ଲୁହ ଭରିଲା ନାଟକ ‘ଏଇ ବୋଧେ ପ୍ରେମ…

ଭୁବନେଶ୍ବର: ଜୀବନ ଏକ ମଧୁର ଯନ୍ତ୍ରଣା, ମଧୁସିକ୍ତ ବେଦନା। ଜୀବନରେ ସନ୍ତାନର ଅନୁପସ୍ଥିତିଠାରୁ ଆରମ୍ଭ କରି ଅଭାବବୋଧର ଦୁଃଖ ଥାଏ ତଥାପି ନାଟକର ଚରିତ୍ର ଦୁଇଟି ବିଚଳିତ ହୋଇପଡ଼ନ୍ତିନି। ଦୁଃଖଠୁ ଦୂରକୁ ଯିବାର ଚେଷ୍ଟା ନ କରି ଉପଭୋଗ କରିବାକୁ ଚେଷ୍ଟା କରନ୍ତି। ସାଂସାରିକ ଜୀବନର କିଛି ଦ୍ବିଧା, ଦ୍ବନ୍ଦ୍ବ ଓ ଦୃଢ଼ ନିଷ୍ପତ୍ତି ସହ ଦମ୍ପତିଙ୍କର ପ୍ରେମର ଗାଢ଼ତାକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଏଇ ବୋଧେ ପ୍ରେମ’। ନାଟକଟି ଦର୍ଶକଙ୍କ ହୃଦୟକୁ ପ୍ରେମରେ ଭରି ଦେଇଥିଲା ସତ କିନ୍ତୁ ଏହାର ମର୍ମସ୍ପର୍ଶୀ କ‌ାହାଣୀ ଦେଖି ଦର୍ଶକଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ବିଦ୍ୟାକନକ ସୃଜନାନୁଷ୍ଠାନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ୩ ଦିନ ଧରି ଅନୁଷ୍ଠିତ ହୋଇ ଆସୁଥିବା ନାଟକ ସମାରୋହର ଅନ୍ତିମ ସନ୍ଧ୍ୟାରେ ଏହି ନାଟ ମଂଚସ୍ଥ ହୋଇଥିଲା। ନାଟକର ନାଟ୍ୟକାର ଦିଲ୍ଲୀପ ବଳବନ୍ତରାୟ ଥିବା ବେଳେ ଜଗଦୀଶ ପ୍ରସାଦ ମହାରଣା ଏହାର ନିର୍ଦ୍ଦେଶନା ଦେଇଥିଲେ। ଆଜିର ସଂଧ୍ୟାରେ ରୋଟାରିଆନ୍‌ ଦେବାଶିଷ ମିଶ୍ର, ପୂର୍ବତନ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ଅଂଶୁମାନ ଦାସ, ରୋଟାରିଆନ୍‌ ବିଭୁତି ଭୂଷଣ କର ଓ ନାଟ୍ୟ ନିର୍ଦେଶକ ଧୀରେନ୍ଦ୍ର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସଂଗଠନର ସଭାପତି ସୁଧାକର ପତ୍ରି ଓ ସଂପାଦକ ଶୁଭକାନ୍ତ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସେହିପରି ପ୍ରଥମ ସନ୍ଧ୍ୟାରେ ମଂଚସ୍ଥ ହୋଇଥିଲା ନାଟକ ‘ଅଳିଆ ଭିତରେ କାଳିଆ’। ପରିବେଶ ମାୟାରେ ମଗ୍ନ ଜଣେ ବ୍ୟକ୍ତି ନିଜ ବ୍ୟକ୍ତିଗତ ଉଦ୍ୟମରେ ‌ଗୁଣ୍ଡୁଚି ମୂଷା ଭଳି ସ୍ବଚ୍ଛତା ପାଇଁ କିଭଳି ପ୍ରୟାସ କରିଚାଲିଛି ସେହିପରି କଥାବସ୍ତୁକୁ ନେଇ ପ୍ରଥମ ସନ୍ଧ୍ୟାରେ ମଂଚସ୍ଥ ହୋଇଥିଲା ଏହି ନାଟକ। ଦିଲୀପ ବଳବନ୍ତରାୟ ଏହାର ରଚନା କରିଥିବା ବେଳେ ନିର୍ଦେଶନା ଦେଇଥିଲେ ଜଗଦୀଶ ପ୍ରସାଦ ମହାରଣା। ସଂଜୟ, ସୂର୍ଯ୍ୟକାନ୍ତ, ଶୁଭମ, ଆକାଶ, ମାନସୀ, ଶୁଭଙ୍କର, ଗିରିଜା, ଦେବାଶିଷ, ବିବେକାନନ୍ଦ, ହିତେଶ, ନବ, ବିଷ୍ଣୁ, ଦୁର୍ଗା, ସିଦ୍ଧାନ୍ତ, ଟୁକୁ, ତନୁ, କିଶୋର, ରାକେଶ, ସୋନିକା, ଶଙ୍କର ଓ ଲକ୍ଷ୍ମଣ ଅଭିନ‌ୟ କରିଥିଲେ।

ସମ୍ବନ୍ଧିତ ଖବର