ଗାନ୍ଧୀ ଜୟନ୍ତୀରୁ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ : ଈଶାନେଶ୍ବର ବସ୍ତିରେ ପ୍ରକଳ୍ପ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଲୋକଙ୍କୁ ମିଳିବ ୨୪ଘଣ୍ଟା ବିଶୁଦ୍ଧ ପାଣି, ଟ୍ୟାପ୍ ଖୋଲିବେ, ପାଣି ପିଇବେ

ଭୁବ‌େନଶ୍ବର: ସାଧାରଣତଃ ବସ୍ତି ଅଞ୍ଚଳରେ ଲୋକଙ୍କୁ ଓଳିଏ ପାଣି ଦିଆଗଲେ ଆର ଓଳିକୁ ପାଣି ମିଳେନି ବୋଲି ଅଭିଯୋଗ ଆସେ। ଏପରିକି ଖରାଦିନେ ମାତ୍ର ୧୦ରୁ ୧୫ମିନିଟ ପାଣି ଦିଆଯାଉଛି ବୋଲି ଅଭିଯୋଗ ଆସେ। ଲୋକ ଦୂଷିତ ପାଣି ପିଇ ବିଭିନ୍ନ ରୋଗର ଶିକାର ହୁଅନ୍ତି। କିନ୍ତୁ ରାଜଧାନୀର ବସ୍ତିଗୁଡ଼ିକ‌ରେ ଏହି ସମସ୍ୟା ଆଉ ରହିବନି। ଖାସ୍‌ କରି ଏବେ ନୀଳାଦ୍ରିବିହାରସ୍ଥିତ ଈଶାନେଶ୍ବର ବସ୍ତିରେ ଏହି ସମସ୍ୟା ଆଉ ଦେଖିବାକୁ ମିଳିବନି। କାରଣ ଏଠାରେ ରାଜ୍ୟ ସରକାରଙ୍କ ଆକାଂକ୍ଷିତ ପ୍ରକଳ୍ପ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ମିସନ୍ ଆରମ୍ଭ ହେବାକୁ ଯାଉଛି। ବସ୍ତି ବାସିନ୍ଦାଙ୍କ ଘରକୁ ୨୪ଘଣ୍ଟା ପାଣି ସଂ‌େଯାଗ ଦିଆଯିବା ସହ ଯେପରି ଟ୍ୟାପ୍ ପାଣିକୁ ସିଧାସଳଖ ପିଇପାରିବେ ସେହି ମାନର ପାଣି ଯୋଗାଇବାକୁ ଯୋଜନା ହୋଇଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜଧାନୀରେ ଏହି ସେବା ଆସନ୍ତା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିସନ ନୀଳାଦ୍ରିବିହାରସ୍ଥିତ ଇଶାନେଶ୍ବର ବସ୍ତିରୁ ଆରମ୍ଭ କରିବାକୁ ଯୋଜନା ହୋଇଛି। ଏଥିପାଇଁ ସେଠାରେ ପ୍ରତି ଘରକୁ ପାଇପ୍ ପାଣି ସଂଯୋଗ ଦିଆଯିବା ସହ ୨୪ଘଣ୍ଟା ସଂପୂର୍ଣ୍ଣ ବିଶୁଦ୍ଧ ପାଣି ଯୋଗାଣ କାର୍ଯ୍ୟ ଜୋରଦାର୍‌ ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ୱାଟ୍‌କୋ (ଓଡ଼ିଶା ଜଳ ନିଗମ) ପକ୍ଷରୁ ଏହି ପ୍ରକଳ୍ପ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଈଶାନେଶ୍ବର ବସ୍ତିରୁ ଏହା ଆରମ୍ଭ ହେବ। ଏହାପରେ ଆସନ୍ତା ମାର୍ଚ୍ଚ ସୁଦ୍ଧା‌ ୟୁନିଟ-୬, କଳିଙ୍ଗ ନଗରର କେ-୮, ସହିଦନଗର, ସମ୍ପୂର୍ଣ୍ଣ ନୀଳାଦ୍ରିବିହାର, ସାଲିଆ ସାହିରେ ଏହା ଆରମ୍ଭ ହେବ। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭାରତରେ ମାତ୍ର ହାତଗଣତି କେତୋଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ୨୪ଘଣ୍ଟିଆ ପାଣି ଯୋଗାଣ ହେଉଛି। ହେଲେ କେଉଁଠି ବି ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ହୋଇନି। ସାରା ଦେଶରେ ପ୍ରଥମ କରି ଏହି ପ୍ରକଳ୍ପ ଓଡ଼ିଶାରେ ହେବାକୁ ଯାଉଛି। ଭୁବନେଶ୍ବର ଓ ପୁରୀରେ ପାଇଲଟ୍ ପ୍ରକଳ୍ପ ଭାବେ ଏହା ଆରମ୍ଭ ହେବାକୁ ଥିବାବେଳେ ଏଥିରେ ବସ୍ତି ବାସିନ୍ଦାଙ୍କ ସମେତ ଭିଆଇପି, ସାଧାରଣ ଲୋକଙ୍କୁ ସାମିଲ୍‌ କରାଯାଇଛି। ଏହି ଅଞ୍ଚଳରେ ସମସ୍ତଙ୍କୁ ୨୪ଘଣ୍ଟା ବିଶୁଦ୍ଧ ପାଣି ଯୋଗାଇବାରେ ସଫଳ ହେଲେ ବର୍ଷକ ମଧ୍ୟରେ ପୂରା ଭୁବନେଶ୍ବରରେ ଓ ପୁରୀରେ ଏହାକୁ ଲାଗୁ କରାଯିବ। ଏହାପରେ ସାରା ଓଡ଼ିଶାରେ ଲାଗୁ ହେବ। ଏହି ପ୍ରକଳ୍ପ ନୂଆ ହୋଇଥିବାରୁ ପ୍ରଥମେ ଛୋଟ ଅଞ୍ଚଳରେ ଇଶାନେଶ୍ବର ବସ୍ତିରେ ଏହାକୁ ଲାଗୁ କରାଯାଇଛି।

ସମ୍ବନ୍ଧିତ ଖବର

Comments are closed.