ଶୋଇବା ଘରୁ ମିଳିଲା ଡାକ୍ତରାଣୀଙ୍କ ମୃତଦେହ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ଶ୍ରୀବିହାର ଅଞ୍ଚଳର ଏକ ଘରୁ ଜଣେ ଜଣେ ଡାକ୍ତରାଣୀଙ୍କ ମୃତଦେହ ଜବତ କରିଛି। ତାଙ୍କ ନାଁ ମନସ୍ୱିନୀ ବାରିକ( ୨୬)। ଘର ବରଗଡ଼ର ମେଳ୍‌ଛାମୁଣ୍ଡାରେ। ଏଠାରେ ସେ କେୟାର୍‌ ହସ୍ପିଟାଲ୍‌ର ଆଇସିୟୁ ବିଭାଗରେ ଡାକ୍ତରାଣୀ ଥିଲେ।

ଆଜି ସକାଳେ ପୁଲିସ ଖବର ପାଇ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପୁଲିସ ଡାକ୍ତରାଣୀଙ୍କ ଘରୁ ନିଶା ଇଂଜେକସନ୍‌ ଓ ସିରିଞ୍ଜ ଜବତ କରିଛି। ତେଣୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି। ପରିବାର ଲୋକ କିନ୍ତୁ ଝିଅର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି। ଝିଅକୁ ହତ୍ୟା କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ହତ୍ୟା ନା ଆତ୍ମହତ୍ୟା
ନିଶା ଇଞ୍ଜେକ୍‌ସନ୍‌, ସିରିଞ୍ଜ ଜବତ
କାରଣ ଅସ୍ପଷ୍ଟ, ସନ୍ଦେହ ଘେରରେ ପୁରୁଷ ବନ୍ଧୁ

ମିଳିଥିବା ସୂଚନା ଅନୁଯାୟୀ, ମନସ୍ୱିନୀ କଟକରେ ଡାକ୍ତରୀ ପାଠ ପଢ଼ିବା ପରେ ସେଠାକାର ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ। ପରିବାର ଲୋକ ବଡ଼ ଧୁମ୍‌ଧାମ୍‌ରେ ଉଭୟଙ୍କ ବିବାହ ବରଗଡ଼ରେ କରାଇଥିଲେ। ହେଲେ ମାତ୍ର ଦୁଇ ବର୍ଷ ପରେ ୨୦୧୭ ଡିସେମ୍ବରରେ ମନସ୍ୱିନୀଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଏହା ପରେ ମନସ୍ୱିନୀ ତାଙ୍କ ଭାଇଙ୍କ ସହ ଭୁବନେଶ୍ୱର ଆସି ଶ୍ରୀବିହାରରେ ଏକ ଭଡ଼ାରେ ରହୁଥିଲେ। ଗତକାଲି ମନସ୍ୱିନୀଙ୍କ ଭାଇ ନୂଆଖାଇ ଉତ୍ସବ ପାଳନ କରିବା ପାଇଁ ଗାଁକୁ ଚାଲି ଯାଇଥିଲେ। ଡାକ୍ତରଖାନାରୁ ମନସ୍ୱିନୀ ଫେରି ଏକା ରହିଥିଲେ। ସଂଧ୍ୟାରେ କୌଣସି କାରଣକୁ ନେଇ ସେ ମୋବାଇଲ୍‌ରେ କାହାକୁ ଚିତ୍କାର କରି କଥା ହେଉଥିବା ଶୁଣା ଯାଇଥିଲା। ତେବେ ସକାଳୁ କବାଟ ଫିଟିନଥିଲା। ପଡ଼ୋଶୀ ଲୋକ ଝରକା ବାଟେ ଦେଖିଥିଲେ ଯେ ଡାକ୍ତରାଣୀଙ୍କ ମୃତଦେହ ଶୋଇବା ଘର ବେଡ୍‌ ଉପରେ ପଡ଼ିଛି। ସେମାନେ ପୁଲିସ୍‌କୁ ସୂଚନା ଦେଇଥିଲେ। ତାଙ୍କ ଡାହାଣ ହାତରେ ଏକ ଇଞ୍ଜେକସନ୍‌ ଥିବା ବେଳେ ବେଡ୍‌ ଉପରେ ଏକ ଭ୍ୟାଟ୍ରୋନିୟମ୍‌ (ନିଶା ଔଷଧ) ବୋତଲ ପଡ଼ିଥିଲା। ଆଉ ଏକ ବୋତଲ ତାଙ୍କ ଡଷ୍ଟବିନ୍‌ରୁ ପୁଲିସ୍‌ ଜବତ କରିଛି। ତାଙ୍କ ବାମ ହାତରେ ଇଞ୍ଜେକସନ୍‌ ନିଆଯାଇଥିବା ଦାଗ ରହିଛି। ଯହାକୁ ଆଧାର କରି ଡାକ୍ତରାଣୀଜଣଙ୍କ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଗତ କିଛି ଦିନ ହେବ ମନସ୍ୱିନୀଙ୍କ ସହିତ ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କ ସମ୍ପର୍କ ଗଢ଼ି ଉଠିଥିଲା। ସେହି ଯୁବକ ଜଣକ ଏବେ ପୁଲିସର ନଜରରେ ଅଛନ୍ତି। ଅନ୍ୟପକ୍ଷରେ ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କ ଝିଅ ଆତ୍ମହତ୍ୟା କରିବା ପରସ୍ଥିତିରେ ନଥିଲେ। ଏଣୁ ତାଙ୍କୁ ହତ୍ୟା କରାଯାଇଛି। ପୁରୁଷ ବନ୍ଧୁଙ୍କ ଭୂମିକାକୁ ନେଇ ସେମାନେ ସନ୍ଦେହ କରୁଛନ୍ତି। ଚନ୍ଦ୍ରଶେଖରପୁର ଥାନା ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର