ନିୟମକୁ ଫୁ’, ବେଧଡ଼କ ବିକ୍ରି ଚାଲିଛି ଜଙ୍କ୍‌ ଫୁଡ୍‌

ଭୁବନେଶ୍ୱର: ସରକାରୀ ହେଉ ବା ବେସରକାରୀ ସ୍କୁଲ୍‌। ଏହାର ପରିସରରେ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ଖୋଲି ପାରିବନି ବାହାର ଖାଦ୍ୟ ଓ ଜଙ୍କଫୁଡ୍‌ର ପସରା। ଛାତ୍ରଛାତ୍ରୀଙ୍କୁ ଜଙ୍କଫୁଡ୍‌ ଖାଇବାକୁ ଦିଆଯିବା ଦ୍ୱାରା ଭବିଷ୍ୟତରେ ସେମାନେ ଡାଇବେଟିସ୍‌, ହାଇପର୍‌ଟେନସନ୍‌, ଡାଇସ୍ଲିପିଡେମିଆ ପରି ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୬ ମାର୍ଚ୍ଚ ୧୨ରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖା ଯାଇଥିଲା। କେଉଁ ପ୍ରକାର ଖାଦ୍ୟ ବିଦ୍ୟାଳୟ କ୍ୟାଣ୍ଟିନ୍‌ ଓ କ୍ୟାମ୍ପସ ପରିସରରେ ବିକ୍ରି ହେବ, ସେ ନେଇ ତାଲିକା ଜାରି ହୋଇଥିଲା। ତାଲିକା ଅନୁଯାୟୀ, ଚିପ୍ସ ଜାତୀୟ ଖାଦ୍ୟ ବାରଣ କରାଯାଇଥିଲା। ଏଥିସହ ମଲାଇ ଗୋଲା, ସମସ୍ତ ପ୍ରକାର ମୃଦ୍ୟୁ ପାନୀୟ, ମିଠା ଜାତୀୟ ପଦାର୍ଥ (ରସଗୋଲା, ଗୋଲାପ ଜାମୁ, ପେଡ଼ା, ଜିଲାପି, ବୁନ୍ଦି) ପିଜା, ବର୍ଗର, ଗୁୁପ୍‌ଚୁପ୍‌, ଦହିବରା ଆଳୁଦମ୍‌ ସମସ୍ତ ପ୍ରକାର ଚୋବାଇବା ପଦାର୍ଥ, ଚକୋଲେଟ୍‌, ମଇଦାରୁ ପ୍ରସ୍ତୁତ ପିଠା ଓ ବିସ୍କୁଟ୍‌, ପେଟିସ୍‌, ଜାମ୍‌ ଏବଂ ଜେଲି ପରି ଖାଦ୍ୟକୁ ବାରଣ କରାଯାଇଛି। ଏଗୁଡ଼ିକ ବ୍ୟତୀତ ମିଠା ଏବଂ ଲବଣଯୁକ୍ତ ଖାଦ୍ୟ ଯେପରି ପିଲାଙ୍କୁ ଦିଆ ନ ଯିବ, ସେଥିପ୍ରତି ଅଧିକ ଧ୍ୟାନ ଦେବାକୁ କୁହାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ଚେତାବନୀ ଦିଆଯାଇଥିଲା। ଏହି ନିୟମକୁ ଅଢ଼େଇ ବର୍ଷ ପରେ ରାଜଧାନୀର ସ୍କୁଲ୍‌ଗୁଡ଼ିକରେ ଏବେ କ’ଣ ଚାଲିଛି, ପିଲାମାନେ କିପରି ଖାଦ୍ୟ ଖାଉଛନ୍ତି ଓ ପିଲାମାନଙ୍କଠାରୁ ଆରମ୍ଭ କରି ଶିକ୍ଷକ/ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଏନେଇ କେତେ ସଚେତନ, ଏହା ଜାଣିବାକୁ ସମ୍ବାଦ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ବେସରକାରୀ ସ୍କୁଲ୍‌ ତ ଦୂରର କଥା ଖୋଦ୍‌ ସରକାରୀ ସ୍କୁଲ୍‌ଗୁଡ଼ିକରେ ସରକାରଙ୍କ ନିୟମକୁ ଏକପ୍ରକାର ଫୁ’ କରି ଦେଇଛନ୍ତି କର୍ତ୍ତୃପକ୍ଷ।
ରିପୋର୍ଟ: ସସ୍ମିତା ସାହୁ ଫଟୋ : ଅସିତ, ବିଭୂତି

ଗୁରୁବାର ଅପରାହ୍ନ ୧ଟା। ଆମେ ଯାଇ ପହଞ୍ଚିଥିଲୁ ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ସବୁଠାରୁ ବଡ଼ ସରକାରୀ ସ୍କୁଲ କ୍ୟାପିଟାଲ୍‌ ହାଇସ୍କୁଲରେ। ଦେଖିଲୁ ସ୍କୁଲ ଫାଟକ ଅଧା ଆଉଜା ଅଛି। ପିଲାମାନେ କେହି ବି ବାହାରେ ନାହାନ୍ତି। ସେତିକିବେଳେ ବାଜି ଉଠିଲା ସ୍କୁଲ ଘଣ୍ଟି। ଖେଳ ଛୁଟି ହେଲା। ଭାବିଲୁ ପଛପଟ ଫାଟକ ଟିକେ ଦେଖି ଆସିବାକୁ। ସେପଟେ ଯାଇ ଦେଖିଲୁ ଦହିବରାବାଲା ପ୍ଲେଟ୍‌ ପରେ ପ୍ଲେଟ୍‌ ସଜାଡ଼ି ଚାଲିଛି। ପଚାରିବୁ ଭାବିଲୁ। କିନ୍ତୁ ଅପେକ୍ଷା କଲୁ ୧୦ ମିନିଟ୍‌। ଦେଖିଲୁ ସ୍କୁଲ୍‌ ଫାଟକ ଫାଙ୍କ ଦେଇ କିଛି ପିଲା ହାତରେ ୧୦ ଟଙ୍କା ବଢ଼େଇଲେ। ଦହିବରା ବାଲା ବି ସାଙ୍ଗେସାଙ୍ଗେ ପ୍ଲେଟ୍‌ ପ୍ଲେଟ୍‌ ବଢ଼ାଇ ଦେଉଥିଲା। ଫାଟକ ସାଇଡ୍‌ରେ ଓ ତଳ ପଟ ଫାଙ୍କ ଦେଇ ଆଇସ୍‌କ୍ରିମ୍‌ ଓ ଦହିବରା ବେଧଡ଼କ ବଢ଼ାଇ ଚାଲିଥାନ୍ତି ସେମାନେ। ଚାହୁଁ ଚାହୁଁ ଗୋଟିଏ କି ଦୁଇଟି ନୁହେଁ ପିଲା ହାଉଯାଉ। ହେଲେ କିଛି ଛାତ୍ର ପାଚେରି ଡେଇଁ ବାହାରକୁ ଅତ୍ୟନ୍ତ ବିପଜ୍ଜନକ ଭାବେ ଅଧା ବାହାରି ଫାଟକ ଭିତରେ ଥିବା ପିଲାଙ୍କୁ ଦହିବରା ପ୍ଲେଟ୍‌ ମଧ୍ୟ ବଢ଼ାଇ ପକାଉଥାନ୍ତି। ଦୀର୍ଘ ଅଧ ଘଣ୍ଟା କାଳ ଏମିତି ଚାଲିଥିଲେ ବି ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ନିଘା ନଥିଲା। ବୁଝୁବୁଝୁ ଜଣାପଡ଼ିଲା ଯେ ଏହା ନିତିଦିନିଆ ଦୃଶ୍ୟ। ଶୁକ୍ରବାର ମଧ୍ୟାହ୍ନ ୧୨ଟା। ପହଞ୍ଚିଥିଲୁ ୟୁନିଟ୍‌-୯ କେନ୍ଦ୍ରୀୟ ବିଦ୍ୟାଳୟ-୧ରେ। ଦେଖିଲୁ ସ୍କୁଲ ଫାଟକ ସାମ୍ନାରେ ମେଲିଛି ଗୁପ୍‌ଚୁପ୍‌, ଚାଟ୍‌, ଦହିବରା, ବର୍ଫ ଗୋଲା, ସୋଢ଼ା ପାଣି ଆଦିର ଏକ ବଡ଼ ପସରା। ସ୍କୁଲ ଛୁଟି ହେଉ ହେଉ ପିଲାଙ୍କ ସୁଅ ଛୁଟିଲା ଏହି ଖାଦ୍ୟ ପସରା ଆଡ଼କୁ। ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ନିର୍ଦ୍ୱନ୍ଦ୍ୱରେ ଖାଇ ଚାଲିଥିଲେ ପିଲା। ବିଦ୍ୟାଳୟ ପରିସର ଓ ନିକଟବର୍ତ୍ତୀ ଅଞ୍ଚଳରେ ଏସବୁ ବିକ୍ରି ନିଷେଧ ହୋଇଥିଲେ ମଧ୍ୟ ଆଇନକୁ ଆଖିଠାର ନ୍ୟାୟରେ ନା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଏଥିପ୍ରତି କିଛି ନିଘା ଅଛି ନା ଅଭିଭାବକଙ୍କ ଦାୟିତ୍ୱ। ଦିନ ପ୍ରାୟ ୧ଟାରେ ପହଞ୍ଚିଥିଲୁ ୟୁନିଟ୍‌-୬ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ। ଦେଖିଲୁ ବିଦ୍ୟାଳୟ ପରିସରରେ ଗୋଟିଏ ପଟେ ମଧ୍ୟାହ୍ନ ଭୋଜନ ରନ୍ଧା ଚାଲିଛି। ଅନ୍ୟପଟେ ଝାଲ୍‌ ମଟର ଓ ଦହିବରାବାଲା ଠେଲା ଲଗାଇ ବସିଛନ୍ତି। କିନ୍ତୁ ପିଲା କେହି ନଥିଲେ। ବୋଧ ହୁଏ ଖେଳ ଛୁଟି ହୋଇନି ଭାବି ଅଧ ଘଣ୍ଟା ଅପେକ୍ଷା କଲୁ। ୧ଟା ୩୦ରେ ଖେଳ ଛୁଟି ବେଲ୍‌ ବାଜିଲା। ପିଲା ଦୌଡ଼ିଲେ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲା ମଧ୍ୟାହ୍ନ ଭୋଜନ ଆଡ଼କୁ ଏବଂ ନବମ ଓ ଦଶମ ଶ୍ରେଣୀ ପିଲା ଝାଲ୍‌ ମଟର ଓ ଦହିବରାବାଲା ଠେଲା ଆଡ଼କୁ।

‘‘ପିଲାମାନଙ୍କୁ ବାରମ୍ବାର ବାରଣ କରାଯାଉଛି। କ୍ଲାସ୍‌ ମନିଟର୍‌ ଓ ପିଅନମାନେ ଜଗୁଛନ୍ତି। କିନ୍ତୁ ପିଲା ଓ ଅଭିଭାବକଙ୍କ ସଚେତନତା ବିନା ଏହାକୁ ବନ୍ଦ କରିବା ଅସମ୍ଭବ। ପିଲାମାନଙ୍କୁ ଲଞ୍ଚ୍‌ ବକ୍ସ ନ ଦେଇ ଅଭିଭାବକ ପଇସା ଦେଉଛନ୍ତି। ଫଳରେ ପିଲାମାନେ ବାହାରୁ ଖାଉଛନ୍ତି।’’
ସୋନାମିକା ରାୟ, ପ୍ରଧାନ ଶିକ୍ଷୟିତ୍ରୀ

କ୍ୟାପିଟାଲ୍‌ ହାଇସ୍କୁଲ୍‌  
‘‘ଏନେଇ ଆମେ ପଦକ୍ଷେପ ନେବା ସହ ପିଲାମାନଙ୍କୁ ବାରମ୍ବାର ସଚେତନ କରାଉଛୁ। ଆଗକୁ ବିଦ୍ୟାଳୟକୁ ଲଞ୍ଚ୍‌ ବକ୍ସ ନେଇ ଆସିବା ବାଧ୍ୟତାମୂଳକ କରିବୁ। କିନ୍ତୁ ଅଭିଭାବକମାନେ ମଧ୍ୟ ସଚେତନ ହେବା ଦରକାର। ସ୍କୁଲ ନିକଟରେ ଏଭଳି ବ୍ୟବସାୟ କରୁଥିବା ବେପାରୀମାନଙ୍କୁ ମଧ୍ୟ ଲଗାମ ଦେବାକୁ ପ୍ରଶାସନ ପଦକ୍ଷେପ ନେବା ଉଚିତ।’’

ଆର୍ତ୍ତତ୍ରାଣ ମିଶ୍ର, ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ-୧
‘‘କିଛି ଦିନ ତଳେ ମୁଁ ଚାକିରିରେ ଯୋଗ ଦେଇଛି, ଏ ବିଷୟରେ ଅବଗତ ନଥିଲି। ଆଗକୁ ଏନେଇ ଧ୍ୟାନ ଦିଆଯିବା ସହ ପିଲାଙ୍କୁ ସଚେତନ କରାଯିବ। ’’
ନିରୂପା ବେହେରା, ପ୍ରଧାନ ଶିକ୍ଷୟତ୍ରୀ, ୟୁନିଟ୍‌-୬ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

ସମ୍ବନ୍ଧିତ ଖବର