ଚେତିଲା ବିଏମ୍‌ସି: ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ଡ୍ରେନ୍‌ ସଫା ହେବ

ଭୁବନେଶ୍ୱର: କାଳବୈଶାଖୀ ଜନିତ ବର୍ଷାରେ ଏବେ ରାଜଧାନୀ ଭାସିବା ପରେ ବିଏମ୍‌ସି ଚେତିଛି। ମୌସୁମି ସମୟରେ ଯେପରି ସ୍ଥିତି ସଙ୍ଗିନ୍‌ ନହୁଏ ସେଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ବସିଛି। ବର୍ଷା ସମୟରେ ଯେପରି ତ୍ୱରିତ ମୁକାବିଲା କରିହେବ, ରାଜଧାନୀ ଯେପରି ଜଳବନ୍ଦୀ ନହେବ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ପ୍ରତି ଓ୍ଵାର୍ଡରେ ଡ୍ରେନ୍‌ ସଫେଇ କରିବା ସହ ସମସ୍ତ ନାଳରୁ ମାଟି କାଢ଼ିବା ପାଇଁ ଜୁନ୍‌ ପ୍ରଥମ ସପ୍ତାହ ଡେଟ୍‌ଲାଇନ୍‌ ରଖାଯାଇଛି। ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ସଫେଇ ବି ଏହି ସମୟରେ ହେବ। ଏହାବାଦ୍‌ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଠିକା ସଂସ୍ଥାକୁ ଡ୍ରେନ୍‌ ସଫା କରିବାକୁ ଦାୟିତ୍ୱ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ଚଳିତ ମାସରେ ଅସରାଏ ଲେଖାଏଁ ବଡ଼ ବର୍ଷାରେ ରାଜଧାନୀ ଦୁଇ ଥର ଜଳମଗ୍ନ ହୋଇଯିବା ପରେ ବିଏମ୍‌ସିକୁ ଚାରିଆଡ଼ୁ ନିନ୍ଦା ଶୁଣିବାକୁ ମିଳିଥିଲା। ଏହାପରେ ଆଜି ମୌସୁମି ପ୍ରସ୍ତୁତି ବୈଠକ ବସିଥିଲା। ବିଏମ୍‌ସିର ଅତିରିକ୍ତ କମିସନର ଶୁଭମ୍‌ ସକ୍‌ସେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ଯେଉଁ ଡ୍ରେନ୍‌ ସଫେଇ ପାଇଁ ଟେଣ୍ଡର ସରିଛି ସେମାନଙ୍କୁ କାର୍ଯ୍ୟାଦେଶ ତୁରନ୍ତ ଦିଆଯିବ। ଏହାସହ ଡ୍ରେନ୍‌ ସଫା କରିବାକୁ କୁହାଯିବ। ଆଉ ଅନ୍ୟ ଡ୍ରେନ୍‌ ପାଇଁ ଜୁନ୍‌ ୩୦ତାରିଖ ସୁଦ୍ଧା କାର୍ଯ୍ୟାଦେଶ ଦିଆଯିବ। ସେହିପରି ବିଏମ୍‌ସି ଯେଉଁ ୧୦ଟି ଓ୍ଵାର୍ଡରେ ସଫେଇ କାର୍ଯ୍ୟ କରୁଛି ସେଠାରେ ସମସ୍ତ ଗଳିକନ୍ଦିର ଡ୍ରେନ୍‌ ସଫେଇ କରିବା ସହିତ ଡ୍ରେନ୍‌ରୁ ମାଟି କାଢ଼ିବାକୁ କୁହାଯାଇଛି। ବାକି ୫୭ଟି ଓ୍ଵାର୍ଡରେ ସଫେଇ ଦାୟିତ୍ୱ ନେଇଥିବା ଜାଗୃତି, ପିଏମ୍‌ଆର୍‌ ଏବଂ ରାମ୍‌କିକୁ ତୁରନ୍ତ ଡ୍ରେନ୍‌ରୁ ମାଟି କାଢ଼ିବାକୁ କୁହାଯାଇଛି। ଯେଉଁଠି ଡ୍ରେନ୍‌ ଭାଙ୍ଗିଛି ତାକୁ ତୁରନ୍ତ ମରାମତି କରିବାକୁ ଇଞ୍ଜିନିୟରିଂ ବିଭାଗକୁ କୁହାଯାଇଛି। ସେହିପରି ଡେପୁଟି କମିସନର୍‌ମାନଙ୍କ ନେତୃତ୍ୱରେ ବିଭିନ୍ନ ସ୍କ୍ଵାଡ୍‌ ଗଠନ ହେବ। ଯେଉଁ ସ୍କ୍ଵାଡ୍‌ ସେମାନଙ୍କୁ ଆବଣ୍ଟନ ହେବାକୁ ଥିବା ଅଞ୍ଚଳ ବୁଲିବା ସହ ସେଠାରେ ଥିବା ସମସ୍ୟାର ସମାଧାନ କରିବେ। ଯେପରି କୌଣସି ଡ୍ରେନ୍‌ ଉପରେ ବେଆଇନ ନିର୍ମାଣ ନହୁଏ, ସମସ୍ତ ଡ୍ରେନ୍‌ ନିୟମିତ ସଫା ହେବ, ତୁରନ୍ତ ବର୍ଷା ପାଣି ନିଷ୍କାସନ ହେବ, ଅଭିଯୋଗ ଆସିବା କ୍ଷଣି ତୁରନ୍ତ ସମାଧାନ ହେବ ସେନେଇ ପଦକ୍ଷେପ ନେବେ।

ଖୋଲିବ ୨୪ଘଣ୍ଟିଆ କଣ୍ଟ୍ରୋଲରୁମ୍‌
ବର୍ଷା ସମୟରେ ଯଦି କେଉଁଠି ପାଣି ଜମିଲା, ଗଛ ଭାଙ୍ଗିଲା, ଯଦି ଘରେ ପାଣି ପଶିଗଲା, ଡ୍ରେନ୍‌ ପାଣି ଯଦି କେଉଁଠି ଧଶେଇ ପଶିଲା ବା ବର୍ଷା ସମୟରେ କୌଣସି ସମସ୍ୟା ଉପୁଜିଲେ ଲୋକମାନେ ତୁରନ୍ତ ବିଏମ୍‌ସିରେ ଅଭିଯୋଗ କରିପାରିବେ। ବିଏମ୍‌ସି କର୍ତ୍ତୃପକ୍ଷ ତୁରନ୍ତ ଏହାର ସମାଧାନ କରିବେ। ଏଥିପାଇଁ ବିଏମ୍‌ସି ପକ୍ଷରୁ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ। ପ୍ରତିବର୍ଷ ଜୁନ୍‌ ୧୫ପରେ କଣ୍ଟ୍ରୋଲରୁମ୍‌ ଖୋଲା ଯାଉଥିବାବେଳେ ଚଳିତବର୍ଷ ଜୁନ୍‌ ୧ରୁ ଏହି କଣ୍ଟ୍ରୋଲରୁମ୍‌ ଖୋଲାଯିବ। ଏଥିପାଇଁ ଖୁବ୍‌ ଶୀଘ୍ର ଟୋଲ୍‌ ଫ୍ରି ନମ୍ବର ଜାରି ହେବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। କଣ୍ଟ୍ରୋଲ ରୁମ୍‌କୁ ଆସିବାକୁ ଥିବା ଅଭିଯୋଗଗୁଡ଼ିକୁ ତୁରନ୍ତ ଡେପୁଟି କମିସନରଙ୍କ ନେତୃତ୍ୱରେ ଗଠିତ ସ୍କ୍ଵାଡ୍‌ ଏବଂ ଇଞ୍ଜିନିୟରିଂ ବିଭାଗକୁ ଜଣାଇ ଦିଆଯିବ।

ପଲିଥିନ୍‌ ହିଁ ଡ୍ରେନ୍‌ ଜାମ୍‌ର ମୁଖ୍ୟ କାରଣ
ରାଜଧାନୀରେ ସମସ୍ତ ମୁଖ୍ୟ ଡ୍ରେନ୍‌ ପଲିଥିନ୍‌ ଯୋଗୁଁ ଜାମ୍‌ ହେଉଛି। ଏପରିକି ସମସ୍ତ ମୁଖ୍ୟ ଡ୍ରେନ୍‌ରେ ପ୍ରାୟ ୨ଫୁଟ ଉଚ୍ଚରେ ପଲିଥିନ୍‌ ଜମିଛି। ମୁଖ୍ୟ ଡ୍ରେନ୍‌ ଉପରେ ବହୁ ଦୋକାନ ବଜାର ଗଢ଼ି ଉଠିଥିବାବେଳେ ଅଧିକାଂଶ ସ୍ଥାନରେ ସ୍ଥାନୀୟ ଲୋକ ନିତ୍ୟ ବ୍ୟବହାର୍ଯ୍ୟ ଆବର୍ଜନା ଏବଂ ପଲିଥିନ୍‌ଗୁଡ଼ିକୁ ଡ୍ରେନ୍‌ରେ ପକାଉଛନ୍ତି। ଏପରିକି ଜରି ଅଖା, ବଡ଼ ପଲିଥିନ୍‌ଗୁଡ଼ିକ ଡ୍ରେନ୍‌ରେ ଜମି ରହୁଛି। ଏଥିରେ ଅନ୍ୟ ଆବର୍ଜନାଗୁଡ଼ିକ ଗୁଡ଼ାଇ ହୋଇ ରହୁଛି। ବିଏମ୍‌ସି କର୍ତ୍ତୃପକ୍ଷ ପଲିଥିନ୍‌ ଯୋଗୁଁ ସମସ୍ତ ମୁଖ୍ୟ ଡ୍ରେନ୍‌ ଜାମ୍‌ ହେଉଥିବା ଜାଣିଥିଲେ ହେଁ ଆଜି ପର୍ଯ୍ୟନ୍ତ ରାଜଧାନୀରେ ପଲିଥିନ୍‌ ବ୍ୟବହାର ଉପରେ ନିଷେଧାଦେଶ ଲଗାଇ ପାରିଲେନି କି ଏହାର ବିଶୋଧନ ପାଇଁ ପ୍ଲାଣ୍ଟ ନିର୍ମାଣ କରିପାରିଲେନି। ଯାହା ଏବେ ବିଏମ୍‌ସିକୁ ଅପଦସ୍ତ କରୁଛି। ରାଜଧାନୀର ଡ୍ରେନ୍‌ ଯୋଗୁଁ ଜାମ୍‌ ହେଉଥିବାରୁ ଓ୍ଵାର୍ଡ ୪୫ କର୍ପୋରେଟର୍‌ ଅମରେଶ ଜେନା ଏହାର ମୁକାବିଲା ପାଇଁ ନିଜ ଓ୍ଵାର୍ଡରେ ପଦକ୍ଷେପ ନେଇଛନ୍ତି। ବିଏମ୍‌ସି ଅଧିକାରୀଙ୍କ ଉପସ୍ଥିତିରେ ଡ୍ରେନ୍‌ରୁ ମାଟି ଓ କୁଢ଼କୁଢ଼ ପଲିଥିନ୍‌ ସଫା କରିଛନ୍ତି। ଏହାସହ ସେ ଓ୍ଵାର୍ଡ ୪୫ ବାସିନ୍ଦାଙ୍କୁ ଫେସବୁକ୍‌ ମାଧ୍ୟମରେ ଅନୁରୋଧ କରିଛନ୍ତି ଯେ, ଡ୍ରେନ୍‌ରେ ଆବର୍ଜନା, ପଲିଥିନ୍‌ ନ ପକାଇ ଡଷ୍ଟବିନ୍‌ରେ ପକାନ୍ତୁ। ଡ୍ରେନ୍‌ର ଉପରଭାଗରେ ଥିବା ଲୋକ ଡ୍ରେନ୍‌ରେ ପଲିଥିନ୍‌ ପକାଇବା ଦ୍ୱାରା ବର୍ଷା ସମୟରେ ପାଣି ଜମି ତଳିଆ ଅଞ୍ଚଳର ଲୋକଙ୍କ ଘରେ ପାଣି ପଶୁଛି। ତେଣୁ ୪୫ନଂ ଓ୍ଵାର୍ଡ ବାସିନ୍ଦା ପଲିଥିନ୍‌ ଡଷ୍ଟବିନ୍‌ରେ ପକାଇବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର