ଇଟିକିଲି ମିଟିକିଲି ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା : ପିଲାଙ୍କ ଚିତ୍ରରେ ‘ଦୁର୍ନୀତିକୁ ନା’

ଭୁବନେଶ୍ୱର : ଦୁର୍ନୀତି ଆମ ସମାଜର ଏକ ବଡ଼ ରୋଗ। ବହୁ ଲୋକ ଏଥିରେ ଲିପ୍ତ ରହି ଦେଶ ଓ ସମାଜର ଅନେକ କ୍ଷତି ଘଟାଇଥାନ୍ତି। ଏହା ବିରୋଧରେ ପିଲାଦିନରୁ ପିଲାମାନଙ୍କ ମନରେ ସଚେତନତା ଜାଗ୍ରତ କରାଇଲେ ଭବିଷ୍ୟତରେ ସେମାନେ ଦୁର୍ନୀତିଠାରୁ ଦୂରେଇ ରହିବେ। ଏହି ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ ପଠାଣି ସାମନ୍ତ ପ୍ଲାନେଟାରିୟମଠାରେ ଏମ୍‌ସିଏଲ୍‌ ସହଯୋଗରେ ଇଟିକିଲି ମିଟିକିଲି ଶିଶୁ ଅନୁଷ୍ଠାନ ପକ୍ଷରୁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହାର ବିଷୟବସ୍ତୁ ଥିଲା ‘ଦୁର୍ନୀତିକୁ ନା’ ଏବଂ ‘ଦୁର୍ନୀତିମୁକ୍ତ ଭାରତ’। କୁନି କୁନି ପିଲାଙ୍କ ପାଇଁ ବିଷୟବସ୍ତୁ ଥିଲା ‘ଫୁଲ କୁଣ୍ଡ’ ଓ ‘ଫୁଲ ବଗିଚା’। ଏଥିରେ ୧୭୨ଜଣ ପିଲା ଅଂଶଗ୍ରହଣ କରିଥିଲେ। ‘ଦୁର୍ନୀତିକୁ ନା’ ଶୀର୍ଷକ ଚିତ୍ରଗୁଡ଼ିକ ମଧ୍ୟରୁ ଶ୍ରେଷ୍ଠ ୧୨ଟି ଚିତ୍ରକୁ ନେଇ ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ସଂସ୍ଥା ଏମ୍‌ସିଏଲ୍‌ ସହଯୋଗରେ ୨୦୧୯ ବର୍ଷ ପାଇଁ ଏକ ସୁଦୃଶ୍ୟ କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିସିପି ଅନୁପ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଏମ୍‌ସିଏଲ୍‌ର ମୁଖ୍ୟ ସତର୍କତା ଅଧିକାରୀ ମୁନଓ୍ଵାର ଖୁର୍ସିଦ ଉପସ୍ଥିତ ଥିଲେ। ଅନୁଷ୍ଠାନର ସଭାପତି ଦାଶ ବେନହୁର ସଭାପତିତ୍ୱ କରି ପିଲାମାନେ ନିଜ ପିତାମାତା କରୁଥିବା କୌଣସି ଦୁର୍ନୀତିକୁ ଦେଖିଲେ ତାହା ନ କରିବାକୁ ଅଳି କରିବା ଆବଶ୍ୟକ ବୋଲି ମତ ରଖିଥିଲେ। ଆରମ୍ଭରେ ଅନୁଷ୍ଠାନର ସଚିବ ଶରତ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନିତା ରଥ, ଚିତ୍ତ ମହାପାତ୍ର, ଜୟପ୍ରକାଶ ମିଶ୍ର, ପ୍ରିୟଦର୍ଶୀ ଶୁଭକାନ୍ତ, ପ୍ରତିମା ମିଶ୍ର, ତପତି ପାଣିଗ୍ରାହୀ ଓ ପ୍ରବୀଣା ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର