ଭୁବନେଶ୍ବର : ଭୁବନେଶ୍ବର ସ୍ମାର୍ଟ ସିିଟି ବୋଲି ପ୍ରଚାର ଚଳାଉଛି ବିଏମ୍ସି। କିନ୍ତୁ ଏହି ଶୁଖିଲା ପ୍ରଚାର ସହରବାସୀଙ୍କ କିଛି କାମରେ ଲାଗୁ ନାହିଁ। କୃତ୍ରିମ ବନ୍ୟାର ପ୍ରଭାବରୁ ସହରକୁ ଉଦ୍ଧାର କରିପାରୁନି ବିଏମ୍ସି। ଯେଉଁ ମୁଖ୍ୟ ୧୦ଟି ଡ୍ରେନ୍ ଉପରେ ରାଜଧାନୀର ବର୍ଷା ଜଳ ନିଷ୍କାସନ ନିର୍ଭର କରୁଛି, ସେଥିରେ ସାମାନ୍ୟ ଉନ୍ନତି ହୋଇ ନାହିଁ। ବର୍ଷ ବର୍ଷ ଧରି କେବଳ ଯୋଜନା, ମାଷ୍ଟର୍ ପ୍ଲାନ୍ ଓ ବଜେଟ୍ ପ୍ରସ୍ତୁତିରେ ସୀମିତ ରହିଛି ମୁଖ୍ୟ ଡ୍ରେନ୍ର ଉନ୍ନତି।
ଯେତେବେଳେ ଯେଉଁ ମେୟର, କମିସନର୍ ଆସିଛନ୍ତି, ସମସ୍ତେ ବର୍ଷା ଜଳ ନିଷ୍କାସନ ସମସ୍ୟାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। କିନ୍ତୁ କେହି ବି ଏହାକୁ ଗୁରୁତର ସହ ନେଇ ନାହାନ୍ତି। କେବଳ ବର୍ଷା ହେଲା ପରେ ପମ୍ପ୍ ଲଗାଇ ଜଳ ନିଷ୍କାସନର ବ୍ୟବସ୍ଥା କରିବାରେ ସେମାନଙ୍କ କାର୍ଯ୍ୟ ସୀମିତ ରହୁଛି। କିନ୍ତୁ ସ୍ଥାୟୀ ସମାଧାନର ବାଟ ବାହାରୁନି। ପୁଣି ବିଡିଏର ଅପରିଣାମଦର୍ଶୀ କାମ ଯୋଗୁ ସହରର କଳେବର ଏତେ ଅବ୍ୟବସ୍ଥିତ ଭାବେ ବଢ଼ୁଛି ଯେ ଡ୍ରେନ୍ ସମସ୍ୟା ଦିନକୁ ଦିନ ଆହୁରି ସଙ୍ଗିନ ହେବାରେ ଲାଗିଛି। ବିଏମ୍ସି, ବିଡିଏ ମିଳିତ ଭାବେ ସହରକୁ ଜଳବନ୍ଦୀ କରିଦେଇଛନ୍ତି।
ଏବେ ବି ଏହି ମୁଖ୍ୟ ଡ୍ରେନ୍ରେ କେଉଁଠି ଜବରଦଖଲ ହୋଇଛି ତ କେଉଁଠି କୁଢ଼ କ୍ୁଢ଼ ଅଳିଆ ଡ୍ରେନ୍କୁ ପୋତି ଦେଇଛି। ବେଧଡ଼କ ଭାବେ କିଛି ସ୍ଥାନରେ ବସ୍ତି ଗଢ଼ି ଉଠିଛି। ଲଗାମ ରହୁ ନ ଥିବାରୁ ବସ୍ତିର ଆକାର ବି ବିପଜ୍ଜନକ ଭାବେ ବଢ଼ୁଛି। ଫଳରେ ଦିଗ ବଦଳାଇ ସଂକୀର୍ଣ୍ଣ ହୋଇଛି ମୁଖ୍ୟ େଡ୍ରନ୍। କିଛି ମୁଖ୍ୟ ଡ୍ରେନ୍ର ପୁନରୁଦ୍ଧାର ପାଇଁ ୨୦୦୬ ମସିହାରୁ ଉଦ୍ୟମ ଆରମ୍ଭ ହୋଇଛି। ଜବାହରଲାଲ ନେହରୁ ସହରାଞ୍ଚଳ ନବୀକରଣ ଯୋଜନାରେ କାମ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ଯୋଜନାଟି ବନ୍ଦ ହୋଇଗଲାଣି। କିନ୍ତୁ କାମ ଆଖିଦୃଶିଆ ଭାବେ ଅଗ୍ରଗତି େହାଇପାରିଲା ନାହିଁ। ୨୦୦୬ ମସିହାରେ ମୁଖ୍ୟ େଡ୍ରନ୍ ସମସ୍ୟା ଯେମିତି ଥିଲା ଏବେ ସେମିତି ଅଛି।
ମୁଖ୍ୟ ଡ୍ରେନ୍ଗୁଡ଼ିକ ପୂର୍ବରୁ ଡ୍ରେନେଜ୍ ବିଭାଗ ଅଧୀନରେ ଥିବାରୁ ସବୁ ବର୍ଷ ବିଏମ୍ସି ଓ ଡ୍ରେନେଜ୍ ଡିଭିଜନ୍ ମଧ୍ୟରେ ଟଣାଓଟରା ହୁଏ। ଏବେ ଡ୍ରେନେଜ୍ ଡିଭିଜନ୍ ବିଏମ୍ସି ଅଧୀନକୁ ଆସିଯାଇଛି। କିନ୍ତୁ ସହରର ସମସ୍ୟା ସମାଧାନ ହୋଇପାରିଲା ନାହିଁ। କିଛି ମାସ ତଳେ ଡ୍ରେନ୍ଗୁଡ଼ିକର ପୁନରୁଦ୍ଧାର ପାଇଁ ବିଏମ୍ସି ହଜାରେ କୋଟି ଟଙ୍କାର ଯୋଜନା କରିଥିଲା। ଟଙ୍କା ପାଇଁ ରାଜ୍ୟ ସରକାରଙ୍କୁ ଲେଖାଯାଇଥିଲା। କିନ୍ତୁ ସରକାର ଦେଲେ ୧୦୦ କୋଟି। ଫଳରେ କାମ ଆରମ୍ଭ ହୋଇପାରିନି। ଏବେ ସ୍ମାର୍ଟ ସିଟି ନାଁରେ କେବଳ ଜନପଥକୁ ସଜାଇବାରେ ବ୍ୟସ୍ତ ଅଛନ୍ତି ଅଧିକାରୀମାନେ। କିନ୍ତୁ ସହର ଯେ କେବଳ ଜନପଥ ନୁହେଁ, ତାହା ସେମାନେ ଭୁଲି ଯାଇଛନ୍ତି। ସହରର ପ୍ରକୃତ ସମସ୍ୟା ଅଧିକାରୀମାନଙ୍କ ଆଖିକୁ ଦେଖାଯାଉନି। ମୁଖ୍ୟ ଡ୍ରେନ୍ଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟକୁ ଅଧିକାରୀମାନେ ପ୍ରାଥମିକତା ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି କାମ ତୁରନ୍ତ କରା ନ ଗଲେ ପ୍ରତି ବର୍ଷ ଲୋକମାନେ ଏମିତି କଲବଲ ହେଉଥିବେ। ବିଏମ୍ସି ଉପରେ ଲୋକଙ୍କର ଯେପରି ଆକ୍ରୋଶ ବଢ଼ିବାରେ ଲାଗିଛି, ତାହା ଆଗାମୀ ଦିନରେ ବିସ୍ଫୋରକ ରୂପ ନେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।