ଲିଭୁନି ଡମ୍ପିଂୟାର୍ଡ ନିଆଁ : ବିପଦରେ ୨୦ ହଜାର ଲୋକ

ସେସ୍‌ପୁଲ ଗାଡ଼ି ଉପରେ ନିର୍ଭର କରିଛି ବିଏମ୍‌ସି, ବିଷାକ୍ତ ଧୂଆଁ କଲାଣି ଅସ୍ତବ୍ୟସ୍ତ, ଫେରିଲା ଅଳିଆ ଗାଡ଼ି

ଭୁବନେଶ୍ବର/ବାରଙ୍ଗ : ହୁ ହୁ ହୋଇ ଜଳୁଛି ଭୁଆସୁଣୀ ଡମ୍ପିଂୟାର୍ଡ। ୫ ଦିନ ଧରି କୁହୁଳୁଥିବା ନିଆଁ ପୁଣି ଭୟଙ୍କର ରୂପ ନେଇଛି। ଗତକାଲି ରାତିରେ ଧୂଳିଝଡ଼ ସାଙ୍ଗକୁ ତୁହାକୁ ତୁହା ପବନ ହେବା ଦ୍ବାରା ତାହାର ପ୍ରଭାବ ଡମ୍ପିଂୟାର୍ଡ ଉପରେ ପଡ଼ିଛି। ନିଆଁ ଲିଭାଇବାକୁ ୩ଟି ସେସ୍‌ପୁଲ୍‌ ଗାଡ଼ି ନିୟୋଜିତ ହୋଇଥିଲେ ମଧ୍ୟ ନିଆଁ କମିବାର ନାଁ ନେଉନି। ବରଂ କାୟା ମେଲାଇ ଚାଲିଛି। ଏବେ ଗତ ସପ୍ତାହରେ ଡମ୍ପିଂୟାର୍ଡର ୪୦ ପ୍ରତିଶତରେ ନିଆଁ ଲାଗିଥିବା ବେଳେ ଆଜି ସୁଦ୍ଧା ପ୍ରାୟ ୭୦ ପ୍ରତିଶତ ଅଂଶକୁ ଗ୍ରାସ କରିସାରିଲାଣି। ତେଣୁ ଡମ୍ପିଂୟାର୍ଡ ଆଖପାଖରେ ଥିବା ୬ଟି ଗାଁର ୨୦ ହଜାର ଲୋକେ ଭୟଭୀତ ଅବସ୍ଥାରେ ରାତି କାଟୁଛନ୍ତି। ବିଶେଷକରି ଦାରୁଠେଙ୍ଗ, କୃଷ୍ଣ ନଗର, କଲ୍ୟାଣୀ ନଗରର ଲୋକେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ୨୦ରୁ ୩୦ କିମି ବେଗରେ ପବନ ହେଉଥିବାରୁ ନିଆଁ କେତେବେଳେ ଯେ ଗାଁ ଆଡ଼କୁ ମାଡ଼ି ଆସିବ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଲୋକେ ରାତି ଅନିଦ୍ରା ହୋଇ ଜଗି ରହିଛନ୍ତି। ହେଲେ ବିଏମ୍‌ସି ଅଧିକାରୀଙ୍କ ଦେଖା ନାହିଁ। ଦିନ ସମୟରେ ଗୋଟିଏ ‌ସେସ୍‌ପୁଲ୍‌ ଗାଡ଼ି ପାଣି ଢାଳି ଯିବା ପରେ ଆଉ ଗୋଟିଏ ଗାଡ଼ି ପହଞ୍ଚୁଛି। କିନ୍ତୁ ସ୍ଥିତିରେ କୌଣସି ସୁଧାର ଆସୁ ନାହିଁ।

ନିଆଁ ସହ ବିଷାକ୍ତ ଧୂଆଁ ହେଉଥିବାରୁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ‌ହୋଇଛି। ଧୂଆଁ ପ୍ରଭାବରେ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି। ଗ୍ରାମବାସୀଙ୍କ କହିବା କଥା ହେଉଛି ଆମମାନଙ୍କ କଥା କେହି ବି ବିଚାର କରୁନାହାନ୍ତି। ବିଏମ୍‌ସି ଜୋରଜବରଦସ୍ତି ଅଳିଆ ପକାଇ ରୋଗକୁ ଆମନ୍ତ୍ରଣ କରୁଛି। ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁ ନାହିଁ। ବିଷାକ୍ତ ଧୂଆଁ ନାକରେ ପଶୁଥିଲେ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଶୋଇଛି। ବିଷାକ୍ତ ଧୂଆଁ ହୋଇଥିବାରୁ ଜମିକୁ କାମ କରିବାକୁ ‌ଯାଇ ହେଉ ନାହିଁ। ୭ ଦିନ ହେଲା ଛାତ୍ରଛାତ୍ରୀ ସ୍କୁଲ, କଲେଜ ଯାଇପାରୁ ନାହାନ୍ତି। ଯଦି ଏଥିପ୍ରତି ତୁରନ୍ତ ଦୃଷ୍ଟି ନ ଦିଆଯାଏ ତେବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ।

ଦାରୁଠେଙ୍ଗର ସୁକାନ୍ତ ବାରିକଙ୍କ କହିବାନୁଯାୟୀ ତିନି ଦିନ ହେଲା ନିଆଁ ହେଉ ନଥିଲା। କେବଳ ଧୂଆଁ ବାହାରୁଥିଲା। ତେବେ ଗତକାଲି ସନ୍ଧ୍ୟାରେ ଜୋରରେ ପବନ ହେବା ପରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ଡର୍ମ୍ପିଂୟାର୍ଡ ଜଳୁଥିବା ବେଳେ ପବନ ହେବାରୁ ରାସ୍ତା ଉପରକୁ ନିଆଁ ଚାଲି ଆସିଥିଲା। ଆଉ ଟିକିଏ ଜୋରରେ ପବନ ହୋଇଥିଲେ ତାହାର ପ୍ରଭାବ ଗାଁ ଉପରେ ପଡ଼ିଥାନ୍ତି। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଦମକଳ ଗାଡ଼ି ବ୍ୟବହାର କରାଯାଉ।

ଅନ୍ୟପକ୍ଷରେ ନିଆଁ ଜଳୁଥିବାରୁ ଆଜି ଭୁବନେଶ୍ବରରୁ ଅଳିଆ ନେଇ ଯାଇଥିବା ଗାଡ଼ିଗୁଡ଼ିକ ବାଟରେ ଅଟକି ରହିଥିଲା। ନିଆଁର ପ୍ରକୋପ ସାଙ୍ଗକୁ ଧୂଆଁ ହେଉଥିବାରୁ ଡର୍ମ୍ପିଂୟାର୍ଡରେ ଅଳିଆ ପକାଇବା ସମ୍ଭବପର ନ ଥିଲା। ତେଣୁ ଟ୍ରକ୍‌ଗୁଡ଼ିକ ନନ୍ଦନକାନନ ନୂଆ ରାସ୍ତାରେ ଧାଡ଼ି ବାନ୍ଧି ଛିଡ଼ା ହୋଇ ରହିଥିଲେ। ଦୀର୍ଘ ସମୟ ଧରି ଅଟକି ରହିବା ପରେ ବି ସ୍ଥିତି ସ୍ବାଭାବିକ ହୋଇ ନଥିଲା। ତେଣୁ ‌କେତେକ ଗାଡ଼ି ଫେରିଯାଇଥିବା ଜଣାପଡ଼ିଛି।

କାହିଁକି ଚୁପ୍ ବସିଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
ଭୁବନେଶ୍ବର : ଭୁଆସୁଣୀ ଡମ୍ପିଂୟାର୍ଡରେ ନିଆଁ ଲିଭୁନଥିବାବେଳେ ବିଏମ୍‌ସି ବି ଏହାକୁ ଲିଭାଇବାକୁ ପଦକ୍ଷେପ ନେଉନି। ପୂରା ଅଞ୍ଚଳ ଧୂଆଁମୟ ହୋଇଗଲାଣି। ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଲାଣି। ହେଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଦ ଭାଙ୍ଗୁନି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷ ବିଏମ୍‌ସିକୁ ଏନେଇ ଜବାବ୍‌ ମାଗୁନାହାନ୍ତି କି ଜରିମାନା ଆଦାୟ ବି କରୁନାହାନ୍ତି। ଫଳରେ ପ୍ରଦୂଷଣ ବୋର୍ଡର ନିରବତା ନେଇ ପ୍ରଶ୍ନ ଉଠିଲାଣି।

ଏପଟେ ଦାରୁଠେଙ୍ଗ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ବିଏମ୍‌ସି କର୍ତ୍ତୃପକ୍ଷ ଜାଣିଶୁଣି ଡମ୍ପି˚ୟାର୍ଡରେ ନିଆଁ ଲଗାଉଛନ୍ତି। ପ୍ରତିବର୍ଷ ଏହିଭଳି ନିଆଁ ଲଗାଉଛନ୍ତି। ଫେବ୍ରୁଆରିରୁ ମେ ମାସ ପର୍ଯ୍ୟନ୍ତ ଏମିତି ନିଆଁ ଲଗାଉଛନ୍ତି। ଏବେଠୁ ଯଦି ବିଏମ୍‌ସି ଉପରେ ରୋକ୍‌ ଲଗାନଯାଏ ତେବେ ଡମ୍ପି˚ୟାର୍ଡ ନିକଟବର୍ତ୍ତୀ ବାସିନ୍ଦା, ପଶୁପକ୍ଷୀଙ୍କ ବଞ୍ଚିବା କଷ୍ଟକର ହୋଇଯିବ। ଅକାଳରେ ବହୁ ରୋଗ ମାଡ଼ିଯିବ। ପ୍ରତିବର୍ଷ ଏହିଭଳି ନିଆଁ ଲାଗୁଥିବାବେଳେ ସ୍ଥିତି ଅଣାୟତ୍ତ ହେବାରୁ ଗତବର୍ଷ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିଏମ୍‌ସିକୁ ୨୫ହଜାର ଟଙ୍କା ଜରିମାନା କରିଥିଲା। ହେଲେ ଏଥର କାହିଁକି ଚୁପ୍‌ ବସିଛି, ନିଆଁ ଲିଭାଇବାକୁ ବିଏମ୍‌ସିକୁ କାହିଁକି ଆକଟ କରୁନି ସେନେଇ ପ୍ରଶ୍ନ ଉଠିଲାଣି।

ସମ୍ବନ୍ଧିତ ଖବର