ଭୁବନେଶ୍ବର: ଆଇଆଇଟି ଖଡ଼ଗପୁର ପ୍ଲାନ୍ ଦେଲା। ରାସ୍ତା ପାଇଁ ଜମି ଚିହ୍ନଟ ହେଲା। ହେଲେ ଏଯାଏଁ ଡୁମୁଡୁମା-ଜାଗମରା ଶହେ ଫୁଟିଆ ବିକଳ୍ପ ରାସ୍ତାର ଭାଗ୍ୟ ଫିଟିଲା ନାହିଁ। ଫଳରେ ପ୍ରସ୍ତାବିତ ରାସ୍ତା ପାଇଁ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଜମି ଧୀରେଧୀରେ ଅବରୋଧ ହେବାରେ ଲାଗିଛି। ସ୍ଥିତି ଏମିତି ଯେ ଏ ରାସ୍ତା ଆଉ ହୋଇପାରିବ କି ନାହିଁ ସେନେଇ ଅନିଶ୍ଚିତତା ପ୍ରକାଶ ପାଇଲାଣି। ଏଣେ ଡୁମୁଡୁମା ଓ ଆଖପାଖ ଅଞ୍ଚଳରେ ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ୫୦ ହଜାରରେ ପହଞ୍ଚିଥିବା ବେଳେ ଯାତାୟାତ ନେଇ ସମସ୍ୟା ଜଟିଳ ହେବାରେ ଲାଗିଛି।
ବିଡିଏ ପକ୍ଷରୁ ପ୍ରସ୍ତୁତ ମାଷ୍ଟରପ୍ଲାନ୍ ମୁତାବକ, ଜାତୀୟ ରାଜପଥ ୧୬ ସଂଲଗ୍ନ ଆଇଗିଣିଆ ଛକଠାରୁ କସମୋପଲ୍ଲୀ ରାସ୍ତାକୁ ନେଇ ଡୁମୁଡୁମା ଫେଜ୍-୪ ହାଉସିଂବୋର୍ଡ କଲୋନି ଦେଇ ଏକ ୧୦୦ ଫୁଟିଆ ରାସ୍ତା ନିର୍ମାଣ ହେବାର ଅଛି। ଏହା ଜାଗମରାଠାରେ ଖଣ୍ଡଗିରି-ପୋଖରୀପୁଟ ରାସ୍ତାକୁ ସଂଯୋଗ କରିବାର ଯୋଜନା ରହିଛି। ଅଥଚ ଏ ପର୍ଯ୍ୟନ୍ତ କାମ ଆଗେଇ ପାରିନାହିଁ। ଖଣ୍ଡଗିରି ଜାତୀୟ ରାଜପଥ ରୋଡ୍ରେ ଯା’ ଆସ ସୁବିଧା ହେଉଥିବାରୁ ପ୍ଲାନିଂରେ ଥିବା ଏହି ବିକଳ୍ପ ରାସ୍ତାର ଆବଶ୍ୟକତା ଉପଲବ୍ଧି ହେଉନଥିଲା। ମାତ୍ର ଖଣ୍ଡଗିରି ଓଭରବ୍ରିଜ୍ ରାସ୍ତା ନିର୍ମାଣ ପରଠୁ ସମସ୍ୟା ବଢ଼ି ଯାଇଛି। ଏଣେ ପଞ୍ଚସଖାନଗର-ଆଇଟିଇଆର୍ ରାସ୍ତା ଦେଇ ଯାଇଥିବା ରାସ୍ତାଟି ଧୀରେଧୀରେ ସଂକୁଚିତ ହୋଇଗଲାଣି। ଅନ୍ୟପକ୍ଷରେ ଡୁମୁଡୁମା ଅଞ୍ଚଳରେ ଲୋକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଅଞ୍ଚଳବାସୀଙ୍କୁ ଦୈନନ୍ଦିନ ଟ୍ରାଫିକ୍ ଜାମ୍ର ସାମ୍ନା କରିବାକୁ ପଡ଼ୁଛି। ବେଳେବେଳେ ରୋଗୀଙ୍କୁ ନେଇ ଏଇ ରାସ୍ତାରେ ଯାଉଥିବା ଆମ୍ବୁଲାନ୍ସ ଫସି ଯାଉଛି।
ଏନେଇ ଡୁମୁଡୁମା ଆଞ୍ଚଳିକ ବରିଷ୍ଠ ନାଗରିକ ଫୋରମ୍ ପକ୍ଷରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ସରକାର କର୍ଣ୍ଣପାତ କରୁନାହାନ୍ତି। ଡୁମୁଡୁମା ଆଞ୍ଚଳିକ ବରିଷ୍ଠ ନାଗରିକ ଫୋରମ୍ର ସମ୍ପାଦକ ବିଜୟ ଚନ୍ଦ୍ର ସାହୁଙ୍କ କହିବା ମୁତାବକ, ଖଣ୍ଡଗିରି ଓଭରବ୍ରିଜ୍ କାର୍ଯ୍ୟ ଆରମ୍ଭ ହେବା ଦିନରୁ ଡୁମୁଡୁମା-ଆଇଗିଣିଆ ସର୍ଭିସ୍ ରୋଡ୍ ଉପରେ ସଂଖ୍ୟାଧିକ ଯାନବାହନ ଚଳପ୍ରଚଳ କରୁଛି। ଫଳରେ ଯାତାୟାତ ବେଳେ ଏହି ରାସ୍ତା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନାକେଦମ୍ କରୁଛି। ଏଣେ ଡୁମୁଡୁମା ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳରେ ହାଉସିଂବୋର୍ଡ ଦ୍ବାରା ଗଢ଼ି ଉଠିଥିବା ୫ଟି ବଡ଼ବଡ଼ କଲୋନିର ପ୍ରାୟ ୫୦ ହଜାରରୁ ଅଧିକ ବାସିନ୍ଦା ପଞ୍ଚସଖା-ଆଇଟିଇଆର୍ ରାସ୍ତା ଦେଇ ପୋଖରୀପୁଟ ଜାଗମରା ରାସ୍ତାକୁ ଆସୁଥିଲେ। ମାତ୍ର ଏ ରାସ୍ତା ସଂକୀର୍ଣ୍ଣ ହୋଇଯିବା ପରେ ଏହାକୁ ଅଞ୍ଚଳବାସୀ ବିକଳ୍ପ ରାସ୍ତା ଭାବେ ଆପଣାଇ ପାରୁନାହାନ୍ତି। ଏଇ ବାଟ ଦେଇ ଯିବା ବେଳେ ଜାଗମରାକୁ ବାହାରିବା ବେଳକୁ ବହୁ ସମୟ ଟ୍ରାଫିକ୍ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। ପୂର୍ବରୁ ପ୍ଲାନିଂ ଥିବାରୁ ବିକଳ୍ପ ୧୦୦ ଫୁଟିଆ ରାସ୍ତାଟି ତୁରନ୍ତ ନିର୍ମାଣ ହେଲେ ଅଞ୍ଚଳବାସୀଙ୍କ ସମସ୍ୟା ଦୂର ହୋଇପାରନ୍ତା। ମାତ୍ର ଏନେଇ ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ସାଧାରଣ ପ୍ରଶାସନ, ନିର୍ମାଣ ବିଭାଗ ଶାସନ ସଚିବ, ନଗର ଉନ୍ନୟନ ବିଭାଗ ଶାସନ ସଚିବ, ବିଡିଏ ଉପାଧ୍ୟକ୍ଷଙ୍କୁ ବାରମ୍ବାର ଜଣାଉଥିଲେ ହେଁ କିଛି ସୁଫଳ ମିଳିନାହିଁ ବୋଲି ସେ କହିଛନ୍ତି।
ସ୍ଥାନୀୟ ନେତା ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ରାସ୍ତା ନେଇ ବହୁବାର ଆଶା ଦେଖାଇଥିଲେ ହେଁ ତାହା ସଫଳ ରୂପ ନେଇ ପାରିନାହିଁ। ଏନେଇ ଖୋଦ୍ ସାଧାରଣ ପ୍ରଶାସନ, ପୂର୍ତ ବିଭାଗ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗ ଶାସନ ସଚିବ ଓ ବିଡିଏ ଉପାଧ୍ୟକ୍ଷଙ୍କୁ ଚିଠି ଲେଖି ବରିଷ୍ଠ ନାଗରିକଙ୍କ କଥାକୁ ହୃଦୟଙ୍ଗମ କରି ଏହାର ସମାଧାନ ବାହାର କରିବାକୁ ଚିଠି ଲେଖିଛି। ମାତ୍ର ଏଯାଏଁ ଏ ପ୍ରସ୍ତାବିତ ରାସ୍ତାର ଗତି କୁଆଡ଼େ ଜଣାପଡ଼ୁନାହିଁ। ତେଣୁ ଅଞ୍ଚଳବାସୀ ଏନେଇ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ଏ ରାସ୍ତା ନିର୍ମାଣ ପାଇଁ ନିବେଦନ କରିଛନ୍ତି।