ଅଭିଯୋଗ ଶୁଣିଲେନି, ହନ୍ତସନ୍ତ ଯାତ୍ରୀ

ବରମୁଣ୍ଡା ବ୍ରିଜ୍‌ ତଳେ ନର୍ଦମା ପାଣି ଲହଡ଼ି

ଖଣ୍ଡଗିରି: ବରମୁଣ୍ଡା ଓଭରବ୍ରିଜ୍‌ ତଳେ ଲହଡ଼ି ମାରୁଛି ନର୍ଦମାର ପଚା ପାଣି। ଡ୍ରେନ୍‌ ଜାମ୍‌ ହୋଇଯାଇଥିବାରୁ ଉଦ୍‌ବୃତ୍ତ ପଚା ପାଣି ରାସ୍ତା ଉପରେ କୃତ୍ରିମ ବନ୍ୟା ସୃଷ୍ଟି କରୁଛି। ଗନ୍ଧରେ ନାକ ଫାଟି ପଡ଼ୁଥିବା ବେଳେ ପାଦ ପକାଇବାକୁ ଜାଗା ମିଳୁନି। ଦୀର୍ଘ ଅଧମାସ ହେଲା ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମାତ୍ର ଲୋକଙ୍କ ଅଭିଯୋଗକୁ ଫୁ’ କରି ଉଡ଼ାଇ ଦିଆଯାଉଛି। ବିଏମ୍‌ସି ଓ ଏନ୍‌ଏଚ୍‌ କର୍ତୃପକ୍ଷଙ୍କ ଏଭଳି ବେପରୁଆ ମନୋଭାବକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କର୍ପୋରେଟରଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଜନସାଧାରଣ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ବି ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। ରାଜ୍ୟ ରାଜଧାନୀର ମୁଖ୍ୟ ବସ୍‌ଷ୍ଟାଣ୍ଡରେ ଏଭଳି ସ୍ଥିତି ରାଜ୍ୟ ବିକାଶର ଚିତ୍ରକୁ ଜଳଜଳ ପ୍ରଦର୍ଶିତ କରୁଥିଲେ ବି ରାଜ୍ୟ ସରକାରଙ୍କ ପରିବହନ ବିଭାଗର ଅଧିକାରୀମାନଙ୍କ କେମିତି ଆଖି ପଡ଼ୁନାହିଁ, ତାହାକୁ ନେଇ ସାଧାରଣରେ ବିସ୍ମୟ ଓ କ୍ଷୋଭ ପ୍ରକାଶ ପାଇଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଦୁଇ ପଟୁ ଡ୍ରେନ୍‌ ଆସି ଓଭରବ୍ରିଜ୍‌ଠାରେ ଏକାଠି ହୋଇଛି ଓ ଗୋଟିଏ କଲଭର୍ଟ ଦେଇ ଅପରପାର୍ଶ୍ୱ ଡ୍ରେନ୍‌କୁ ପଡ଼ିଛି। ମାତ୍ର କଲଭର୍ଟ ପରେ ପରେ ଠିକ୍‌ ଓଭରବ୍ରିଜ୍‌ ତଳେ ହିଁ ଡ୍ରେନ୍‌ ଜାମ୍‌ ହୋଇଯାଇଛି। ସବୁତକ ପଚା ପାଣି ରାସ୍ତା ଉପରକୁ ମାଡ଼ି ଆସୁଛିି ଓ ରାସ୍ତା ଉପରେ ବହି ବରମୁଣ୍ଡା ଗାଁ ପାର୍ଶ୍ୱକୁ ଯାଉଛି। ଫଳରେ ଓଭରବ୍ରିଜ୍‌ ତଳେ ଥିବା ଦୁଇ ରାସ୍ତା ଉପରେ ପଚା ପାଣି ଲହଡ଼ି ମାରୁଛି। ପୂର୍ବରୁ ଏହି ଅଂଶରେ କିଛି ଖାଲଖମା ଥିବାରୁ ପଚା ପାଣି ଜମି ରହୁଛି। ବରମୁଣ୍ଡା ଗାଁ ପାର୍ଶ୍ୱ ସର୍ଭିସ୍‌ ରୋଡ୍‌ରେ ବି ଅନୁରୂପ ଅବସ୍ଥା। ଓଭରବ୍ରିଜ୍‌ ତଳ ପାର ହେବା ପରେ ଏହି ନର୍ଦମା ଜଳତକ ରାସ୍ତା ଉପର ଦେଇ ବହୁଛି ଓ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ରାସ୍ତା ପାଣି କାଦୁଅରେ ପଚପଚ ହେଉଛି। ଫଳରେ ଏହି ଅଂଶରେ ଚାଲି ଚାଲି ଯିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି। ପୁଣି ପାଣି ତଳେ ଥିବା ଖାଲଖମା ଉପରକୁ ଜଣା ପଡ଼ୁନଥିବାରୁ ବହୁ ଯାତ୍ରୀ ପଡ଼ି ଉଠି ଖଣ୍ଡିଆ ଖାବରା ହେଉଛନ୍ତିି। କଷ୍ଟେମଷ୍ଟେ କଡ଼ କଡ଼ ଦେଇ ଚାଲିବା ବେଳେ ଗାଡ଼ିମଟରର ଛିଟିକା ପାଣି ଉପରେ ପଡ଼ୁଛି।

ଉଲ୍ଲେଖଯୋଗ୍ୟ ଯେ ଓଭରବ୍ରିଜ୍‌ ତଳ ସର୍ଭିସ୍‌ ରୋଡ୍‌ ହେଉଛି ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଏକ ଲାଇଫ୍‌ ଲାଇନ୍‌ ବ୍ୟବସ୍ଥା। ସମସ୍ତ ବସ୍‌ ଏହି ବାଟ ଦେଇ ହିଁ ଷ୍ଟାଣ୍ଡ ଭିତରକୁ ପ୍ରବେଶ କରନ୍ତି। ପୁଣି ଗଞ୍ଜାମ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଖୋର୍ଧା ଜିଲ୍ଲାକୁ ଯାତାୟାତ କରୁଥିବା ବସ୍‌ଗୁଡ଼ିକ ଏହି ବାଟ ଦେଇ ପ୍ରବେଶ ଓ ପ୍ରସ୍ଥାନ କରନ୍ତି। ତେଣୁ ପ୍ରତିଦିନ ହଜାର ହଜାର ଯାତ୍ରୀ ଓଭରବ୍ରିଜ୍‌ ତଳ ସର୍ଭିସ୍‌ ରୋଡ୍‌କୁ ବ୍ୟବହାର କରନ୍ତି। ବହୁ ଯାତ୍ରୀ ମଧ୍ୟ ଏଠାରେ ବସ୍‌କୁ ଅପେକ୍ଷା କରନ୍ତି। କିନ୍ତୁ ଦୀର୍ଘ ୧୫ ଦିନ ହେଲା ପଚାପାଣି ବହୁଥିବାରୁ ଲୋକେ ବହୁ ଅସୁବିଧାରେ ଚଳପ୍ରଚଳ ହେଉଛନ୍ତି। ସବୁଠାରୁ ବଡ଼ ସମସ୍ୟା ହେଉଛି ସନ୍ଧ୍ୟାରେ। ପଚାପାଣି ଓ ଖାଲଖମାକୁ ଏଡ଼ାଇବାକୁ ଯାଇ ଏଠାରେ ପ୍ରବଳ ଟ୍ରାଫିକ୍‌ ଜାମ୍‌ ହେଉଛି। ଯାତ୍ରୀମାନେ ବସ୍‌ଷ୍ଟାଣ୍ଡକୁ ଯିବାକୁ ବା ସେଠାରୁ ବାହାରିବାକୁ ବାଟ ପାଉନାହାନ୍ତି। ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ମହିଳା ଯାତ୍ରୀ।

ଏ ନେଇ କର୍ପୋରେଟର ଅଶ୍ୱିନୀ କୁମାର ସୁନ୍ଦରରାୟଙ୍କ କହିବା କଥା ବିଏମ୍‌ସି ପକ୍ଷରୁ ଡ୍ରେନ୍‌ କାମ ଯାହା କରାଯିବା କଥା ସରିଛି। ଏବେ ଜାତୀୟ ରାଜପଥ କର୍ତୃପକ୍ଷ ଓଭରବ୍ରିଜ୍‌ ତଳ ଡ୍ରେନ୍‌ର ମରାମତି କାମ କରିବା କଥା। ଏ ନେଇ ସେ ବାରମ୍ବାର ଜାତୀୟ ରାଜପଥ କାର୍ଯ୍ୟାଳୟକୁ ଅଭିଯୋଗ କରିଛନ୍ତି। କିନ୍ତୁ ଅଧିକାରୀମାନେ ବେପରୁଆ ଭାବେ ଆଜି କାଲି କହି ଦିନ ଗଡ଼ାଇ ଚାଲିଛନ୍ତି। ତେଣୁ ଏଣିକି ଏନ୍‌ଏଚ୍‌ କାର୍ଯ୍ୟାଳୟ ଘେରାଉ କରିବା ଛଡ଼ା ଅନ୍ୟ ପନ୍ଥା କିଛି ନାହିଁ ବୋଲି ସେ ଅସହାୟତା ପ୍ରକାଶ କରି କହିଛନ୍ତି।

ସମ୍ବନ୍ଧିତ ଖବର