ଅସୁରକ୍ଷିତ ମହିଳା ଯାତ୍ରୀ ପ୍ରତୀକ୍ଷାଳୟ

ଭୁବନେଶ୍ୱର ଷ୍ଟେସନ୍‌...

ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନ୍‌ ଏବେ ଲୁଟେରାଙ୍କ ଆଡ଼ାସ୍ଥଳରେ ପରିଣତ ହୋଇଛି। ଷ୍ଟେସନ୍‌ର କୋଣ ଅନୁକୋଣରେ ଲୁଟେରା, ପକେଟ୍‌ମାର ଚୋରମାନେ ଘୂରି ବୁଲୁଛନ୍ତି। ପ୍ରତ୍ୟେକ ଦିନ ଷ୍ଟେସନ୍‌ରୁ ଲୁଟପାଟ ଓ ଚୋରି ହେଉଛି। ଏପରିକି ଚଳନ୍ତା ଟ୍ରେନ୍‌ରେ ପକେଟମାର ମଧ୍ୟ ବଢ଼ି ଚାଲିଛି। କାହାର କେତେବେଳେ ମୋବାଇଲ୍‌ ଫୋନ୍‌ ଲୁଟ୍‌ ହେଲାଣି ତ କାହାର କ୍ୟାରିବ୍ୟାଗ୍‌, ଟ୍ରଲି। ଥରେ ଟ୍ରେନ୍‌ ଚାଲିବା ଆରମ୍ଭ କରିବା ପରେ ଯାତ୍ରୀଜଣକ କେଉଁଠି ଅଭିଯୋଗ କରିବ, ତାହା ମଧ୍ୟ ଜାଣି ପାରୁନାହିଁ। କେବଳ ଚଳନ୍ତା ଟ୍ରେନ୍‌ କାହିଁକି, ମହିଳାଯାତ୍ରୀ ପ୍ରତୀକ୍ଷାଳୟ ଏକ ପ୍ରକାର ଅସୁରକ୍ଷିତ ହୋଇ ପଡ଼ିଛି। ପ୍ରତିଦିନ ପ୍ରତୀକ୍ଷାଳୟ ଭିତରୁ ମହିଳା ଯାତ୍ରୀମାନଙ୍କ ମୋବାଇଲ୍‌ ଫୋନ୍‌, ବ୍ୟାଗ୍‌ ଆଦି ଚୋରି ହେଉଥିବା ଅଭିଯୋଗ ହୋଇ ଆସୁଅଛି। କିନ୍ତୁ ଜିଆର୍‌ପି କିମ୍ବା ଆର୍‌ପିଏଫ୍‌ ପୁଲିସ ସେମାନଙ୍କୁ ଧରପଗଡ଼ କରିବା ଦେଖିବାକୁ ମିଳେ ନାହିଁ। ବରଂ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି। କହୁଛନ୍ତି ଏହା ଆମ କାମ ନୁହେଁ। ଏଭଳି ପରିସ୍ଥିତିିରେ ଯାତ୍ରୀ ଜଣକ କେଉଁଠି ଅଭିଯୋଗ କରିବ ତାହା ମଧ୍ୟ ଜାଣିବାକୁ ସକ୍ଷମ ହେଉନାହିଁ।

ଭୁବନେଶ୍ୱର ଷ୍ଟେସନ୍‌ର ଏକ ନମ୍ବର ପ୍ଲାଟ୍‌ ଫର୍ମର ପାର୍ସଲ୍‌ ଗେଟ୍‌ ପାଖାପାଖି ରହିଛି ମହିଳା ଯାତ୍ରୀ ପ୍ରତୀକ୍ଷାଳୟ। ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ଏଠାରେ ବିଳମ୍ବରେ ଛାଡ଼ିବାକୁ ଥିବା ଟ୍ରେନ୍‌କୁ ଅପେକ୍ଷା କରିଥାନ୍ତି। କିନ୍ତୁ କେତେକ ଛଦ୍ମବେଶୀ ମହିଳାଯାତ୍ରୀ ବେଶରେ ଏହା ଭିତରେ ପଶି ଯାତ୍ରୀମାନଙ୍କ ସହିତ ମିଳାମିଶା କରିବା ବାହନାରେ ଲୁଟ୍‌ କରିଥାନ୍ତି। ଭୁବନେଶ୍ୱର ଷ୍ଟେସନ୍‌ ଭିତର ଓ ବାହାରେ ଏକ ମହିଳା ଚୋର ର‍୍ୟାକେଟ୍‌ ଦିନ ରାତି ୨୪ ଘଣ୍ଟା ଘୂରି ବୁଲୁଛନ୍ତି। ଷ୍ଟେସନ୍‌ ଭିତରେ ଏମାନେ ଯାତ୍ରୀମାନଙ୍କ ସହିତ ଉତ୍ତମ ବ୍ୟବହାର କରି ଫୁସଲା ଫୁସୁଲି କରିଥାନ୍ତି। ଏମାନଙ୍କ ପାଲରେ ଥରେ ଯାତ୍ରୀଟିଏ ପଡ଼ି ଗଲା ପରେ ସେମାନେ ଆରମ୍ଭ କରିଥାନ୍ତି ଲୁଟ୍‌। ମୋବାଇଲ୍‌ ଫୋନ୍‌, ବ୍ୟାଗ୍‌ ଭିତରେ ଥିବା ଟଙ୍କା ଓ ସୁନାଗହଣା ଚୋରି କରିବା ଏମାନଙ୍କ କାମ। ପୁରୁଷ ଓ ମହିଳା ଲୁଟେରାମାନେ ଭୁବନେଶ୍ୱର ଷ୍ଟେସନ୍‌ ଭିତରେ ବୁଲାବୁଲି କରୁଥିଲେ ମଧ୍ୟ ଆର୍‌ପିଏଫ୍‌ ଏ ଦିଗରେ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ପ୍ରକାଶଥାଉକି, ୩ ବର୍ଷ ତଳେ ଭୁବନେଶ୍ୱର ଷ୍ଟେସନ୍‌ରୁ ୩ଟି ଛୁଆ ଚୋରି ହୋଇଥିଲା। ଏହି ଘଟଣା ସେତେବେଳ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା।

ଚଳନ୍ତା ଟ୍ରେନ୍‌ରେ ଲୁଟ୍‌ ହେଲେ ଡାଏଲ-୧୫୧୨…
ଟ୍ରେନ୍‌ ଚାଲୁଥିବାବେଳେ ଆପଣ ଯଦି ଲୁଟ୍‌ର ଶିକାର ହେଉଛନ୍ତି ତା ହେଲେ ତୁରନ୍ତ ୧୫୧୨କୁ ଡାଏଲ କରନ୍ତୁ। ଏହାଦ୍ୱାରା ଲୁଟେରା ଜଣକ ତୁରନ୍ତ ଧରା ପଡ଼ିବାର ସମ୍ଭାବନା ରହିଛି। ଭୁବନେଶ୍ୱର ରେଳବାଇ ଥାନା ପୁଲିସ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ବିଭିନ୍ନ ସମୟରେ ଯାତ୍ରୀମାନଙ୍କର ଲୁଟ୍‌ପାଟ୍‌ ହେଲେ ସେମାନେ କେଉଁ ଥାନା ଓ କାହା ନିକଟରେ ଅଭିଯୋଗ କରିବେ ତାହା ଜାଣି ପାରନ୍ତି ନାହିଁ। ଯେଉଁଠି ଟ୍ରେନ୍‌ ରହେ, ସେହି ଷ୍ଟେସନ୍‌ରେ ଥିବା ଥାନାରେ ଯାତ୍ରୀମାନେ ଅଭିଯୋଗ କରିଥାନ୍ତି। କିନ୍ତୁ ସେତେବେଳକୁ ଲୁଟେରାମାନେ ଖସି ଯାଇଥାନ୍ତି। ପୁଲିସ ମଧ୍ୟ ଯେଉଁଠି ଲୁଟପାଟ ହୋଇଛି ସେଠାରେ ଅଭିଯୋଗ କରିବାକୁ କହି ଫେରାଇ ଦେଇଥାନ୍ତି। ଏହା ଛଡ଼ା ବିଭିନ୍ନ ସମୟରେ ଯାତ୍ରୀମାନଙ୍କୁ ଆର୍‌ପିଏଫ୍‌ ଓ ଅନ୍ୟ କର୍ମଚାରୀ ଲୁଟ୍‌ପାଟ୍‌ କରୁଥିବା ନଜିର ରହିଛି। ଏଭଳି ଘଟଣା ଘଟିଲେ ଯାତ୍ରୀମାନେ ମଧ୍ୟ ସେହି ନମ୍ବରକୁ ଡାଏଲ୍‌ କରି ସୂଚନା ଦେଇ ପାରିବେ ବୋଲି ରେଳବାଇ ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର