ସଂରକ୍ଷିତ ଆସନରୁ ଲଢ଼ୁଛନ୍ତି ନକଲି ପ୍ରାର୍ଥୀ

ଭୁବନେଶ୍ୱର: ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଆସନରୁ ଅନେକ ନକଲି ପ୍ରାର୍ଥୀ ଚଳିତ ନିର୍ବାଚନ ଲଢ଼ୁଛନ୍ତି। ବିଭିନ୍ନ ଉପାୟରେ ଅନୁସୂଚିତ ଜାତି ପ୍ରମାଣପତ୍ର ହାସଲ କରି ସେମାନେ କ୍ଷମତା ହାତେଇବାକୁ ଯାଉଛନ୍ତି ବୋଲି ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି। ସୁପ୍ରିମକୋର୍ଟଙ୍କ ଆଦେଶ ‌ସମେତ ଜାତୀୟ ରେଜିଷ୍ଟ୍ରାର ଜେନେରାଲ ଓ ଜନଗଣନା କମିସନଙ୍କ ସୁପାରିସ ମୁତାବକ କେଉଟ, କୈବର୍ତ୍ତ ଓ ଧୀବର ଜାତିମାନେ ଅନୁସୂଚିତ ଜାତି ନୁହନ୍ତି ବୋଲି ଦାବି କରିଛି ସମିତି। ମାଷ୍ଟରକ୍ୟାଣ୍ଟିନ୍‌ ନିକଟସ୍ଥ ଏକ ହୋଟେଲ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହିସବୁ ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ସମିତି ପକ୍ଷରୁ ଆହ୍ବାନ କରାଯାଇଛି। ସମିତିର ସାଧାରଣ ସମ୍ପାଦକ ପ୍ରଭାକର ମଲ୍ଲିକ, ବନ୍ଧୁ ସେଠୀ, ଅଲେଖ ଚନ୍ଦ୍ର ମଲ୍ଲିକ, ଲକ୍ଷ୍ମଣ ମଲ୍ଲିକ, ଡିଙ୍ଗର କୁମ୍ଭାର, ଲଳିତ ନାୟକ ଓ ମଧୁସୂଦନ ମଲ୍ଲିକ ପ୍ରମୁଖଙ୍କ ଅଭିଯୋଗ ମୁତାବକ, କେତେକ ଜାତିର ଉଚ୍ଚାରଣ ସାମଞ୍ଜସ୍ୟତା ନେଇ ଅନୁସୂଚିତ ଜାତିରେ ସାମିଲ ହୋଇଯାଇଥିଲା। ପରେ ବିଭିନ୍ନ ଫୋରମ୍‌ରେ ଅଭିଯୋଗ ହେବାରୁ ଏହି ସବୁ ନକଲି ଜାତିଗୁଡ଼ିକୁ ଅନୁସୂଚିତ ଜାତି ବର୍ଗରୁ କାଟିବା ପାଇଁ ଆଦେଶ ହୋଇଥିଲା। ତା’ ଛଡ଼ା ଆଗକୁ ଏହି ଜାତିସବୁ ଅନୁସୂଚିତ ଜାତି ବର୍ଗର ପ୍ରମାଣପତ୍ର ହାସଲ କରିପାରିବେ ନାହିଁ ବୋଲି ଆଦେଶ ହୋଇଥିଲା। ତତ୍‌କାଳୀନ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ସଚିବ ତାରା ଦତ୍ତ ଏନେଇ ସାମାଜିକ ନ୍ୟାୟ ଓ ସଶକ୍ତକରଣ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ। ହେଲେ ଏହାକୁ ଗୁରୁତ୍ବର ସହ ନିଆଗଲା ନାହିଁ। ୨୦୧୩ ମସିହାରୁ ସୁପ୍ରିମକୋର୍ଟରେ ଏ ନେଇ ଏକ ମାମଲା ବିଚାରାଧୀନ ରହିଛି। ଏହାର ଶୁଣାଣି ମେ ୧୩ରେ ରହିଛି। ଏହି ନକଲି ପ୍ରାର୍ଥୀଙ୍କୁ ତାଲିକାରୁ କାଟିବା ପାଇଁ ଏହି ମାମଲାର ରାୟ ସହାୟକ ହେବ। ତେବେ ତା’ ପୂର୍ବରୁ ଏମାନଙ୍କୁ କ୍ଷମତା ଦିଆ ନଯିବା ସହ ଯେଉଁମାନେ ବାସ୍ତବ ଅନୁସୂଚିତ ଜାତି ବର୍ଗର ‌ସେମାନଙ୍କୁ ଭୋଟ ଦେବାପାଇଁ ସମିତି ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର