‘କେନ୍ଦ୍ରର ଅବହେଳାକୁ ବରଦାସ୍ତ କରାଯିବ ନାହିଁ’

ଭୁବନେଶ୍ୱର ଉତ୍ତର ବିଧାନସଭା କ୍ଷେତ୍ରରେ ବିଜୁ ଯୁବ-ଛାତ୍ର ଜନତା ଦଳର କର୍ମଶାଳା

ଚନ୍ଦ୍ରଶେଖରପୁର: ଭାରତୀୟ ବିଚାର ବ୍ୟବସ୍ଥାକୁ ଖଣ୍ଡ ଖଣ୍ଡ କରିବାକୁ ଚେଷ୍ଟା କରୁଥିବା ରାଜନୈତିକ ଦଳ ବିରୋଧରେ ଦୃଢ଼ ସ୍ୱର ଉତ୍ତୋଳନ କରାଯିବ। ଜାତି, ଧର୍ମ, ସଂପ୍ରଦାୟକୁ ନେଇ ରାଜନୀତିରେ ବିଷ ମଞ୍ଜି ବୁଣୁଥିବା ବିଜେପିକୁ ଚେତାଇ ଦେବାର ବେଳ ଆସିଛି। କାହିଁକି ଶୁଖିଲା ପଡ଼ିଛି ମହାନଦୀ। ଏ ସଂପର୍କରେ ରାଜ୍ୟର ଘରେ ଘରେ ସଚେତନତା ସୃଷ୍ଟି କରିବାର ସମୟ ଆସିଛି। ବିଦ୍ୟାଳୟସ୍ତରରେ ମହାନଦୀ ପାଣି ଶୁଖିଲାକୁ ନେଇ ବିଭିନ୍ନ ପ୍ରକଳ୍ପମାନ କରିବା ଆବଶ୍ୟକ। ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରୀୟ ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ମତ ଦେଇଛନ୍ତି। ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜୁ ଯୁବ-ଛାତ୍ର ଜନତା ଦଳର ଏକ କର୍ମଶାଳାରେ ଯୋଗଦେବା ଅବସରରେ ଶ୍ରୀ ପଟ୍ଟନାୟକ ଏପରି ମତ ଦେଇଥିଲେ।

ଏହି କର୍ମଶାଳାରେ ଯୋଗ ଦେଇଥିବା ଶତାଧିକ ଯୁବକ ଓ ଛାତ୍ରମାନଙ୍କୁ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ବ୍ରାଣ୍ଡ୍‌କୁ ଆହୁରି ଅଧିକ ବୃଦ୍ଧି କରିବାକୁ ହେଲେ ଆମକୁ କିଛି କଥା ମାନିବାକୁ ପଡ଼ିବ। ବିଜୁ ଛାତ୍ର ଓ ଯୁବ ଜନତା ଦଳର ସମସ୍ତ କର୍ମକର୍ତା ରକ୍ତଦାନରେ ସକ୍ରିୟ ଅଂଶଗ୍ରହଣ କରିବା, ନିଶା ସେବନ ନ କରିବା, ଶାରୀରିକ ସାମର୍ଥ୍ୟ ସହିତ ବୌଦ୍ଧିକ ବିକାଶକୁ ଗୁରୁତ୍ୱ ଦେବା, ରାଜ୍ୟ ସରକାର ଗଠନ କରିଥିବା ବିଜୁ ଯୁବ ବାହିନୀରେ ଯୋଗଦେବା, ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ସମୟରେ ଯୁବ ଓ ଛାତ୍ର କର୍ମକର୍ତାମାନେ ଗୋଟିଏ ପ୍ରକାର ପୋଷାକ ପିନ୍ଧିବା ଆଦି ବିଷୟକୁ ଧ୍ୟାନ ଦେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ ନିଜକୁ ସଠିକ୍‌ ଢଙ୍ଗରେ ଗଢ଼ିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପଲ୍ଲୀ ଠୁଁ ଦିଲ୍ଲୀ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସଭାପତି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ କିପରି ସର୍ବବ୍ୟାପୀ ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ ଶ୍ରୀ ସାମନ୍ତ। ଏହି ଅବସରରେ ଏହି ନିର୍ବାଚନମଣ୍ଡଳୀ ତଥା ରାଜ୍ୟସ୍ତରୀୟ କର୍ମକର୍ତାମାନେ ସାଂସଦ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ସାମନ୍ତଙ୍କୁ ଭବ୍ୟ ସମ୍ବର୍ଧନା ଜ୍ଞାପନ କରିଥିଲେ। ସ୍ଥାନୀୟ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଲୋକସଭା ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଖୋର୍ଧା ଜିଲ୍ଲା ପ୍ରଭାରୀ ତଥା ବିଧାୟକ ଦେବାଶିଷ ନାୟକ ଯୋଗ ଦେଇଥିଲେ। ଦଳୀୟ ନେତାମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ମହାନଦୀ ଠୁଁ ଆରମ୍ଭ କରି ବିଭିନ୍ନ ବିଷୟରେ ବିଷୋଦ୍‌ଗାର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ରାଜେଶରାଜ ସ୍ୱାଇଁ, ଯୁବନେତା ପ୍ରକାଶ ତ୍ରିପାଠୀ, ସମରେନ୍ଦ୍ର ସାହୁ, ମନୋଜ ସାହୁ (ଅଖି), ମିହିର ରାଉତ, ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ମୋନାଲିସା ସାହୁ, ଭାରତୀ ସିଂହ, ମାନସୀ ସୁନ୍ଦରାୟ, ସୁର୍ଯ୍ୟକାନ୍ତୀ ଜେନା, ଜୟନ୍ତୀ ଜେନାଙ୍କ ସହିତ ନିର୍ବାଚନମଣ୍ଡଳୀସ୍ତରୀୟ ନେତା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର