ରାଜମହଲ ଛକରେ ନର୍ଦ୍ଦମା ଜଳ

ଭୁବନେଶ୍ୱର: ବର୍ଷା ନ ଥିଲା, ପାଗ ପୂରା ଶୁଖିଲା। କିନ୍ତୁ ରାସ୍ତାରେ ପାଣି ଚାଲୁଥିଲା। ଡ୍ରେନ୍‌ରୁ ଅନବରତ ନର୍ଦ୍ଦମା ପାଣି ରାସ୍ତା ଉପରକୁ ମାଡ଼ି ଆସୁଥିଲା। ଏମିତି ଦୃଶ୍ୟ ରାଜଧାନୀର କୌଣସି ଗଳିକନ୍ଦି ନୁହେଁ। ସହରର କେନ୍ଦ୍ର କୁହାଯାଉଥିବା ରାଜମହଲ ଛକରେ ଦିନତମାମ ଦେଖିବାକୁ ମିଳୁଥିଲା। ଛକରେ ଏମିତି ପାଣି ଖେଳୁଥିଲା ଯେ ବର୍ଷା ଦିନର ଭ୍ରମ ସୃଷ୍ଟି ହେଉଥିଲା। ରାଜମହଲରୁ ଏଜି ଛକ ଆଡ଼କୁ ଗଲା ବେଳେ ଛକ ନିକଟରେ ବାମ ପାର୍ଶ୍ୱର ଗୋଟିଏ ସ୍ଥାନରେ ଡ୍ରେନ୍‌ ପାଣି ରାସ୍ତାକୁ ବାହାରି ଆସୁଛି। ପୂରା ଡ୍ରେନ୍‌ରେ ସ୍ଲାବ୍‌ ପଡ଼ିଥିଲେ ବି ଏଠାରେ କିଛି ସ୍ଥାନ ଖୋଲା ରଖାଯାଇଛି। ସେହି ସ୍ଥାନଟି ହିଁ ଏବେ ରାଜମହଲ ଛକର ଦୁଃଖ ପାଲଟିଯାଇଛି। ଡ୍ରେନ୍‌ ପାଣି ସବୁବେଳେ ରାସ୍ତାରେ ଲହଡ଼ି ଭାଙ୍ଗୁଛି। ଫଳରେ ଛକରେ ଏହା ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ରାଜମହଲ ଛକ ପରି ଏକ ଗୁରୁତ୍ୱପୂର୍ଣ୍ଣ ଛକରେ ଏହି ସମସ୍ୟା ଆଜିର ନୁହେଁ। ଦୀର୍ଘ ଦିନ ଧରି ଏହା ଲାଗି ରହିଛି। ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଲୋକ ଯା’ଆସ କରନ୍ତି। ପୁଣି ନିକଟରେ ବିଧାୟକ ଓ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସରକାରୀ କ୍ୱାର୍ଟର୍ସ। ମାତ୍ର କିଛି ମିଟର୍‌ ଦୂରରେ ଖୋଦ୍‌ ମେୟରଙ୍କ ସରକାରୀ ବାସଭବନ। ସବୁଦିନେ ଏହି ରାସ୍ତାରେ ମନ୍ତ୍ରୀ, ବିଧାୟକ, ଅଫିସର୍‌ଙ୍କ ଯା’ଆସ ଚାଲିଛି। କିନ୍ତୁ ଏପରି ଏକ ମୌଳିକ ସମସ୍ୟା ପ୍ରତି କାହାର ନଜର ନାହିଁ। ପୁଣି ଛକ ଉପରେ ଏହି ସ୍ଥାନରେ ଅଟୋରିକ୍ସା ଷ୍ଟାଣ୍ଡ୍‌ ଅଛି। ୟୁନିଟ୍‌-୧ର ଅସ୍ଥାୟୀ ମାର୍କେଟ୍‌ ମଧ୍ୟ ଏହିଠାରୁ ଆରମ୍ଭ। ତେଣୁ ଏଠାରେ ସବୁଦିନେ ଲୋକଙ୍କ ଗହଳି ଲାଗି ରହିଥାଏ। କିନ୍ତୁ ସେମାନେ ନର୍ଦ୍ଦମା ପାଣି ଯୋଗୁଁ ବହୁ ଅସୁବିଧାର ସାମ୍ନା କରୁଛନ୍ତି।

ଏ ସମ୍ପର୍କରେ ସ୍ଥାନୀୟ ଲୋକ ଓ ଦୋକାନୀମାନେ ବିଏମସି ଓ ପୂର୍ତ୍ତ ବିଭାଗରେ ଅନେକଥର ଅଭିଯୋଗ କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ମଝିରେ ମଝିରେ ଏହାକୁ ସଫା କରିଦିଆଯାଏ। କିନ୍ତୁ ଦିନେ ଦୁଇ ଦିନ ପରେ ତାହା ପୁଣି ପୁରୁଣା ସ୍ଥିତିକୁ ଫେରିଆସୁଛି। ଏହାର ସ୍ଥାୟୀ ସମାଧାନ ହୋଇ ପାରୁନାହିଁ। ସ୍ଥାନୀୟ ଦୋକାନୀ ମନୋଜ ନାୟକ ଓ ସେକ୍‌ ମେହେବୁ କୁହନ୍ତି, ନର୍ଦ୍ଦମା ପାଣି ଜମି ରହୁଥିବାରୁ ଆମେ ତ ଅସୁବିଧା ଭୋଗୁଛୁ, ଲୋକମାନେ ବି ବହୁତ ହଇରାଣ ହେଉଛନ୍ତି। ଯେତେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି। ଏପରିକି ପାଣି ଜମୁଥିବାରୁ ଗ୍ରାହକମାନେ ବି ଆସୁ ନାହାନ୍ତି ବୋଲି ଆଉ ଦୁଇ ଜଣ ଦୋକାନୀ ଏଲ୍‌. ଗାନ୍ଧୀ ଓ ରାମ କହିଛନ୍ତି।

ସମ୍ବନ୍ଧିତ ଖବର