ଡ୍ରାଇଭିଂ ଲାଇସେନ୍ସ ଅବଧି ୧୬ ଦିନ, ଚିନ୍ତାରେ ଲାଇସେନ୍ସଧାରୀ

ଭୁବନେଶ୍ବର : ସଂଶୋଧିତ ମୋଟର ଯାନ ଆଇନକୁ ନେଇ ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ପରେ କାଗଜପତ୍ର ପ୍ରସ୍ତୁତି ପାଇଁ ସରକାର ୩ ମାସ ସମୟ ଦେଇଛନ୍ତି। ରବିବାର ଆରଟିଓ ଖୋଲା ରହିବା ସହ ନୂଆ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ନୂଆ କାଉଣ୍ଟର ଖୋଲି ଲୋକଙ୍କୁ ସୁବିଧାରେ ସେବା ଯୋଗାଇ ଦିଆଯାଉଛି। ଏଭଳି ସ୍ଥିତିରେ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତିରେ ଗୁରୁତର ତ୍ରୁଟି ପଦାକୁ ଆସିଛି। ଏକ ଡ୍ରାଇଭିଂ ଲାଇସେନ୍ସ ୨୦୧୯ ଜାନୁଆରି ୧ ତାରିଖରେ ପ୍ରସ୍ତୁତ ହୋଇଥିବା ବେଳେ ତାହା ସେହି ମାସ୧୬ ତାରିଖ ପର୍ଯ୍ୟନ୍ତ ବୈଧ ରହିଛି। ଅର୍ଥାତ୍‌ ଏହାର ବୈଧତା ୧୬ ଦିନ ରହିଛି। ଅତି କମ୍‌ରେ ଡ୍ରାଇଭିଂ ଲାଇସେନ୍ସର ୨୦ ବର୍ଷ ବୈଧତା ରୁହେ। କିନ୍ତୁ ୧୬ ଦିନର ଅବଧିକୁ ନେଇ ଲାଇସେନ୍ସଧାରୀ ଚିନ୍ତାରେ ପଡ଼ିଛନ୍ତି। ସେ ହେଉଛନ୍ତି ଲିଙ୍ଗରାଜ ଥାନା ସୁନ୍ଦରପଦାର ଦୈତାରୀ ସାହୁ। ଲାଇସେନ୍ସ ଉପରେ ଲେଖାଥିବା ଏହି ସୂଚନା ମୁତାବକ ଅବଧି ଶେଷ ହୋଇଯାଇଛି। ନବୀକରଣ କରିବା ପାଇଁ ଦୈତାରୀ ପୁଣି ଥରେ ଧାଡ଼ି ବାନ୍ଧିଛନ୍ତି। ଆଜି ଆରଟିଓରେ ଯୋଗାଯାଉଥିବା ସେବାର ବାସ୍ତବତା ଅନୁଧ୍ୟାନ କଲା ବେଳେ ଏଭଳି ଏକ ବିଚିତ୍ର ଦୃଶ୍ୟ ନଜରକୁ ଆସିଛି।

ଦୈତାରୀଙ୍କ କହିବା ମୁତାବକ, ଗତ ବର୍ଷ ଡିସେମ୍ବରରେ ସେ ଲର୍ଣ୍ଣର୍ସ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଜାନୁଆରିରେ ସେ ଏହି ଲାଇସେନ୍ସ ପାଇଥିଲେ। ସେତେବେଳେ ସେ ଏହାକୁ ଦେଖି ନଥିଲେ। ଏବେ ଖୋଳତାଡ଼ ହେବାରୁ ସେ ଲାଇସେନ୍ସ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଏଭଳି ଅବସ୍ଥା ଦେଖି ସେ ଛାନିଆ ହୋଇ ପଡ଼ିଥିଲେ। ଅବଧି ସରିଯାଇଥିବାରୁ ସେ ଆରଟିଓ ଅଫିସ ଦଉଡ଼ିଥିଲେ। ପ୍ରବଳ ଭିଡ଼ ହେଉଥିବାରୁ ସେ ଦୁଇ ଦିନ ଫେରିବା ପରେ ଆଜି ନବୀକରଣ ପାଇଁ ଯୋଜନା କରୁଥିଲେ। ତେବେ ଏନେଇ ସେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହ ରବିବାର ଦେଖା କରିବେ ବୋଲି ଯୋଜନା କରି ଫେରି ଯାଇଥିଲେ। ଏ ନେଇ ଆମେ ଆରଟିଓ-୧ ପ୍ରଦୀପ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ କହିଥିଲେ, ଏଭଳି ସ୍ଥିତି ବାବଦରେ ତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ନାହିଁ। ପ୍ରିଣ୍ଟିଂ ଜନିତ ତ୍ରୁଟି ହୋଇ ଥାଇପାରେ। ଆମ ନଜରକୁ ଆସିଲେ ତାହାର ତୁରନ୍ତ ପ୍ରତିକାର କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର