କୋଣାର୍କ: ସୋମବାର ବିଳମ୍ବିତ ରାତ୍ରିିରେ କୋଣାର୍କ-ପୁରୀ ମେରାଇନ୍ ଡ୍ରାଇଭର ନିଆଖିଆ ବ୍ରିଜ୍ଠାରୁ ଅନତି ଦୂରରେ ହୋଇଥିବା ବିଏମଡବ୍ଳ୍ୟୁ କାର୍ ଦୁର୍ଘଟଣାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏହି ଦୁର୍ଘଟଣାର ବିଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ ଚଳାଇଥିଲେ ହେଁ ଘଟଣା ଉପରୁ ରହସ୍ୟ ତଥାପି ହଟିନାହିଁ । ପୁଲିସର ପ୍ରାଥମିକ ତଦନ୍ତ କାଳରେ ମିଳିଥିବା ସୂଚନା ମୁତାବକ ଗୋଟିଏ ବିଏମଡବ୍ଳ୍ୟୁ ଓ ଆଉ ଏକ ଅଡି କାର୍ରେ କଳିଙ୍ଗକେଶରୀ ସାମନ୍ତରାୟ ନିଜ ବନ୍ଧୁମାନଙ୍କ ସହିତ ଜନ୍ମଦିନ ପାଳନ କରିବାକୁ କୋଣାର୍କ ଆସୁଥିଲେ । ଉଭୟ ଗାଡ଼ିରେ ଥିବା ଯୁବକଯୁବତୀମାନଙ୍କର କୋଣାର୍କ ସହିତ ପୂର୍ବରୁ ସଂପର୍କ ଅତି ଘନିଷ୍ଠ । ଶ୍ରୀ ସାମନ୍ତରାୟଙ୍କ ଜଣେ ସଂପର୍କୀୟଙ୍କର ମେରାଇନ୍ ଡ୍ରାଇଭରେ ଏକ ରେଷ୍ଟୁରାଣ୍ଟ ରହିଛି। ଏଥିସହ ଗାଡ଼ିରେ ଥିବା ଅନ୍ୟ ସମସ୍ତ ଯୁବକଙ୍କର ମଧ୍ୟ କୋଣାର୍କରେ କେତେକ ସାଙ୍ଗସାଥୀ ରହିଛନ୍ତି। ସେମାନେ ନିୟମିତ ଏଠାକୁ ଆସି ଭୋଜିଭାତ କରିଥାନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ନନ୍ଦକିଶୋର ମହାପାତ୍ର (ନନ୍ଦୁ ) କେବଳ ଭୁବନେଶ୍ୱର ନୁହେଁ; ରାଜ୍ୟର ଜଣେ ଆଗଧାଡ଼ିର ପ୍ରତିଷ୍ଠିତ ଇଭେଣ୍ଟ ମ୍ୟାନେଜର ହୋଇଥିବା ବେଳେ କୋଣାର୍କରେ ତାଙ୍କର କେତେକ ସାଙ୍ଗସାଥୀ ରହିଛନ୍ତି । ଏପରିକି ଭୁବନେଶ୍ୱରରେ ରହୁଥିବା ନନ୍ଦୁଙ୍କର ଜଣେ ଅନ୍ତରଂଗ ବନ୍ଧୁ ତାପସ ମଲ୍ଲିକ(ଋଷି)ଙ୍କ ଘର ମଧ୍ୟ କୋଣାର୍କରେ । ଦୁର୍ଘଟଣା ଦିନ ତାପସ ମଧ୍ୟ ତାଙ୍କ ସହିତ କୋଣାର୍କ ଆସୁଥିଲେ । ତେବେ ସେ ଅଡି କାର୍ରେ ବସିଥିଲେ। ଦୁର୍ଘଟଣା ଘଟିବା ପରେ ସେ ଚାରିଆଡ଼କୁ ଖବର ପଠାଇବା ସହ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବାରେ ମୁଖ୍ୟ ଭୂମିକା ତୁଲାଇଥିଲେ । ଦୁର୍ଘଟଣା ରାତ୍ରିରେ ସେମାନେ କୋଣାର୍କ ଆସି ସକାଳେ ସୂର୍ଯ୍ୟୋଦୟ ଦେଖିବା ସହ ଦିନବେଳା ବଣଭୋଜି କରିଥାନ୍ତେ ଏବଂ ସନ୍ଧ୍ୟାରେ ଭୁବନେଶ୍ୱର ଫେରିବାର ଯୋଜନା ରହିଥିଲା । ତେବେ ନିଛାଟିଆ ରାସ୍ତାରେ ରାତିରେ ଦ୍ରୁତ ଗତିରେ ଗାଡ଼ି ଚଳାଇବା ଯୋଗୁଁ ନିୟନ୍ତ୍ରଣ ହରାଇଏଭଳି ଦୁର୍ଘଟଣା ଘଟିଥିବାର ଚର୍ଚ୍ଚା ଉଠିଛି । ତେବେ କୁହୁଡ଼ି ମଧ୍ୟ ଦୁର୍ଘଟଣାର ଅନ୍ୟତମ କାରଣ ବୋଲି ମଧ୍ୟ କୁହାଯାଉଛି । ଦୁର୍ଘଟଣାସ୍ଥଳ ଓ ଏହା ଉଭୟ ପାଖର ମାତ୍ର ୨୦୦ ମିଟର ଦୂରରେ ବିଗତ ଦିନମାନଙ୍କରେ ଏକାଧିକ ଦୁର୍ଘଟଣା ଘଟିଥିବାର ନଜିର ରହିଛି । କିଛି ଦିନ ପୂର୍ବରୁ ଏକ ଯାତ୍ରୀବାହୀ ବସ୍ ମଧ୍ୟ ଉକ୍ତ ସ୍ଥାନରେ ଓଲଟି ପଡ଼ିବାରୁ ଜଣକର ମୃତ୍ୟୁ ଘଟିଥିଲା । ତେବେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଥିବା ଦାମୀ ପୋଷାକୁକୁରର ଅନ୍ତର୍ଧାନ ଘଟଣାକୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଦୁର୍ଘଟଣାସ୍ଥଳ ନିକଟସ୍ଥ ଟିକନା ଗ୍ରାମ ପାଖରୁ ଉକ୍ତ କୁକୁରକୁ ସମାଜସେବୀ ନିରଂଜନ ବେହେରାଙ୍କ ଉଦ୍ୟମରେ ଉଦ୍ଧାର କରାଯାଇଛି । ପରେ ଏହାକୁ ଶ୍ରୀ ସାମନ୍ତରାୟଙ୍କ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ସେହିଭଳି ବିଏମଡବ୍ଲୁରେ ଜଣେ ଯୁବତୀ ଥିବା ବେଳେ ଅଡି କାରରେ ଏକାଧିକ ଯୁବତୀ ଥିବା ନେଇ ବିଭିନ୍ନ ମହଲରେ ଚର୍ଚା ଚାଲିଥିଲା। ତେବେ ବିଏମଡବ୍ଲୁରେ ଜଣେ ଓ ଅଡ଼ିରେ ବି ଜଣେମାତ୍ର ଯୁବତୀ ଥିଲେ ବୋଲି ଜଣାପଡ଼ିଛି। ପୁଲିସ ଅଡି କାର୍ ଓ ସେଥିରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରି ସେମାନଙ୍କୁ ପଚରାଉଚରା ପାଇଁ ଡକାଇଛି । ସେମାନଙ୍କ ବୟାନ ପରେ ଘଟଣାର ରହସ୍ୟ ଉନ୍ମୋଚିତ ହେବ ବୋଲି ଅନୁମାନ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ ଯେ ରବିବାର ରାତି ପ୍ରାୟ ସାଢେ ୩ଟା ସମୟରେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରାସ୍ତାରେ ଏକ ବିଏମ୍ଡବ୍ଲ୍ୟୁ କାର୍ ଗଛରେ ପିଟି ହେବାରୁ ନନ୍ଦ କିଶୋର ମହାପାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଯୁବତୀଙ୍କ ସମେତ ଅନ୍ୟ ୩ ଜଣ ଗୁରୁତର ଭାବେ ହୋଇଥିଲେ। ମୃତ ଯୁବକ ଜଣକ ହେଉଛନ୍ତି, ନନ୍ଦ କିଶୋର ମହାପାତ୍ର ଓରଫ ନନ୍ଦୁ। ଘର ଭୁବନେଶ୍ୱରର ଅଶୋକନଗରରେ। ଆହତ ଯୁବକ ଦ୍ୱୟ ହେଲେ ନୂଆପଲ୍ଲୀ ଅଞ୍ଚଳର କଳିଙ୍ଗକେଶରୀ ସାମନ୍ତରାୟ, ୟୁନିଟ-୬ ଅଞ୍ଚଳର ସୁମନ ପାତ୍ର ଓ ଯୁବତୀ ଜଣକ ହେଲେ ସିପ୍ରା ସୋନାଲି ବେହେରା। ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି।
ଶୋଭାଯାତ୍ରାରେ ଆସିଲା ନନ୍ଦୁଙ୍କ ମରଶରୀର
ଭୁବନେଶ୍ୱର: ମର୍ମନ୍ତୁଦ ଦୁର୍ଘଟଣାରେ ନନ୍ଦ କିଶୋର ମହାପାତ୍ର ଓରଫ ନନ୍ଦୁଙ୍କ ମୃତ୍ୟୁକୁ ନେଇ ଆଜି ଅଶୋକନଗର ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ଏକମାତ୍ର ପୁଅକୁ ହରାଇବା ପରେ ପରିବାର ଲୋକ ଏକ ପ୍ରକାର ଅସହାୟ ପଡ଼ିଛନ୍ତି। ନନ୍ଦୁ ଜଣେ ଆଗଧାଡ଼ିର ଜଣାଶୁଣା ଡିଜେ ଓ ଇଭେଣ୍ଟ ମ୍ୟାନେଜର ଥିବାରୁ ତାଙ୍କର ଏଭଳି ମୃତ୍ୟୁ ବନ୍ଧୁମାନଙ୍କୁ ସ୍ତବ୍ଧ କରିଦେଇଛି। ଗତକାଲି ନନ୍ଦୁଙ୍କ ମରଶରୀର ଅଶୋକନଗର ସ୍ଥିତ ବାସଭବନରେ ପହଞ୍ଚିଥିଲେ ହେଁ ତାଙ୍କର ଅନ୍ତିମ ସଂସ୍କାର କାରାଯାଇ ନଥିଲା। ତାଙ୍କର ଏକମାତ୍ର ଭଉଣୀ ଜର୍ମାନୀରେ ରହୁଥିବାରୁ ନନ୍ଦୁଙ୍କ ଅନ୍ତିମ ସଂସ୍କାର କରାଯାଇ ନଥିଲା। ଆଜି ନନ୍ଦୁଙ୍କ ଭଉଣୀ ସକାଳ ୯ଟାରେ ପହଞ୍ଚିବା ପରେ ଶବକୁ ଏକ ଶୋଭାଯାତ୍ରାରେ ଅଣାଯାଇ ସତ୍ୟନଗର ସ୍ଥିତ ମଶାଣୀରେ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।