ଔଷଧ ମିଳୁଛି, ନେବା ପାଇଁ କଣ୍ଟେନର୍‌ ନାହିଁ

ବାହାର ଦୋକାନରୁ ୩ ଟଙ୍କା ଦେଇ କିଣୁଛନ୍ତି ରୋଗୀ

ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜରେ ଅବ୍ୟବସ୍ଥା

ଭୁବନେଶ୍ୱର : ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜ ଏଣ୍ଡ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି। ହସ୍ପିଟାଲରେ ରୋଗୀଙ୍କୁ ଦିଆଯିବା ପାଇଁ ଔଷଧ ରହିଛି ହେଲେ ଏହାକୁ ନେବା ପାଇଁ କଣ୍ଟେନର ନାହିଁ। ଫଳରେ ରୋଗୀମାନଙ୍କୁ ଏଥିପାଇଁ ବାହାରୁ କଣ୍ଟେନର କିଣିବାକୁ ପଡ଼ୁଛି।

କେବଳ କଣ୍ଟେନରରେ ଅବ୍ୟବସ୍ଥା ସରିଯାଇ ନାହିଁ। ହସ୍ପିଟାଲରେ ଚାଲିଥିବା ଅଧିକାଂଶ ବହିର୍ବିଭାଗରେ ଷ୍ଟେଥୋସ୍କୋପ୍‌, ଓଜନ ମାପକ ଯନ୍ତ୍ର ଓ ରକ୍ତଚାପ ଯନ୍ତ୍ର ନାହିଁ। ଯାହାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସୂଚନା ଅନୁଯାୟୀ, ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜ ଏଣ୍ଡ ହସ୍ପିଟାଲ ରାଜ୍ୟର ଏକ ଅଗ୍ରଣୀ ହୋମିଓପ୍ୟାଥିକ ସ୍ୱାସ୍ଥ୍ୟାନୁଷ୍ଠାନ। ମାତ୍ର ହସ୍ପିଟାଲରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଲାଗି ରହିଛି। କିଛି ମାସ ପୂର୍ବରୁ ହସ୍ପିଟାଲରେ ଅତ୍ୟନ୍ତ ଆବଶ୍ୟକ ଥିବା ଗ୍ଲୋବୁଲ୍‌ସ ନ ମିଳିବାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ମାତ୍ର ଏବେ ଗ୍ଲୋବୁଲ୍‌ସ ମିଳୁଥିଲେ ହେଁ ୧୫ ମିମି କଣ୍ଟେନର ଦୀର୍ଘ ଦିନ ଉପଲବ୍ଧ ହେଉ ନାହିଁ। ଡାକ୍ତର ରୋଗୀ ଦେଖି ସାରିବା ପରେ କଣ୍ଟେନର ବାହାରୁ କିଣିବା ପାଇଁ କହୁଛନ୍ତି। ନିକଟସ୍ଥ କେତେକ ଦୋକାନୀ କଣ୍ଟେନର ପାଇଁ ୩ ଟଙ୍କା ନେଉଛନ୍ତି।

ହସ୍ପିଟାଲରେ କଣ୍ଟେନର ଉପଲବ୍ଧ ନ ହେବାରୁ ଜଣେ କର୍ମଚାରୀ ଏହାକୁ ୨ଟଙ୍କା ଦରରେ ହସ୍ପିଟାଲରେ ରୋଗୀଙ୍କୁ ଯୋଗଇବା ଆରମ୍ଭ କରିଥିଲେ। ମାତ୍ର କେତେକ କର୍ମଚାରୀ ଏଭଳି ବ୍ୟବସ୍ଥା ନେଇ ଅଭିଯୋଗ କରିବା ପରେ ସେ କଣ୍ଟେନର ବିକ୍ରି କରିବା ବନ୍ଦ କରି ଦେଇଥିଲେ। ଫଳରେ ପୂର୍ବଭଳି ଲୋକମାନେ ବାହାର ଦୋକାନରୁ ଏହାକୁ କିଣୁଛନ୍ତି। ଦୀର୍ଘ ଦିନ ଏହି ଅବ୍ୟବସ୍ଥା ଲାଗି ରହିଥିଲେ ହେଁ ହସ୍ପିଟାଲ କର୍ତୃପକ୍ଷ କିମ୍ବା ଆୟୁଷ ନିର୍ଦେଶାଳୟ ଏହାର ସମାଧାନ କରିପାରୁ ନାହାନ୍ତି।

ଅପରପକ୍ଷରେ ୧୬ଟି ବହିର୍ବିଭାଗ ବା ଓପିଡି କାର୍ଯ୍ୟ କରୁଛି। ଗତ କିଛି ମାସ ପୂର୍ବରୁ ହସ୍ପିଟାଲର କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ଏକ ବୈଠକରେ ସବୁ ବହିର୍ବିଭାଗରେ ଷ୍ଟେଥୋସ୍କୋପ୍‌, ଓଜନ ମାପକ ଯନ୍ତ୍ର ଓ ରକ୍ତଚାପ ଯନ୍ତ୍ର ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର କେତେକ ନିର୍ଦ୍ଦିଷ୍ଟ ବହିର୍ବିଭାଗରେ ଡାକ୍ତର ଏସବୁ ଯନ୍ତ୍ର ପରୀକ୍ଷା ପାଇଁ ରଖୁ ନ ଥିବା ଅଭିଯୋଗ ହୋଇଛି। ଏ ସମସ୍ୟା ମଧ୍ୟ ଦୀର୍ଘ ଦିନରୁ ଚାଲି ଆସିଛି।

ଏଥିପାଇଁ ହସ୍ପିଟାଲ କର୍ତୃପକ୍ଷ ଆବଶ୍ୟକ ଯନ୍ତ୍ର କିଣିଥିଲେ ହେଁ ତାହା ଷ୍ଟୋରରେ ଖତ ଖାଉଛି। ଏହାସହ ହସ୍ପିଟାଲରେ ରୋଗୀଙ୍କୁ ଔଷଧ ପ୍ରଦାନ କରିବା ପାଇଁ କାର୍ଯ୍ୟରତ ହୋମିଓ ଆସିଷ୍ଟାଣ୍ଟଙ୍କୁ ଅପରାହ୍‌ଣ ଓ ସଂଧ୍ୟାରେ ଦେଖିବାକୁ ମିଳୁନାହିଁ। ୩ଟି ପର୍ଯ୍ୟାୟ ପାଇଁ ୩ଜଣ ହୋମିଓ ଆସିଷ୍ଟାଣ୍ଟ ହସ୍ପିଟାଲରେ ନିଯୁକ୍ତ ହୋଇଥିଲେ ହେଁ ସକାଳକୁ ବାଦ୍‌ ଦେଲେ ଅନ୍ୟ ସମୟରେ କେଉଁ ହସ୍ପିଟାଲରେ ଉପଲବ୍ଧ ହେଉ ନ ଥିବାରୁ ରୋଗୀମାନେ ହସ୍ପିଟାଲକୁ ଯିବାକୁ ପସନ୍ଦ କରୁ ନାହାନ୍ତି। ଦୀର୍ଘଦିନ ଧରି ଏଭଳି ଅବ୍ୟବସ୍ଥା ହସ୍ପିଟାଲରେ ଲାଗି ରହିଛି।

ହସ୍ପିଟାଲର ଅଧ୍ୟକ୍ଷ ଡା.ସୁଧୀର ଦାଶଙ୍କ କହିବାନୁଯାୟୀ, ହସ୍ପିଟାଲରେ କଣ୍ଟେନର କିଣିବାର କ୍ଷମତା ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ ନାହିଁ। ଏଥିପାଇଁ ଆୟୁଷ ନିର୍ଦେଶାଳୟର ଦୃଷ୍ଟି ଆକର୍ଷଣ କରାଯାଇଛି। ରାଜ୍ୟ ଔଷଧ ନିଗମ ପକ୍ଷରୁ ହସ୍ପିଟାଲକୁ ଔଷଧ ଓ ଅନ୍ୟାନ୍ୟ ଜିନିଷ ଯୋଗାଇ ଦିଆଯାଇଥାଏ। ଅପରପକ୍ଷରେ ବହିର୍ବିଭାଗରେ ଡାକ୍ତର ଷ୍ଟେଥୋସ୍କୋପ୍‌, ଓଜନ ମାପକ ଯନ୍ତ୍ର ଓ ରକ୍ତଚାପ ଯନ୍ତ୍ର ରଖୁଛନ୍ତି। ଡାକ୍ତରମାନେ ମଧ୍ୟ ନିଜ ତରଫରୁ ଏହାକୁ ରୋଗୀଙ୍କ ପାଇଁ ବ୍ୟବହାର କରୁଛନ୍ତି ବୋଲି ଡା.ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର