କାଟୁ କରୁନି ଖାଦ୍ୟ ସୁରକ୍ଷା ଆଇନ: କାଟୁ କରୁନି ଖାଦ୍ୟ ସୁରକ୍ଷା ଆଇନ

ଭୁବନେଶ୍ୱର: ବିଏମ୍‌ସି ପକ୍ଷରୁ ତାଗିଦ୍‌ ହୋଇଛି। ଗ୍ଲୋବ୍‌ସ ଓ ମାସ୍କ ପିନ୍ଧିବା ପାଇଁ ନିର୍ଦେଶ ଦିଆଯାଇଛି। କିନ୍ତୁଳ ତାଗିଦ୍‌ କିମ୍ବା ନିର୍ଦେଶ ଖାଦ୍ୟ ବ୍ୟବସାୟୀଙ୍କୁ କାଟୁ କରୁନି। ନିର୍ଦେଶକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ପ୍ରଶାସନର କୋହଳ ମନୋଭାବ ଯୋଗୁଁ ଏବେ ବି ରାଜଧାନୀର ରାସ୍ତାକଡ଼ରେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ବିକ୍ରି ହେଉଛି। ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଛୋଟ ବ୍ୟବସାୟୀଙ୍କ ଖାଦ୍ୟକୁ ନେଇ କିଛି ଅଭିଯୋଗ ଆସିଲେ ତାହାକୁ ନଷ୍ଟ କରାଯିବ। ତାଙ୍କଠାରୁ କୌଣସି ଜରିମାନା ଆଦାୟ କରାଯିବ ନାହିଁ। ମାତ୍ର ବାସ୍ତବ କ୍ଷେତ୍ରରେ ଅଧିକାଂଶ ଲୋକ ଏହି ଖାଦ୍ୟ ଉପରେ ହିଁ ନିର୍ଭର କରୁଛନ୍ତି। ଛୋଟ ହୋଟେଲଠୁ ଆରମ୍ଭ କରି ଜଳଖିଆ, ଦହିବରା, ଗୁପଚୁପ୍‌, ଚାଟ୍‌ ଓ ଫାଷ୍ଟଫୁଡ୍‌ ବ୍ୟବସାୟ ଛତୁ ଫୁଟିଲା ଭଳିଆ ଖୋଲିଛି। ରେଳ ଷ୍ଟେସନ୍‌ଠାରୁ ଆରମ୍ଭ କରି ବସ୍‌ଷ୍ଟପ୍‌ ଓ ଡ୍ରେନ୍‌ ପାଖରେ ବ୍ୟବସାୟୀ ନିଜର ଠେଲା ଗାଡ଼ି ଲଗାଉଛନ୍ତି। ତେବେ ଖାଦ୍ୟ ବ୍ୟବସାୟୀଙ୍କ ସଂଖ୍ୟା ଯେତିକି ବଢ଼ିଛି ଖାଦ୍ୟର ମାନ ସେତିକି ହ୍ରାସ ପାଉଥିବା ଅଭିଯୋଗ ହେଉଛି। କିଛି ବ୍ୟବସାୟୀ ବାସି ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ବି ଶୁଣିବାକୁ ମିଳୁଛି। ହେଲେ ଏଥିପାଇଁ ଲୋକେ କେବଳ ବ୍ୟବସାୟୀଙ୍କୁ ତାଗିଦ୍‌ କରିଦେଇ ଚାଲି ଆସୁଥିବାରୁ ଘଟଣା ପ୍ରଶାସନ ନିକଟରେ ପହଞ୍ଚୁ ନାହିଁ। ସହରରେ ୨୬,୦୦୦ ଖୁଚୁରା ବ୍ୟବସାୟୀ ଥିବା ବେଳେ ପ୍ରାୟ ୪୦ ପ୍ରତିଶତ କେବଳ ଖାଦ୍ୟ ବ୍ୟବସାୟ କରୁଛନ୍ତି। ରାଜଧାନୀର ଅର୍ଧାଧିକ ଲୋକ ମଧ୍ୟ ରାସ୍ତା କଡ଼ ଖାଦ୍ୟ ଉପରେ ନିର୍ଭରଶୀଳ। ତେବେ ନିୟମିତ ଖାଦ୍ୟର ମାନ ଯାଞ୍ଚ କରାଯାଉ ନଥିବାରୁ ଏହାର କୁପ୍ରଭାବ ଲୋକଙ୍କ ଉପରେ ପଡ଼ୁଛି। ଗତବର୍ଷ ରାଜଧାନୀରେ କାମଳ ରୋଗ ଆରମ୍ଭ ହେବା ପରେ ବିଏମ୍‌ସି ପକ୍ଷରୁ ଚଢ଼ଉ ହୋଇଥିଲା। ଖାଦ୍ୟ ବ୍ୟବସାୟୀଙ୍କୁ ଗ୍ଲୋବ୍‌ସ ଓ ମାସ୍କ ବଣ୍ଟନ କରି ନିୟମିତ ବ୍ୟବହାର କରିବାକୁ ନିର୍ଦେଶ ଦିଆଯାଇଥିଲା। ବ୍ୟବସାୟୀମାନେ ବି ରାଜି ହୋଇଥିଲେ। କିନ୍ତୁୁ କିଛି ଦିନ ଠିକ୍‌ଠାକ୍‌ ଚାଲିବା ପରେ ସ୍ଥିତି ଯଥା ପୂର୍ବଂ ତଥା ପରଂ… ଅବସ୍ଥାକୁ ଚାଲି ଆସିଥିଲା।

ରାଜଧାନୀର କିଛି ଗୁପ୍‌ଚୁପ୍‌ ଓ ଦହିବରା ବ୍ୟବସାୟୀ ୟୁନିଟ-୩, ସାଲିଆ ସାହି, ପଥରବନ୍ଧ ବସ୍ତି ଓ ଝରଣା ବସ୍ତି ଆଦିରେ ରହୁଛନ୍ତି। ସେଠାରେ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି ପାଇଁ ଆଣୁଛନ୍ତି। ଏହି ଖାଦ୍ୟ କିପରି ପ୍ରସ୍ତୁତ ହେଉଛି ତାହା ଯାଞ୍ଚ କରିବାକୁ ମଧ୍ୟ ପ୍ରଶାସନ କେବେ ଚିନ୍ତା କରିନାହିଁ। ବର୍ଷା ସମୟରେ ଏହି ଅଞ୍ଚଳର ସ୍ଥିତି ସଙ୍ଗିନ ହୋଇପଡ଼ୁଛି। ଲଗାଣ ବର୍ଷା ଯୋଗୁଁ ଅଧିକାଂଶ ଜାଗାରେ ପାଣି ଜମି ରହୁଛି। ଦୂଷିତ ପାଣି ଜମୁଥିବାରୁ ମାଛିିଠୁ ନେଇ ବିଭିନ୍ନ ଜୀବାଣୁଙ୍କ ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ତେବେ ଲୋକେ ଏ ସମ୍ବନ୍ଧରେ ଅବଗତ ନଥିବାରୁ ଅନାୟାସରେ ଖାଇ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଛନ୍ତି। କ୍ୟାପିଟାଲ ହସ୍ପିଟାଲ୍‌ର ଅଧୀକ୍ଷକ ଡା. ନିରଞ୍ଜନ ମିଶ୍ରଙ୍କ କହିବା ମୁତାବକ, ବର୍ଷା ଦିନରେ ଏହି ଖାଦ୍ୟ ଦେହ ପାଇଁ ହାନିକାରକ। ଖାଦ୍ୟର ସବୁଠୁୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ପାଣି। ତେଣୁ ପାଣି ଦୂଷିତ ହେଲେ ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ରହିଛି। ବିଶେଷକରି ବର୍ଷା ଦିନରେ ଝାଡ଼ାବାନ୍ତି, କାମଳ, ଟାଇଫଏଡ୍‌ ଓ ଖାଦ୍ୟ ସଂକ୍ରମଣ ରୋଗ ହେବାର ଅଧିକ ଆଶଙ୍କା ରହିଥାଏ ବୋଲି ସେ କହିଛନ୍ତି। ଏ ବାବଦରେ ନଗର ସ୍ୱାସ୍ଥ୍ୟ ଅଧିକାରୀ ଡା. ରାମଚନ୍ଦ୍ର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ଗତବର୍ଷଠାରୁ ଏପର୍ଯ୍ୟନ୍ତ ୧୦/୧୨ଥର ଖାଦ୍ୟ ବ୍ୟବସାୟୀଙ୍କ ଉପରେ ଚଢ଼ଉ ହୋଇଛିି। ଏମିତିକି ୨୦,୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଛି। ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଖୁଚୁରା ବ୍ୟବସାୟୀଙ୍କ ଖାଦ୍ୟର ମାନ ଯଦି ଖରାପ ଥାଏ ତାକୁ ନଷ୍ଟ କରାଯାଏ। କିନ୍ତୁ ଅନ୍ୟ ବ୍ୟବସାୟୀଙ୍କ ଖାଦ୍ୟର ମାନ ଯଦି ଖରାପ ଥିବା ଜଣାପଡ଼େ, ସେମାନଙ୍କଠାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବାର ନିୟମ ରହିଛି। ତେବେ ସେ କହିଛନ୍ତି ଯେ ଆସନ୍ତା ହକି ବିଶ୍ୱକପ୍‌ ପୂର୍ବରୁ ରାଜଧାନୀ ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟର କଡ଼ାକଡ଼ି ଯାଞ୍ଚ କରାଯିବ। ଖାଦ୍ୟର ମାନ ଓ ପରିମଳ ପାଇଁ ପ୍ରାୟ ୫୦୦ ଷ୍ଟ୍ରିଟ୍‌ ଫୁଡ୍‌ ଭେଣ୍ଡର୍‌ଙ୍କୁ ନେଇ ଏକ ଟ୍ରେନିଂ କରାଯିବାର ଯୋଜନା କରାଯାଉଛି।

ସମ୍ବନ୍ଧିତ ଖବର