ଡାକ୍ତର ନିରଞ୍ଜନ ମହାନ୍ତିଙ୍କୁ ଜାତୀୟ ସମ୍ମାନ

ଭୁବନେଶ୍ୱର : ବିଶ୍ୱ ହୋମିଓପାଥିକ ଦିବସ ଅବସରରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ବୈଜ୍ଞାନିକ ସମ୍ମିଳନୀରେ ଡ. ଅଭିନ ଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ନିରଞ୍ଜନ ମହାନ୍ତିଙ୍କୁ ହୋମିଓପାଥିକ ଅନୁସନ୍ଧାନ ପରିଷଦ ପକ୍ଷରୁ ୨୦୧୮ ମସିହାରେ ‘ଶ୍ରେଷ୍ଠ ହୋମିଓପାଥିକ ଶିକ୍ଷକ’ ସମ୍ମାନରେ ସମ୍ମାନିତ କରାଯାଇଛି। ସମ୍ମାନ ବାବଦକୁ ନଗଦ ଦୁଇ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଡାକ୍ତର ମହାନ୍ତି ଦୀର୍ଘ ୪୦ ବର୍ଷ ଧରି ଚିକିତ୍ସା ଓ ଅଧ୍ୟାପନା ସହ ୧୫ ଖଣ୍ଡ ପାଠ୍ୟପୁସ୍ତକ ରଚନା କରିଛନ୍ତି। ଦେଶବିଦେଶରେ ସେ ୭୦ରୁ ଅଧକି ସନ୍ଦର୍ଭ ପାଠ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ବର୍ତ୍ତମାନ ସେ ତାଙ୍କ ଧର୍ମବିହାରସ୍ଥିତ ବାସଭବନରେ ଚିକିତ୍ସା ଜାରି ରଖିବା ସହ ହୋମିଓପାଥିକ ଉପରେ ଗବେଷଣା ମଧ୍ୟ କରୁଛନ୍ତି। ଆଜି ‘ଓଡ଼ିଶା ହୋମିଓପାଥିକ୍‌ ଡ୍ରଗିଷ୍ଟ୍‍ ଆସୋସିଏସନ୍‌’ର ସଭାପତି ମନୋରଞ୍ଜନ ରାଉତ, ସମ୍ପାଦକ ଗଗନ ବିହାରୀ ସ୍ୱାଇଁ ଓ ସଂଗଠନ ସମ୍ପାଦକ ଦିବ୍ୟରଞ୍ଜନ ଜେନା ପ୍ରମୁଖ ଡାକ୍ତର ମହାନ୍ତିଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର