ରାସ୍ତାରେ ଭାସୁଛି ନଳା ପାଣି, ପଚା ଖାଦ୍ୟରେ ଗନ୍ଧଉଛି ଭିଆଇପି ଅଞ୍ଚଳ

ଭୁବନେଶ୍ୱର (ହିତେଶ ନାୟକ): ଡ୍ରେନ୍‌ ଥାଇ ବି ନଥିବା ଭଳି। ଡ୍ରେନ୍‌ ବୁଡ଼ି ମଇଳା ପାଣି ରାସ୍ତାସାରା ଭାସୁଛି। ଖାଲି ରାସ୍ତା ନୁହେଁ ଅସରାଏ ବର୍ଷା ହେଲେ ନାଳ ପାଣି ଲୋକଙ୍କ ଘରେ ପଶିଯାଉଛି। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ସହ ଯୁଝି ହେଉଛନ୍ତି ଓ୍ଵାର୍ଡ ୧୫ର ସହିଦ ଲକ୍ଷ୍ମଣ ନାୟକ ବେହେରା ବସ୍ତିର ବାସିନ୍ଦା।

ଯଦିଓ ଡ୍ରେନ୍‌ ଅଛି, କିନ୍ତୁ ଗତ ୨ବର୍ଷ ହେବ ଏହା ଭାଙ୍ଗି ନଷ୍ଟ ହୋଇଯାଇଛି। ତେଣୁ ପାଣି ନିଷ୍କାସନ ଅଧାବାଟରେ ବନ୍ଦ ହୋଇଯାଇଛି। ଦୀର୍ଘ ଦିନ ରାସ୍ତାରେ ପାଣି ଜମି ରହୁଥିବାରୁ ରାସ୍ତା ନଷ୍ଟ ହୋଇ ବଡ଼ବଡ଼ ଗାତ ସୃଷ୍ଟି ହୋଇ ସେଥିରେ ପାଣି ଜମୁଛି। ପଚି ଦୁର୍ଗନ୍ଧ ବାହାରୁଛି। ଦୁର୍ଗନ୍ଧ ଯୋଗୁଁ ଲୋକେ କବାଟ ଝରକା ବି ଖୋଲିପାରୁନାହାନ୍ତି। ପାଣି ପଚୁଥିବାରୁ ମଶା, ଲାଙ୍ଗୁଡ଼ିଆ ପୋକ ଘରେ ସାଲୁବାଲୁ ହେଉଛନ୍ତି। ଫଳରେ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି। କେବଳ ଏତିକି ନୁହେଁ, ଏହି ଅଞ୍ଚଳରେ ବହୁ ଭିଭିଆଇପି ରହୁଥିଲେ ମଧ୍ୟ ପ୍ରଶାସନର ଏଥିପ୍ରତି ତତ୍ପରତା ନାହିଁ। ଏଠାରେ ଥିବା ସହିଦ ଲକ୍ଷ୍ମଣ ନାୟକ ସ୍ମୃତି ଭବନରେ ବେଆଇନ୍‌ ଭାବେ ବହୁ ବିବାହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବାରୁ ଅଧିକାଂଶ ସମୟରେ ଅସମ୍ଭବ ଭିଡ଼ ଜମୁଛି। ଆବାସିକ ଅଞ୍ଚଳ ଭିତରେ ଜୋର୍‌ରେ ମାଇକ୍‌ ବାଜୁଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏପରିକି ଭୋଜିର ବଳକା ଖାଦ୍ୟ ରାସ୍ତାରେ ଗଦା ହେଉଥିବାରୁ ଦୁର୍ଗନ୍ଧରେ ନାକ ଫାଟି ଯାଉଛି।

ଏନେଇ ବସ୍ତିବାସିନ୍ଦା ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ବାରମ୍ବାର ଅଭିଯୋଗ କରୁଛନ୍ତି। ମାତ୍ର ଡ୍ରେନ୍‌ ନିର୍ମାଣ ତ ଦୂରର କଥା ବିଏମ୍‌ସି ପକ୍ଷରୁ ପାଣି ନିଷ୍କାସନ ପାଇଁ ବି ବ୍ୟବସ୍ଥା ହୋଇନାହିଁ। କେବଳ ମଝିରେ ମଝିରେ ସ୍ଥାନୀୟ କର୍ପୋରେଟର ଓ ବିଏମ୍‌ସି କର୍ତ୍ତୃପକ୍ଷ ଘଟଣାର ଅନୁଧ୍ୟାନ କରି ଫେରିଯାଉଛନ୍ତି। ହେଲେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରୁନାହାନ୍ତି।

୩୬ ଲକ୍ଷ ବ୍ୟୟରେ ରାସ୍ତା, ନାଳ ନିର୍ମିତ ହେବ
୩୬ଲକ୍ଷ ଟଙ୍କା ବେୟ ଅଟକଳରେ ଉଭୟ ରାସ୍ତା ଓ ଡେନ୍‌ ନିର୍ମାଣ କରାଯିବ। ଏନେଇ ଟେଣ୍ଡର ପକ୍ରିୟା ଶେଷ ହୋଇଛି। ବର୍ଷା ସରିବା ପରେ କାମ ଆରମ୍ଭ କରାଯିବ।
ସମୀର ପ୍ରଧାନ, କର୍ପୋରେଟର

ଘରୁ ବାହାରକୁ ବାହାରିଲେ ଭାବିବାକୁ ପଡ଼ୁଛି
ରାସ୍ତାରେ ନର୍ଦ୍ଦମା ପାଣି ନୟାନ୍ତ କରିସାରିଲାଣି। ଥରେ ଘରୁ ବାହାରିଲେ ସବୁ କାମ ନସାରିଲା ଯାଏଁ ଘରକୁ ଫେରୁନୁ। ଏନେଇ ବାରମ୍ବାର କର୍ପୋରେଟର୍‌ଙ୍କୁ ଅଭିଯୋଗ କରିଛୁ। ହେଲେ କେହି କିଛି ଶୁଣୁନାହାନ୍ତି।
ରଞ୍ଜୁ ନାୟକ , ସ୍ଥାନୀୟ ବାସିନ୍ଦା

ଭୋଟ୍‌ ବେଳେ ଆସୁଛନ୍ତି, ଦୁଃଖ ବେଳେ ଗାୟବ
ଖାଲି ଭୋଟ୍‌ ବେଳେ ଘରକୁ ମାଡ଼ିଆସୁଛନ୍ତି। ଭୋଟ୍‌ ସରିଲେ ଆମକୁ ଚିହ୍ନିପାରୁ ନାହାନ୍ତି। ଆମ ଦୁଃଖ କେହି ବୁଝୁ ନାହାନ୍ତି। ନର୍ଦ୍ଦମା ପାଣି ଯୋଗୁଁ ରାସ୍ତା ନଷ୍ଟ ହୋଇଗଲାଣି। ପାଣି ରାସ୍ତା ଜମି ପଚି ଦୁର୍ଗନ୍ଧ ହେଉଛି।
ଅହଲ୍ୟା ନାୟକ, ସ୍ଥାନୀୟ ବାସିନ୍ଦା

ସମ୍ବନ୍ଧିତ ଖବର