ଟ୍ରକକୁ ପଛରୁ ପିଟିଲା ଟ୍ୟାଙ୍କର, ଡ୍ରାଇଭର ମୃତ

ଭୁବନେଶ୍ବର : ଆଜି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସିଆରପି ଛକ ନିକଟ ରାଜଧାନୀ ଗ୍ୟାସ ସମ୍ମୁଖ ଓଭରବ୍ରିଜରେ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା‌ ପରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ଏକ ବାଉଁଶ ବୋଝେଇ ଟ୍ରକ (ଓଆର୦୫ୟୁ-୯୦୪୫) ଖୋର୍ଧା ଅଭିମୁଖେ ଯାଉଥିଲା। ଟ୍ରକ୍‌ଟି ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯାଇଥିଲା। ଏହି ସମୟରେ ପଛରେ ଯାଉଥିବା ଏକ ତେଲ ଟ୍ୟାଙ୍କର (ଏପି୩୧ଟିଏଚ-୫୫୫୫) ବାଉଁଶ ବୋଝେଇ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଟ୍ୟାଙ୍କର ଡ୍ରାଇଭର ଓ ହେଲପରଙ୍କ ଦେହରେ ବାଉଁଶ ପଶିଯିବା ସହ ଉଭୟେ ଗୁରୁତର ହୋଇଥିଲେ। ଖବରପାଇ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚି ଗୁରୁତର ଡ୍ରାଇଭର ଓ ହେଲପରଙ୍କୁ ଚିକିତ୍ସା କରାଇଥିଲା। ମାତ୍ର ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଡ୍ରାଇଭରଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅପରପକ୍ଷରେ ଟ୍ୟାଙ୍କରକୁ ହଟାଇବା ବେଳେ ଏହା ଗଡ଼ି ପଛରେ ଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର