ଅବାଟରୁ ବାଟକୁ ଆଣନ୍ତି ନରି ମଉସା

ପଞ୍ଚମବେଦ ପକ୍ଷରୁ ‘ବାଇମୁଣ୍ଡି’

ଭୁବନେଶ୍ୱର: ଭବିଷ୍ୟତ ଗଢ଼ିବାକୁ କଲେଜରେ ନାମ ଲେଖାଇଥିବା ପିଲାମାନଙ୍କୁ ନେତାମାନେ ପଥଭ୍ରଷ୍ଟ କରି ଦିଅନ୍ତି। ନିର୍ବାଚନ ଆଳରେ ନାନା ଲୋଭ ଦେଖାଇ ନିଜର ବ୍ୟକ୍ତିଗତ ଫାଇଦା ପାଇଁ ସେମାନଙ୍କୁ ବ୍ୟବହାର କରନ୍ତି। ବିଭିନ୍ନ ଘଟଣାରେ ଆନ୍ଦୋଳନ, ଗଣ୍ଡଗୋଳ ଓ ଭଙ୍ଗାରୁଜା କରି ଆଇନକୁ ହାତକୁ ନେବାକୁ ଛାତ୍ରମାନଙ୍କୁ ପ୍ରବର୍ତାଇ ଥାଆନ୍ତି। ମାତ୍ର ଘର ଓ ପରିବାରଠାରୁ ଦୂରରେ ରହୁଥିବା ଏହି ପିଲାମାନଙ୍କୁ ଆକଟ କରିବାକୁ, ସେମାନଙ୍କର ସାହା ଭରସା ହେବାକୁ ସେହି କଲେଜ ପରିସରରେ ଇସ୍ତ୍ରୀ ଦୋକାନ କରିଥିବା ନରି ମଉସା ଆଗେଇ ଆସନ୍ତି। ସେମାନଙ୍କୁ ଅବାଟରୁ ବାଟକୁ ଆଣିବାକୁ ଚେଷ୍ଟା ଜାରି ରଖନ୍ତି। ‘କଟକ ଚିନ୍ତା ଯେମିତି ବାଇମୁଣ୍ଡିକୁ’ ଠିକ୍‌ ସେମିତି ପିଲାଙ୍କ ଚିନ୍ତା ନରି ମଉସାଙ୍କୁ ବିଚଳିତ କରୁଥିଲା। ତେବେ ଏହି ନରି ମଉସା କିଏ, ତାଙ୍କୁ କାହିଁକି ବାଇମୁଣ୍ଡି ଆଖ୍ୟା ଦିଆଗଲା, ସେ କଣ ପିଲାମାନଙ୍କୁ ବାଟକୁ ଆଣିପାରିଲେ, ଏହି ସବୁ ପ୍ରଶ୍ନର ଉତ୍ତର ମିଳିଥିଲା ଆଜି ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହୋଇଥିବା ନାଟକ ‘ବାଇମୁଣ୍ଡି’ରେ। ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସଙ୍ଗୀତ ନାଟକ ଏକାଡେମି ଏବଂ ଓଡ଼ିଶା ନାଟ୍ୟସଂଘର ଆନୁକୂଲ୍ୟରେ ନାଟ୍ୟଧାରା କାର୍ଯ୍ୟକ୍ରମର ଆଜି ଥିଲା ଦ୍ୱିତୀୟ ସଂଧ୍ୟା। ନାଟ୍ୟ ମହାସଂଘର ସମ୍ପାଦକ ଲାଲା ବିରେନ୍‌ ରାୟ, ନିର୍ଦେଶକ ହରେନ୍‌ ସାହୁ ଓ ସଞ୍ଜୟ ପ୍ରହରାଜ ଯୋଗଦେଇ ‘ପଞ୍ଚମବେଦ’ ଅନୁଷ୍ଠାନ ତରଫରୁ ହୋଇଥିବା ନାଟକ ‘ବାଇମୁଣ୍ଡି’କୁ ଉଦ୍‌ଘାଟନ କରିଥିଲେ। ପ୍ରକାଶ ମହାରଣାଙ୍କ ସଂଯୋଜନାରେ ପରିବେଷିତ ହୋଇଥିବା ଏହି ନାଟକକୁ ମାନସ କୁମାର ପରିଡ଼ା ସହ ନିର୍ଦେଶନା ଦେଇଥିଲେ। ନରେନ୍‌ ସାହୁ, ପ୍ରମୋଦ ଦେବ ଓ ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର