ଏହାଦ୍ୱାରା ପିଲାମାନେ ଅସୁବିଧାର ସମ୍ମୁଖୀନ ହେବେ। ହଇରାଣ ହେବେ। ଗତକାଲି ଯେଉଁଭଳି ଭାବେ ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଗଲା ତାହା ଠିକ୍‌ ହୋଇ ନାହିଁ। ଗୁଇନ୍ଦା ପୁଲିସ କାହିଁକି ଫେଲ୍‌ ମାରିଲା। ଯେଉଁଥିପାଇଁ ପିଲାଙ୍କ ଉପରେ ଲାଠି ମାଡ଼ ହେଲା। ଜୋରଜବରଦସ୍ତ ଛାତ୍ରଛାତ୍ରୀଙ୍କ ମୁହଁ ବନ୍ଦ କରିବାକୁ ଉଦ୍ୟମ ହେଉଛି। ପ୍ରଶାସନ ଏଥିରୁ ନିବୃତ୍ତ ରହୁ ବୋଲି ସେ ଚେତାବନୀ ଦେଇଛନ୍ତି।

 

ସମ୍ବନ୍ଧିତ ଖବର