ଲୈଲା… ନଚାଇଲା…

ଲାଲ୍‌ ପରୀଙ୍କ ଦେଶୀ ରକ୍‌ ସୋ

ଭୁବନେଶ୍ବର : ତୁଣ୍ଡରେ ଥିଲା ବଲିଉଡ୍‌ ବିଟ୍‌ସ। କଣ୍ଠରେ ଥିଲା ଦେଶୀ ରକ୍‌ର ଝଲକ। ବଲିଉଡ୍‌ର ଖ୍ୟାତନାମା ଶିଳ୍ପୀ ଓଡ଼ିଆ ଝିଅ ସୋନା ମହାପାତ୍ରଙ୍କ ତଡ଼କା ଗୀତରେ ଶୀତୁଆ ସଂଜରେ ନିଆଁ ଲାଗି ଯାଇଥିଲା। ଓଡ଼ିଆ ହେଉ କି ପଞ୍ଜାବୀ। ତେଲୁଗୁ ହେଉ ଅବା ରାଜସ୍ଥାନୀ। ତାଙ୍କ ସ୍ବରରେ ଦେଶର ଅଧିକାଂଶ ରାଜ୍ୟର ମହକ ଅନୁଭବ କରିଥିଲେ ସମବେତ ଦର୍ଶକ। ତେବେ ଶେଷରେ ‘ଲୈ‌ଲା ହୋ ଲୈଲା… ପିଲାଠୁ ବୁଢ଼ା ଯାଏଁ ନଚାଇଥିଲା। ଅବସର ଥିଲା ବିଡିଏ ପକ୍ଷରୁ ଆୟୋଜିତ ଡଟ୍‌ ଫେଷ୍ଟିଭାଲ୍‌ର ତୃତୀୟ ସନ୍ଧ୍ୟା।

ଠିକ୍‌ ୭ଟା ୪୭ ମିନିଟ୍‌ରେ ସମ୍ବଲପୁରୀ ଛିଟବାଲା ବାଲ୍‌କି ପରିଧାନ କଳି ମଞ୍ଚକୁ ଆସିଥିଲେ ସୋନା। ଲାଲ୍‌ ପରୀ ମସ୍ତାନୀ ସୋ’ରେ ‘ମନ୍‌ ତେରା ଜୋ ରୋଗ୍‌ ହୈ…, ଜିୟା ଲଗେନା ତୁମ୍‌ ବିନ୍‌ ମୋରା…, ଆଜାବେ ଆଜାବେ ଆଜାଭି ଯା.., ଐସା ଦେଖା ନେହିଁ ଖୁବ୍‌ସୁରତ୍‌ କୋଇ.., ପିୟାରେ ପିୟାରେ.., ଅମ୍ବ ରସିୟା…, ଦିଲ୍‌ ଆଜ୍‌କଲ୍‌ ମେରି ସୁନ୍‌ତା ନେହିଁ.., ହୋରେ ଚିରୟା ମେରେ ଚିଡ଼ିୟା.., ମେ ତୋ ପିୟାସେ ନୈନା ମିଲା ଆୟିରେ.., ହାଏ ହାଏରେ ସଜ୍‌ନା.. ଭଳି ଗୀତ ଗାଇ ନିଜେ ନାଚିବା ସହ ଦର୍ଶକଙ୍କୁ ନଚେଇଥିଲେ ସୋନା। ମୀରାବାଈଙ୍କ ପୁରୁଣା ରଚନା ଏବଂ ପଞ୍ଚମ୍‌ ଦାଙ୍କ କାଳଜୟୀ ସଂଗୀତଠୁ ନେଇ ନୁସ୍‌ରତ ଫତେ ଅଲ୍ଲୀ ଖାନ୍‌ଙ୍କ କବାଲିର ତଡ଼କା ମଂଚରେ ଭେଟି ଦେଇଥିଲେ। ଓଡ଼ିଆ ଓ ହିନ୍ଦୀ ଗୀତ ସମେତ, ରାଜସ୍ଥାନୀ, ପଂଜାବୀ, ଛତିଶଗଡ଼, ବିହାର, ପଂଜାବୀ ଗୀତର ତଡ଼କାରେ ଅଢ଼େଇ ଘଣ୍ଟା ଶ୍ରୋତାଙ୍କୁ ବିଭୋର କରିଥିଲେ।

ଓଡ଼ିଶା ମାଟିର ଝିଅ ଭାବେ ମୁଁ ଗର୍ବିତ

ଏହି ରାଜଧାନୀରେ ରିକ୍ସା ଚାଳକଙ୍କୁ ରିକ୍ସା ଚଳାଇ ପରିଶ୍ରମ କରୁଥିବା ଦେଖିଛି। ହେଲେ ଆଜି ଅନେକ ସକରାତ୍ମକ ପରିବର୍ତନ ଆସିଥିବା ଦେଖି ଗର୍ବ ଅନୁଭବ କରୁଛି। ପିଲାବେଳେ ମୁଁ ଓଡ଼ିଆ ସ୍କୁଲ୍‌ରେ ପଢ଼ିଛି। କିନ୍ତୁ ମୋ ବାପାଙ୍କ ବଦଳି ଯୋଗୁଁ ଓଡ଼ିଶାରେ ମୋ’ର କମ୍‌ ଏବଂ ବାହାରେ ବେଶିଦିନ ବିତିଛି। ଓୟୁଏଟିରେ ହଷ୍ଟେଲ୍‌ ନଂ ୧୦ରେ ଗୀତ ଶୁଣିବା ଏବଂ ସିଇଟିରେ ଇଂଜିନିୟରିଂ ବେଳର ଅନୁଭୂତି ଏପର୍ଯ୍ୟନ୍ତ ବି ତାଙ୍କର ମନେ ଅଛି ବୋଲି ସେ କହିଛନ୍ତି।

ଉଚ୍ଚାରଣ ଭୁଲ୍‌ ହେଲେ କ୍ଷମା କରିବେ

ସୋନ‌ା ଯେବେ ‌ଓଡ଼ିଆ ଗୀତ ଗାଇବା ଆରମ୍ଭ କ‌ଲେ, ଏହା ପୂର୍ବରୁ ନିଜର ଉଚ୍ଚାରଣ ଜନିତ ତ୍ରୁଟି ରହିଲେ କ୍ଷମା କରିବେ ବୋଲି କହି ଗୀତ ଆରମ୍ଭ କରିଥିଲେ। ରଙ୍ଗବତୀ…, ଆରେ ମୋର ନୀଳମଣି.., ରସରକେଲି.. ଭଳି ଓଡ଼ିଆ ଗୀତ ଗାଇବା ବେଳେ ଶବ୍ଦ ଉଚ୍ଚାରଣରେ ତ୍ରୁଟି ରହୁଥିଲା। ମାତ୍ର ସୋନାଙ୍କ ଦେଶୀ ରକିଂ ଷ୍ଟାଇଲ୍‌ ଦର୍ଶକଙ୍କୁ ସବୁକିଛି ଭୁଲିଯିବାକୁ ବାଧ୍ୟ କରିଥିଲା।

ନିରାମିଷ ଆଡ଼େ ମନ ଢଳିଲା

ରବିବାର ଖାଦ୍ୟ ହାଟରେ ଚୁଲାକୁ ବିଶ୍ରାମ ନଥିଲା କି ସେଫ୍‌ଙ୍କୁ ଫୁର୍‌ସତ ନଥିଲା। ଅନ୍ତର୍ଜାତୀୟ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲ୍‌ରେ ସପରିବାର ପହଞ୍ଚିବା ପରେ ଆମିଷ ପାଇଁ ‌ମନ ଯେମିତି ବିକଳ ହେଉଥିଲା। ମାତ୍ର ଆଜି ଖାଦ୍ୟ ହାଟ ଟିକେ ମାନ୍ଦା ରହିଥିଲେ ବି ଭିଡ଼ କମି ନଥିଲା। ଆମିଷ ଅପେକ୍ଷା ‌ନିରାମିଷ ଆଡ଼କୁ ମନ ବେଶି ଢଳିଥିଲା। ସବୁ ଷ୍ଟଲ୍‌ରେ ବିଭିନ୍ନ ଦେଶର ନିରାମିଷ ଓ ଆମିଷ ଖାଦ୍ୟ ମିଶି ରହିଥିବାରୁ ଆଜି ଆମିଷ ଅର୍ଡର ବେଶି ଆସୁଥିଲା। ବିଶେଷକରି ଓଡ଼ିଆ ଚକୁଳି, ବରା, ପିଠା, ଦହିବରା ଆଳୁଦମ୍‌, ମଟର ଘୁଗୁନି, ଗୁଲୁଗୁଲା ଖାଇବାକୁ ମନ ଟାଣିଥିଲା। ୨୧ଟି ଷ୍ଟଲ୍‌ରେ ବିଭିନ୍ନ ରକମର ଖାଦ୍ୟ ବିକ୍ରି ହେଉଥିବା ବେଳେ ଗତକାଲି ବିକ୍ରିବଟା ୧୫ଲକ୍ଷ ଛୁଇଁଥିଲା।

ସମ୍ବନ୍ଧିତ ଖବର