ରାସ୍ତାକଡ଼ର ଡ୍ରେନ୍‌କୁ ଫିଙ୍ଗନ୍ତୁ ନାହିଁ ଆବର୍ଜନା, ବିଏମ୍‌ସି ହାତରେ ଧରାପଡ଼ିଯିବେ

ଭୁବନେଶ୍ୱର: ରାସ୍ତାକଡ଼ରେ ଥିବା ଡ୍ରେନକୁ ଅଳିଆ ଆବର୍ଜନା ଫିଙ୍ଗିଲେ ଆଗାମୀ ଦିନରେ ହଇରାଣ ହେବାକୁ ପଡ଼ିବ। ଡ୍ରେନକୁ ଆବର୍ଜନା ମୁକ୍ତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସସ) ଯୋଜନା ପ୍ରସ୍ତୁତ କରିଛି। ଏପରିକି ଡ୍ରେନକୁ ଜଗିବା ପାଇଁ ବିଏମ୍‌ସି ସ୍କ୍ଵାର୍ଡ ଗଠନ କରିଛି। ସ୍କ୍ଵାର୍ଡ ଦୂରରେ ରହି ଲୋକମାନଙ୍କର ଗତିବିଧିକୁ ଲକ୍ଷ୍ୟ କରିବ। ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସୂଚନା ଅନୁସାରେ ଡ୍ରେନ୍‌କୁ ଆବର୍ଜନା ମୁକ୍ତ କରିବା ପାଇଁ ବିଏମ୍‌ସି ୨ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ଵାର୍ଡ ଟିମ୍‌ ଗଠନ କରିଛି। ଏହି ସ୍କ୍ଵାର୍ଡ ରାସ୍ତା କଡ଼ରେ ଥିବା ଡ୍ରେନ୍‌କୁ ବେଆଇନ ଭାବେ ଆବର୍ଜନା ଫିଙ୍ଗୁଥିବା ଲୋକଙ୍କ ଉପରେ ନଜର ରଖିବ। ଏନ୍‌ଫୋର୍ସମେଣ୍ଟ ସ୍କ୍ଵାର୍ଡ ଖଣ୍ଡଗିରି, ଫାୟାର ଷ୍ଟେସନ, ସିଆରପି, ଷ୍ଟେସନ ଛକ, ଜୟଦେବ ବିହାର, ଆଚାର୍ଯ୍ୟ ବିହାର କୁ ଅଧିକ ଗୁରୁତ୍ୱ ଦେବ। ସେହିପରି ଲିଙ୍ଗିପୁର ରୁ ପଲାସୁଣିକୁ ଅଧିକ ଗୁରୁତ୍ୱ ଦେବ। ଏତଦ୍‌ ବ୍ୟତୀତ ସହରର ଅନ୍ୟ ସମ୍ବେଦନଶୀଳ ଅଂଚଳ ଉପରେ ମଧ୍ୟ ଗୁରୁତ୍ୱ ଦେବ। ସ୍କ୍ଵାର୍ଡରେ ବିଏମସି, ପୁଲିସ, ଟ୍ରାଫିକ ଓ ଆରଟିଓ କର୍ମଚାରୀ ରହିବେ।

ଭୁବନେଶ୍ୱରକୁ ଅଧିକ ସୁନ୍ଦର କରିବା ପାଇଁ ବିଏମ୍‌ସି ତରଫରୁ ସବୁବେଳେ ଉଦ୍ୟମ ହେଉଛି। ତେଣୁ ଏଥର ବିଏମସି ପରିବେଶ ଯେପରି ସଫାସୁଥୁରା ରହିବ ସେଥିପାଇଁ କାମ କରୁଛି। ରାଜଧାନୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏବେ ବିଏମସି ଖୋଲା ଶୌଚମୁକ୍ତ ଅଂଚଳ କରିବା ନେଇ ନିଷ୍ପତି ନେଇଛି। ବିଏମସିର ନୋଟିସରୁ ଜଣାପଡ଼ିଛି ଯେ, ବାହାରେ ଶୌଚ କଲେ ୨୦୦ ଟଙ୍କା ଓ ପରିଶ୍ରା କଲେ ୧୫୦ ଟଙ୍କା ଦଣ୍ଡ ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର