ମଧ୍ୟାହ୍ନଭୋଜନ ବଦଳରେ ଶୁଖିଲା ଖାଦ୍ୟ ଖାଇବେ ଛାତ୍ରଛାତ୍ରୀ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ସତ୍ୟଭାମାପୁର ହାଇସ୍କୁଲରେ ଗଚ୍ଛିତ ଥିବା ନିମ୍ନମାନର ଚାଉଳ ବିବାଦ ଏବେ ନୂଆମୋଡ଼ ନେଇଛି । ବ୍ଲକ ପ୍ରଶାସନ ଓ ଜନ ପ୍ରତିନିଧିମାନେ ଆଜି ଅପରାହ୍ଣରେ ସ୍କୁଲରେ ପହଞ୍ଚି ଚାଉଳର ମାନ ଯାଞ୍ଚ କରିବା ପରେ ସ୍କୁଲ କର୍ତୃପକ୍ଷ ଓ ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ଚେତା ପଶିଛି। ଅପରାହ୍ଣ ୩ଟା ସମୟରେ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣିଙ୍କ ସମେତ ଉପାଧ୍ୟକ୍ଷା ଦୀ‌େପସ ସ୍ବାଇଁ ଓ ସରପଞ୍ଚ ଉମାକାନ୍ତ ଆଚାର୍ଯ୍ୟ ପ୍ରମୁଖ ପହଞ୍ଚି ଆସନ୍ତାକାଲିଠାରୁ ଏହି ଚାଉଳରେ ଆଉ ମଧ୍ୟାହ୍ନଭୋଜନ ରାନ୍ଧି ପିଲାଙ୍କୁ ଖାଇବାକୁ ନ ଦେବାକୁ ତାଗିଦ କରିଥିଲେ। ଶିକ୍ଷା ବିଭାଗ ତତ୍ତ୍ବାବଧାନରେ ସ୍କୁଲରେ ମହଜୁଦ ଥିବା ୨୦ କୁଇଣ୍ଟାଲ ଚାଉଳ ବସ୍ତାକୁ ଯୋଗାଣ ଦାୟିତ୍ବରେ ଥିବା ପାତ୍ର ଏଜେନ୍ସିକୁ ଫେରସ୍ତ କରାଯିବ ବୋଲି ସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ବେହେରା ସୂଚନା ଦେଇଛନ୍ତି। ଚାଉଳ ନ ପହଞ୍ଚିବା ପର୍ଯ୍ୟନ୍ତ ପିଲାଙ୍କୁ ବିସ୍କୁଟ୍‌ ଖାଇବାକୁ ଦିଆଯିବ ବୋଲି ସେ ଜଣାଇଛନ୍ତି। ଆଜି ସ୍କୁଲ ପରିଚାଳନା କମିଟି ଡକାଇ ପ୍ରଧାନ ଶିକ୍ଷକ ବ୍ଲକ ଶିକ୍ଷାଧିକାରିଣୀଙ୍କୁ ଚିଠି ଲେଖିଥିବା କହିଛନ୍ତି । ସୂଚନାଯୋଗ୍ୟ ଏହି ସ୍କୁଲରେ ଦୀର୍ଘଦିନ ଧରି ଗଚ୍ଛିତ ରହିଯାଇଥିବା ଚାଉଳକୁ ମିଲରେ ପୁନଃ ପ୍ରକ୍ରିୟାକରଣ କରି ମଧ୍ୟାହ୍ନ ଭୋଜନ ରନ୍ଧାଯାଉଥିଲା। ପଞ୍ଚାୟତ ସମିତି ବୈଠକରେ ପିଲାଙ୍କୁ ପୋକରା ଚାଉଳରେ ରନ୍ଧା ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଉଥିବା ନେଇ ସତ୍ୟଭାମାପୁର ପଞ୍ଚାୟତ ସରପଞ୍ଚ ଉମାକାନ୍ତ ଆଚାର୍ଯ୍ୟ ଓ ଉମାଦେଇବ୍ରହ୍ମପୁର ସରପଞ୍ଚ ସୁକାନ୍ତ ସାହୁଙ୍କ ସମେତ ଆଉ କେତେଜଣ ଜନ ପ୍ରତିନିଧି ଅଭିଯୋଗ କରିଥିଲେ। ବୈଠକରେ ଏଭଳି ଗୁରୁତର ଅଭିଯୋଗ ହେବା ସତ୍ବେ ଏହି ଚାଲଳରେ ମଧ୍ୟାହ୍ନ ଭୋଜନ ରନ୍ଧା ଜାରି ରହିଥିଲା। ତେଣୁ ବ୍ଲକ ପ୍ରଶାସନ ପକ୍ଷରୁ ଏଭଳି ଅତର୍କିତ ଚଢ଼ଉ ହୋଇଥିଲା।

ସମ୍ବନ୍ଧିତ ଖବର