ଚନ୍ଦ୍ରଶେଖରପୁର : ଏନ୍ଡାଓମେଣ୍ଟ୍ କମିସନଙ୍କ ଜାଗା ଜନସାଧାରଣଙ୍କ ହିତରେ ବ୍ୟବହାର ହୋଇପାରୁନି। ଡ୍ରେନ୍ ମଝିରେ ବନ୍ଧ ଦିଆଯାଇଛି। ଗୋଟିଏ ଜାଗାରେ ନୁହେଁ ଏମିତି ଦୁଇ ତିନି ଜାଗାରେ କରାଯାଇଛି। ଫଳରେ ସମଗ୍ର ଅଞ୍ଚଳ ଉତ୍କଟ ଦୁର୍ଗନ୍ଧରେ ଫାଟିପଡ଼ୁଛି। ମଶାମାଛିଙ୍କ ଦୌରାତ୍ମ୍ୟ ସହିତ ନିକଟସ୍ଥ ଘରଗୁଡ଼ିକରେ ଥିବା ବୋରେଓ୍ଵଲ୍ ପାଣି ଦୂଷିତ ହେଉଛି। ଫଳରେ ଅଞ୍ଚଳବାସୀ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଏଭଳି ଚିନ୍ତାରେ ଘାଣ୍ଟି ହେଉଛନ୍ତି ରାଜଧାନୀର ଓ୍ଵାର୍ଡ ନଂ-୬ରେ ଥିବା ଶାଶ୍ୱତ ବିହାର, ଆମ୍ରପଲ୍ଲୀ, ସାଇବିହାର, ବିଷ୍ଣୁପ୍ରିୟା କଲୋନି, ଶ୍ରୀହରି ବିହାର, ଇନ୍ଦ୍ରପୁରୀ କଲୋନିର ପ୍ରାୟ ୧୦୦୦ରୁ ଊର୍ଧ୍ୱ ପରିବାର। ଏହି ସମସ୍ୟାର ସମାଧାନ କରିବାରେ ବାଟ ଓଗାଳିଛି ପ୍ରାୟ ୩୦୦ଫୁଟର ସରକାରୀ ଜାଗା। ଏହା ପଟିଆ ଜଗନ୍ନାଥ ଟ୍ରଷ୍ଟର ଏନ୍ଡାଓମେଣ୍ଟ କମିସନରଙ୍କ ଅଧୀନରେ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଇଡ୍କୋ ପକ୍ଷରୁ ଇନଫୋସିଟି ଅଞ୍ଚଳରେ ପ୍ରାୟ ୪୦୦ ଏକର ପରିମିତ ଜାଗାକୁ ବିଭିନ୍ନ ଶିଳ୍ପସଂସ୍ଥା ସମେତ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଓ ସଂସ୍ଥାକୁ ଆବଣ୍ଟିତ କରାଯାଇଛି। ମାତ୍ର ରାଜ୍ୟ ସରକାରଙ୍କ ଏହି ସଂସ୍ଥା ଏହି ସବୁ ସ୍ଥାନରୁ ନିର୍ଗତ ହେବାକୁ ଥିବା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କୌଣସି ସ୍ୱେରେଜ୍ କିମ୍ବା ସ୍ଥାୟୀ ଡ୍ରେନ୍ର ଯୋଜନା କରି ନଥିଲା। ବର୍ଜ୍ୟଜଳ ଯାଇ ଡ୍ରେନ୍-୧ରେ ପଡ଼ିବାର କୌଣସି ପ୍ରସ୍ଥାନ ପଥ କରି ନଥିଲା ଇଡ୍କୋ। ଇନଫୋସିଟି-ପଟିଆ ରାସ୍ତା କଡ଼ରେ କରିଥିବା ଡ୍ରେନ୍ର ତ୍ରୁଟିପୂର୍ଣ୍ଣ ଡିଜାଇନ୍ ଫଳରେ ବର୍ଜ୍ୟଜଳ ଠିକ୍ ଭାବରେ ପ୍ରବାହିତ ହୋଇପାରୁ ନାହିଁ। ଫଳରେ ଇନଫୋସିଟି ଛକରେ ଥିବା କଲ୍ଭର୍ଟ ନିକଟରୁ ଏହି ସବୁ ଶିଳ୍ପସଂସ୍ଥା ଓ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର ବର୍ଜ୍ୟଜଳ ବିଷ୍ଣୁପ୍ରିୟା କଲୋନି-ସାଇ ବିହାର-ଶ୍ରୀହରିବିହାର-ଶାଶ୍ୱତ ବିହାର-ଆମ୍ରପଲ୍ଲୀ-ଇନ୍ଦ୍ରପୁରୀ ଦେଇ ପ୍ରବାହିତ ହେଉଛି। ମାତ୍ର ଏହି ସବୁ କଲୋନିଗୁଡ଼ିକରେ କ୍ରମଶଃ ଜନବସତି ବଢ଼ିବାରୁ ଏହି ବର୍ଜ୍ୟଜଳ ଶାଶ୍ୱତବିହାର ଭଳି ଅଞ୍ଚଳକୁ ବର୍ଷକ ବାରମାସ ଜଳ ପ୍ଳାବିତ କରୁଛି।
୨୦୧୩ରେ ଉତ୍କଟ ହୋଇଥିବା ଏହି ସମସ୍ୟା ସମ୍ପର୍କର ଶୈଳଶ୍ରୀବିହାର ପ୍ରାଇଭେଟ୍ ପ୍ଲଟ୍ ରେସିଡେଣ୍ଟ୍ େଓ୍ଵଲ୍ଫେୟାର ଆସୋସିଏସନ୍ ପକ୍ଷରୁ ବାରମ୍ବାର ଇଡ୍କୋ, ବିଏମ୍ସି, ଏନ୍ଡାଓମେଣ୍ଟ୍ କମିସନରଙ୍କ ସମେତ ସମସ୍ତ ଜନପ୍ରତିନିଧିଙ୍କୁ ଗୁହାରି କରିଛନ୍ତି। ମାତ୍ର ଫଳ ଶୂନ। ବର୍ତ୍ତମାନ ସ୍ଥିତି ଆହୁରି ଉତ୍କଟ ହୋଇପଡ଼ିଛି। କାରଣ ଗତ ବର୍ଷା ଋତୁରେ ଏହି ଅଞ୍ଚଳ ବନ୍ୟାପ୍ଳାବିତ ହେବାରୁ ବର୍ଷାର ଠିକ୍ ପରେ ପରେ ଉପରୋକ୍ତ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ, ଜନପ୍ରତିନିଧି ଓ ପୁଲିସ ଉପସ୍ଥିତିରେ ଇଡ୍କୋ ପକ୍ଷରୁ ନିଜ ଜାଗାରେ ଡ୍ରେନ୍ ନିର୍ମାଣ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଏନ୍ଡାଓମେଣ୍ଟ୍ କମିସନଙ୍କ ଅଧୀନରେ ଥିବା ଜାଗାରେ ଅସ୍ଥାୟୀ ଭାବରେ ଏକ ଡ୍ରେନ୍ ନିର୍ମାଣ ହୋଇଥିଲା। ଫଳରେ ଜଳ ନିଷ୍କାସନ ହୋଇପାରିଥିଲା।
ଇଡ୍କୋ ନିଜ ଜାଗାରେ ଡ୍ରେନ୍ ନିର୍ମାଣ ସାରିବା ପରେ ଏନ୍ଡାଓମେଣ୍ଟ୍ ଜାଗାର ମାର୍ଫତଦାର ଥିବା ଅନୁଷ୍ଠାନ ଏହି ଜମିରେ ଇଡ୍କୋକୁ ଡ୍ରେନ୍ ନିର୍ମାଣ ନିମନ୍ତେ ଅନୁମତି ଦେଇ ନଥିଲା। ତିନି ମାସ ପରେ ମଧ୍ୟ କୌଣସି ସମାଧାନ ନହେବାରୁ ଉକ୍ତ ଟ୍ରଷ୍ଟ ପକ୍ଷରୁ ଡ୍ରେନ୍ର ଶେଷ ପାଖକୁ ମାଟି ପକେଇ ପୋତି ଦିଆଯାଇଥିଲା। ଫଳରେ ଆବର୍ଜନା ପାଣି ଗୋଟିଏ ଜାଗାରେ ସ୍ଥିର ଭାବରେ ରହି ବିଭିନ୍ନ ରୋଗବ୍ୟାଧିର କାରଣ ସାଜୁଛି। ଏଥିରୁ ମୁକ୍ତି ପାଇବା ପାଇଁ ଏଠିକାର ବାସିନ୍ଦା ଡ୍ରେନ୍ର ଉପରମୁଣ୍ଡରେ ଆଉ ଦୁଇଟି ବନ୍ଧ କରିଦେଇଛନ୍ତି। ଫଳରେ ଏ ନେଇ ପ୍ରଶାସନ ବିରୋଧରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କାରଣ ଏହି ସମସ୍ୟାର ସମାଧାନ ନହେବାରେ ବିଏମ୍ସି ମଧ୍ୟ ସମପରିମାଣରେ ଦାୟୀ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।
ଏହି ସମସ୍ୟାକୁ ନେଇ ୨୦୧୫ରେ ଆମେ ନନ୍ଦନକାନନ-ଜୟଦେବ ବିହାର ମୁଖ୍ୟରାସ୍ତା ଅବରୋଧ କରିଥିଲୁ। ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ସମସ୍ୟାର ସମାଧାନ ନେଇ ଆମକୁ ଆଶ୍ୱାସନା ଦିଆଯାଇଥିଲା। ମାତ୍ର ସବୁ ଆଶ୍ୱାସନା ପାଣିର ଗାର ପାଲଟିଛି। ଶାସ୍ୱତବିହାର, ଆମ୍ରପଲ୍ଲୀର ବାସିନ୍ଦା ବର୍ତ୍ତମାନ ସୁଦ୍ଧା ଶିଳ୍ପାଞ୍ଚଳର ନାଳ, ନର୍ଦ୍ଦମା ଓ ବର୍ଷାପାଣି ଖାଉଛି।
ଅଶୋକ ପଟ୍ଟନାୟକ, ବରିଷ୍ଠ ସଦସ୍ୟ, ଶୈଳଶ୍ରୀବିହାର ପ୍ରାଇଭେଟ୍ ପ୍ଲଟ୍ ରେସିଡ଼େଣ୍ଟ୍ ଓ୍ଵଲ୍ଫେୟାର ଆସୋସିଏସନ୍୨୦୧୩ରୁ ବାରମ୍ବାର ଏହି ସମସ୍ୟାର ସମାଧାନ ନିମନ୍ତେ ବିଏମ୍ସି, ଇଡ୍କୋ, ଏନ୍ଡୋମେଣ୍ଟ୍ କମିସନର, ଜନପ୍ରତିନିଧିଙ୍କୁ ଅନୁରୋଧ କରିଆସୁଥିଲେ ସୁଦ୍ଧା ସ୍ଥାୟୀ ସମାଧାନ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ। କେଉଁ ଅଧିକାରୀଙ୍କୁ ଭେଟିଲେ ସମାଧାନ ହେବ ତାହା ବୁଝାପଡ଼ୁନାହିଁ। ସରକାରୀ ଜାଗାରେ ମଧ୍ୟ ଜନସାଧାରଣଙ୍କ ହିତରେ ଲାଗିପାରୁ ନାହିଁ। ପରିସ୍ଥିତି ଅଣାୟତ୍ତ ହୋଇପଡ଼ୁଛି।
ରଘୁନାଥ ବେହେରା, ଶାଶ୍ୱତବିହାର ବାସିନ୍ଦାସର୍ବାଧିକ ଷ୍ଟାମ୍ପ୍ ଡ୍ୟୁଟି ଦେଉଥିଲେ ସୁଦ୍ଧା ଦୂଷିତ ପାଣି ପିଉଛୁ। ଇଡ୍କୋ ଓ ବିଏମ୍ସିର ଦାୟିତ୍ୱହିନତା କାରଣରୁ ଅଞ୍ଚଳବାସୀ ହିନସ୍ତା ହେଉଛନ୍ତି। ବର୍ଷକ ବାରମାସ ବନ୍ୟାଘେରରେ ରହିବା ପରି ଲାଗୁଛି। ଗ୍ରୀଷ୍ମ ଋତୁରେ ମଧ୍ୟ ମଟର ଜରିଆରେ ପାଣି ନିଷ୍କାସନ ହେଉଛି। ଡ୍ରେନ୍ ନିର୍ମାଣ ପରେ ମହରଗରୁ ଆସି କାନ୍ତାରରେ ପଡ଼ିବା ଭଳି ସ୍ଥିତି ଉପୁଜୁଛି। ଲାଗୁଛି ସ୍ମାର୍ଟସିଟି ଭୁବନେଶ୍ୱର ନୁହଁ କେଉଁ ଏକ ଅପହଞ୍ଚ ଇଲାକାରେ ରହୁଛୁ।
ସ୍ୱରୂପ ମିଶ୍ର, ଶାଶ୍ୱତ ବିହାର ବାସିନ୍ଦାଏହା ଦୀର୍ଘ ଦିନର ସମସ୍ୟା। ସମାଧାନ ନିମନ୍ତେ ବାରମ୍ବାର ଉଦ୍ୟମ କରାଯାଇଛି। ଏହାର ସମାଧାନ ନିମନ୍ତେ ସୋମବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି।
ଶୁଭ୍ରାଂଶୁ ମିଶ୍ର, ବିଏମ୍ସି ଉତ୍ତର ଜୋନ କମିସନରସମସ୍ୟା ସମାଧାନ ନେଇ ଇଡ୍କୋ, ବିଏମ୍ସି ଓ ଏନ୍ଡୋମେଣ୍ଟ କମିସନର, ସମସ୍ତଙ୍କୁ ଅନୁରୋଧ କରାଯାଇଛି। ଆସନ୍ତା ସୋମବାର ହେବାକୁ ଥିବା ବୈଠକ ପରେ ସମାଧାନ ନେଇ ବାଟ ବାହାରିବ ବୋଲି ଆଶା।
ପ୍ରୀତିନନ୍ଦା ରାଉତରାୟ, କର୍ପୋରେଟର, ଓ୍ଵାର୍ଡ଼ ନଂ-୬