ଶିଳ୍ପାଞ୍ଚଳ ବସ୍ତିରେ ଭାସୁଛି ନର୍ଦମା ପାଣି

ଚନ୍ଦ୍ରଶେଖରପୁର: ବିଏମ୍‌ସି ୧୦ ନଂ ଓ୍ଵାର୍ଡ ଅଧୀନରେ ଥିବା ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ହାଡ଼ବାଇ ବସ୍ତି, ଭଗବତୀ ବସ୍ତି, ଓସିସି ବସ୍ତି ଓ ଆଖଣ୍ଡଳମଣି ବସ୍ତି ରାସ୍ତା ଉପରେ ନର୍ଦମା ପାଣି ଭାସୁଛି। ଫଳରେ ସ୍ଥାନୀୟ ଲୋକେ ଯାତାୟାତ ପାଇଁ ହନ୍ତସନ୍ତ ହେଉଛନ୍ତି। ଚକେଇସିହାଣି-ପଳାଶୁଣି କେନାଲ ବନ୍ଧ ରାସ୍ତାରେ ଲୋକମାନେ ଗଲାବେଳେ ସେମାନଙ୍କୁ ନର୍ଦମା ପାଣିରେ ପଶି ଯିବାକୁ ପଡ଼ୁଛି। ସେହି ଅପରିଷ୍କାର ପାଣି ରାସ୍ତା କଡ଼ କିଛି ଲୋକଙ୍କ ଘରେ ବି ପଶିଲାଣି। ଦୁର୍ଗନ୍ଧରେ ସେ ସ୍ଥାନରେ ରହିବା ତ ଦୂରର କଥା ଯିବା ଆସିବା କରିବା ମଧ୍ୟ ମୁସ୍କିଲ ହୋଇପଡ଼ୁଛି। ଏନେଇ ବସ୍ତିବାସିନ୍ଦା ବିଏମ୍‌ସି କାର୍ଯ୍ୟାଳୟରେ ଅଭିଯୋଗ କରିବା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇପାରୁନାହିଁ। ସ୍ଥାନୀୟ କର୍ପୋରେଟର ପ୍ରଣତି ନାୟକଙ୍କ ସୂଚନା ଅନୁଯାୟୀ, ଶିଳ୍ପାଞ୍ଚଳ ସେକ୍ଟର ‘ଏ’ରେ ଏକ କୋଠାର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସେଠାକାର ସବୁ ଅପରିଷ୍କାର ପାଣି ଇଡ୍‌କୋ ବିଭାଗ ଡ୍ରେନକୁ ନିଷ୍କାସିତ କରି ଦିଆଯାଉଛି। ଡ୍ରେନ୍‌ରେ ଅଳିଆ ଜମି ରହି ଚୋକ୍‌ ହୋଇଯିବା ଦ୍ୱାରା ଗତ କିଛି ଦିନ ହେବ ସେହି ନର୍ଦମା ପାଣି ନିକଟ ବସ୍ତିର ରାସ୍ତା ଘାଟରେ ଭାସୁଛି। ଶିଳ୍ପାଞ୍ଚଳଗୁଡ଼ିକରେ ଡ୍ରେନେଜ ବ୍ୟବସ୍ଥାର ରକ୍ଷଣାବେକ୍ଷଣା ଦାୟିତ୍ୱ ଇଡ୍‌କୋର ହୋଇଥିବାରୁ ବିଏମ୍‌ସି ବାରମ୍ବାର ଇଡ୍‌କୋ ବିଭାଗୀୟ ଅଧିକାରୀଙ୍କ ନିକଟରେ ଗୁହାରି କରିଛି। ଇଡ୍‌କୋ ଜେଇ ଓ ଏମ୍‌ଏସ୍‌ଏମ୍‌ଇ ଅଧିକାରୀ ମାନସ ମହାନ୍ତିଙ୍କୁ ସ୍ଥାନୀୟ କର୍ପୋରେଟର ମଧ୍ୟ ଅଭିଯୋଗ କରିଛନ୍ତି। କିନ୍ତୁ ଇଡ୍‌କୋ ପକ୍ଷରୁ ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ସ୍ଥାନୀୟ ଲୋକେ ଅସୁସ୍ଥକର ପରିବେଶରେ ରହି ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି।

ସମ୍ବନ୍ଧିତ ଖବର