ବରମୁଣ୍ଡା ବ୍ରିଜ୍‌ ତଳେ ନର୍ଦମା ଜଳ ଲହଡ଼ି

ଖଣ୍ଡଗିରି: ବରମୁଣ୍ଡା ଓଭରବ୍ରିଜ୍‌ ତଳେ ଲହଡ଼ି ମାରୁଛି ନର୍ଦମାର ପଚା ପାଣି। ବସ୍‌ଷ୍ଟାଣ୍ଡ କଡ଼େ କଡ଼େ ଯାଇଥିବା ଡ୍ରେନ୍‌ ଜାମ୍‌ ହୋଇ ଯାଇଥିବାରୁ ଉଦ୍‌ବୃତ୍ତ ଜଳ ରାସ୍ତ୍‍ା ଉପରେ କୃତ୍ରିମ ବନ୍ୟା ସୃଷ୍ଟି କରିଛି। ଗନ୍ଧରେ ନାକ ଫାଟି ପଡ଼ୁଥିବାବେଳେ ଚାଲି ଚାଲି ଯିବା ପାଇିଁ ବି ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ଗୋଟିଏ ସପ୍ତାହ ହେଲା ଏମିତି ଅବସ୍ଥା ଲାଗି ରହିଥିଲେ ବି ବିଏମ୍‌ସି କର୍ତୃପକ୍ଷଙ୍କ ନିଘା ନାହିଁ। ଅଭିଯୋଗ ପରେ ବି ଡ୍ରେନ୍‌ ମରାମତି ହେଉ ନଥିବାରୁ ସ୍ଥାନୀୟ ଲୋକ ତଥା ଯାତ୍ରୀମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦିନବେଳା ଯାତ୍ରୀମାନେ କଷ୍ଟେମଷ୍ଟେ ଚଳି ଯାଉଛନ୍ତି, କିନ୍ତୁ ସନ୍ଧ୍ୟା ହେବା ପରେ ପରିସ୍ଥିତି ଭୟଙ୍କର ହୋଇପଡ଼ୁଛି। ଜମି ରହୁଥିବା ଡ୍ରେନ୍‌ ଜଳ ପାଇଁ ଯାନବାହାନ ଚଳାଚଳ ଜାମ୍‌ ହେଉଥିବାରୁ ଯାତ୍ରୀମାନେ ବଡ଼ ଅସୁବିଧାରେ ପଡ଼ୁଛନ୍ତି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଦୁଇ ପଟୁ ଡ୍ରେନ୍‌ ଆସି ଓଭରବ୍ରିଜ୍‌ଠାରେ ଏକାଠି ହୋଇଛି ଓ ଗୋଟିଏ କଲଭର୍ଟ ଦେଇ ଅପରପାର୍ଶ୍ୱ ଡ୍ରେନ୍‌କୁ ପଡ଼ିଛି। ମାତ୍ର କଲଭର୍ଟ ପରେ ପରେ ଠିକ୍‌ ଓଭରବ୍ରିଜ୍‌ ତଳେ ହିଁ ଡ୍ରେନ୍‌ ଜାମ୍‌ ହୋଇପଡ଼ିଛି। ଫଳରେ ସବୁତକ ପଚା ପାଣି ରାସ୍ତା ଉପରକୁ ମାଡ଼ି ଆସୁଛିି ଓ ରାସ୍ତା ଉପରେ ବହି ବରମୁଣ୍ଡା ଗାଁ ପାର୍ଶ୍ୱକୁ ଯାଉଛି। ଫଳରେ ଓଭରବ୍ରିଜ୍‌ ତଳେ ଥିବା ଦୁଇ ରାସ୍ତା ଉପରେ ପଚା ପାଣି ଲହଡ଼ି ମାରୁଛି। ପୂର୍ବରୁ ଏହି ଅଂଶରେ କିଛି ଖାଲଖମା ଥିବାରୁ ପାଣି ଜମି ରହିବା ସହିତ ଖାଲର ଭ୍ରମ ସୃଷ୍ଟି କରୁଛି। ବରମୁଣ୍ଡା ଗାଁ ପାର୍ଶ୍ୱ ସର୍ଭିସ୍‌ ରୋଡ୍‌ରେ ବି ଅନୁରୂପ ଅବସ୍ଥା। ଓଭରବ୍ରିଜ୍‌ ତଳ ପାର ହେବା ପରେ ଏହି ନର୍ଦମା ଜଳତକ ରାସ୍ତା ଉପର ଦେଇ ବହୁଛି ଓ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ରାସ୍ତା ପାଣି କାଦୁଅରେ ପଚପଚ ହେଉଛି। ଫଳରେ ଏହି ଅଂଶରେ ଚାଲି ଚାଲି ଯିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି। ପଚା ଗନ୍ଧ ପାଣିରେ କିଏ ବା ଗୋଡ଼ ପକାଇବାକୁ ଚାହିଁବ! ପୁଣି ପାଣି ତଳେ କେଉଁଠି ଖାଲ ଅଛି ଜଣାପଡ଼ୁ ନଥିବାରୁ ବହୁ ଯାତ୍ରୀ ପଡ଼ି ଉଠି ଖଣ୍ଡିଆ ଖାବରା ହେଉଛନ୍ତିି। କଷ୍ଟେମଷ୍ଟେ କଡ଼ କଡ଼ ଦେଇ ଚାଲିବାବେଳେ ଗାଡ଼ିମଟରର ଛିଟିକା ପାଣି ଉପରେ ପଡ଼ୁଛି। ଉଲ୍ଲେଖଯୋଗ୍ୟ ଯେ ଓଭରବ୍ରିଜ୍‌ ତଳ ସର୍ଭିସ୍‌ ରୋଡ୍‌ ହେଉଛି ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଏକ ଲାଇଫ୍‌ ଲାଇନ୍‌ ବ୍ୟବସ୍ଥା। ସମସ୍ତ ବସ୍‌ ଏହି ବାଟ ଦେଇ ହିଁ ଷ୍ଟାଣ୍ଡ ଭିତରକୁ ପ୍ରବେଶ କରନ୍ତି। ପୁଣି ଗଞ୍ଜାମ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଖୋର୍ଧା ଜିଲ୍ଲାକୁ ଯାତାୟାତ କରୁଥିବା ବସ୍‌ଗୁଡ଼ିକ ଏହି ବାଟ ଦେଇ ପ୍ରବେଶ ଓ ପ୍ରସ୍ଥାନ କରନ୍ତି। ତେଣୁ ପ୍ରତିଦିନ ହଜାର ହଜାର ଯାତ୍ରୀ ଓଭରବ୍ରିଜ୍‌ ତଳ ସର୍ଭିସ୍‌ ରୋଡ୍‌କୁ ବ୍ୟବହାର କରନ୍ତି। ବହୁ ଯାତ୍ରୀ ମଧ୍ୟ ଏଠାରେ ବସ୍‌କୁ ଅପେକ୍ଷା କରନ୍ତି। ସବୁଠାରୁ ବଡ଼ ସମସ୍ୟା ହେଉଛି ସନ୍ଧ୍ୟାରେ। ଜମିଥିବା ପଚା ପାଣିକୁ ଏଡ଼ାଇ ହୋଇ ଯିବାକୁ ସମସ୍ତେ ଚେଷ୍ଟା କରୁଛନ୍ତି। ଖାଲରୁ ବର୍ତିବା ପାଇଁ ସମସ୍ତେ ରାସ୍ତାର ନିରାପଦ ଅଂଶକୁ ମାଡ଼ି ରହୁଛନ୍ତି। ଫଳରେ ଗାଡ଼ି ଜାମ୍‌ ହୋଇ ରହୁଛି। ପରିସ୍ଥିତି ଏମିତି ହେଉଛି ଯେ ଚାଲି ଚାଲି ଯାଉଥିବା ଯାତ୍ରୀ ବି ବସ୍‌ଷ୍ଟାଣ୍ଡକୁ ଯିବାକୁ ବା ସେଠାରୁ ବାହାରିବାକୁ ବାଟ ପାଉନାହିଁ। ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ମହିଳା ଯାତ୍ରୀମାନେ। ଏ ନେଇ କର୍ପୋରେଟର ଅଶ୍ୱିନୀ କୁମାର ସୁନ୍ଦରରାୟଙ୍କ କହିବା କଥା ଡ୍ରେନ୍‌ ମରାମତି ଚାଲିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଉପରମୁଣ୍ଡେ ଡ୍ରେନ୍‌ ମରାମତି ଚାଲିଥିବାରୁ ଓଭରବ୍ରିଜ୍‌ ତଳ ଡ୍ରେନ୍‌ ଜଙ୍କସନ୍‌ ଜାମ୍‌ ରହୁଛି। କିନ୍ତୁ ଆଉ ୨/୪ ଦିନ ଭିତରେ ମରାମତି ହେଉଥିବା ଡ୍ରେନ୍‌ର ଜଙ୍କସନ୍‌ ପଏଣ୍ଟ କାମ ଶେଷ ହେବ ଓ ଏହି ସମସ୍ୟାର ସମାଧାନ ହୋଇଯିବ।

ସମ୍ବନ୍ଧିତ ଖବର